ଅଦିନ ମଧ୍ୟାହ୍ନ

 

 

 

 

 

 

 

 

 

 

ଅଦିନ ମଧ୍ୟାହ୍ନ

ଶ୍ରୀ କାଳୀ ପ୍ରସାଦ ଦାସ

 

ପ୍ରଗତି ଉତ୍କଳ ସଂଘ, ରାଉରକେଲା

ପାଠାଗାର

ନଂ.....................................

ତା.....................................

 

ଆଜିକାଲି ସିନ୍ଦୂର ନାଇବା ଫେସନ । ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧିବା ମଧ୍ୟ ଫେସନ । ଆଉ ଯେତେ ଯେତେ ନୂଆ ଷ୍ଟାଇଲ ସର୍ବାଧୁନିକ ବୋଲି ପରିପ୍ରଚାର ହେଉଛି ସେସବୁ ମଧ୍ୟ ଫେସନ । ଅଞ୍ଜନା ଫେସନକୁ ଅନ୍ୟ ଦୃଷ୍ଟିରୁ ଆକର୍ଷଣ ନିମନ୍ତେ ଆଦର କରନ୍ତି । ମୂଲ୍ୟାଙ୍କନ କରନ୍ତି । ଆଉ କୁହନ୍ତି କୃତ୍ରିମ ଫେସନକୁ ଦେଖି ଦୂରରୁ ଭ୍ରମରମାନେ ଝାସ ଦେବା କିଛି ଅସମୀଚୀନ ନୁହେଁ ।

 

ଉତ୍ସର୍ଗ

 

ଯେଉଁମାନେ ପ୍ରେମ କରି ଅବଶ ହୋଇ ପଡ଼ିଛନ୍ତି, ସେଇ ବିରହୀମାନଙ୍କ ହସ୍ତରେ......

 

-ଲେଖକ

 

The ‘bad woman’ is not just a ‘sex machine’, but a woman with whom a man can jest without having to censor his language or his thoughts.

 

–Nina Epton

 

ଅଦିନ ମଧ୍ୟାହ୍ନ

 

ବିବାହ ନ ଥିଲେ ସଂସାର ପାଇଁ ଆୟୋଜନ ନ ଥାନ୍ତା । ବିବାହ ଅଛି ବୋଲି ସମ୍ପର୍କ ପ୍ରତି ମୋହ ଅଛି, ମମତା ଅଛି ଆଉ ସର୍ବୋପରି ଅଛି ସବୁଜ ଆସକ୍ତି । କେହି କେହି ବ୍ରହ୍ମଚାରୀ ଭାବେ ଆପଣାକୁ ଧନ୍ୟ ମନେ କରିଥାନ୍ତି । ଗର୍ବରେ ଫାଟିପଡ଼ି କୁହନ୍ତି, ଆମେ ସ୍ୱର୍ଗର ଇନ୍ଦ୍ର, ଚନ୍ଦ୍ରଙ୍କୁ ଜୟ କରିବୁ । ଆମେ ଶକ୍ତିମାନ୍ । ଆମଠାରେ କାମନା ନାହିଁ, ବାସନା ନାହିଁ କିମ୍ବା ଜୀବନ ପ୍ରତି ଛଳନା ନାହିଁ ।

 

କିନ୍ତୁ ପ୍ରକୃତ ମିଛ କହିଥାନ୍ତି ସେଇମାନେ । ସେମାନେ ବିବାହ କରି ନାହାନ୍ତି ବୋଲି ଯେ ସେମାନଙ୍କଠାରେ ଛଳନା ବହିର୍ଗତ ହୋଇ ଚାଲି ଯାଇଛି, ତାହା ନିଚ୍ଛକ ମିଛକଥା । ସେମାନେ ହେଲେ ପ୍ରକୃତ ଛଳନାମୟ । ଗୋପନର କର୍ତ୍ତା । ଲୁଚି ଲୁଚି ସରଲବଣୀ ସବୁ ଖାଇ ଜାଣନ୍ତି ।

 

ରମେଶର ମନ ସେହିମାନଙ୍କ ପ୍ରତି ହିଁ ବିତୃଷ୍ଣ ହୋଇଯାଏ । ସେ କୁହେ ପ୍ରେମ ଯଦି କରିବାକୁ ଇଚ୍ଛା କରୁଛ, ତେବେ ସାଫ୍‌ ଅନ୍ତର ଫେଡ଼ି, ମନ ଖୋଲି କରିଯାଅ । ଲୁଚା ଛପାର ପ୍ରଶ୍ନ ନାହିଁ । ତେଣୁ ସେ ଆଗ୍ରହାନ୍ୱିତ ଭାବେ ପ୍ରଣୟ କାହାଣୀ ଶୁଣିବାକୁ ଭଲ ପାଏ ।

 

ଏଇ ତା’ ଜିଗିରି ଦୋସ୍ତ ବିନୋଦ । ତା’ ନବପରିଣୀତା ପତ୍ନୀକୁ ଧରି ଚାରିଆଡ଼େ ବୁଲୁଛି । ଅଫିସ ଛୁଟି ପରେ ଆଉ ପରବାୟ କିଛି ନାହିଁ । ଖାଲି ଫୂର୍ତ୍ତି କରିବା ହିଁ ସାର ।

 

ରମେଶ ଦେଖିଛି ତା’ ସ୍ତ୍ରୀକୁ । ନୂଆ ନୂଆ ହୋଇ କ୍ୱାଟରକୁ ଯେତେବେଳେ ଆସିଲା, ସାଙ୍ଗରେ ଆଣିଥିଲା ସେ ତା’ର ସ୍ତ୍ରୀକୁ । ରମେଶକୁ ନିମନ୍ତ୍ରଣ କଲା ଆସିବାର ଦୁଇଦିନ ପରେ ।

 

ନିମନ୍ତ୍ରଣ ରକ୍ଷାକରି ସେ ଗଲା । ହାତରେ ନେଇଥିଲା ଏକ ମୂଲ୍ୟବାନ ମୁଦ୍ରିକା, ବନ୍ଧୁ ପତ୍ନୀକୁ ଉପହାର ଦେବାପାଇଁ । ସେଇ ସାମଗ୍ରୀକୁ ବିନୋଦ ହାତରେ ବଢ଼ାଇ ଦେଉ ଦେଉ ରମେଶ କହିଲା, ତୋ ବାହାଘର ଏମିତି ବେଳାରେ କଲୁ ଯେ, ଆମମାନଙ୍କ ପାଦ ଟିକେ ସୁଦ୍ଧା ପଡ଼ିଲା ନାହିଁ । ଜୀବନରେ ଥରେ ପହିଲି ବାହାଘର ଆସେ । ବାହାଘର ସରିଗଲେ ପରା ବେଦିମୁହଁ ପୋଡ଼ା ।

ବିନୋଦ କହିଲା, ହେଉ ସେ ମାଇପି ଢଗ ରଖି ଦେଇଥା । ତୁ ଗଲୁ ତା’ ଅଙ୍ଗୁଳିରେ ମୁଦି ପିନ୍ଧେଇ ଦେଇ ଆସିବୁ । ବନ୍ଧୁ ହିସାବରେ ତୁ ଆଣିଛୁ । ତୋ ମନରେ ଯେମିତି ସରାଗ ଫୁଟି ଉଠିବ, ତାହା ମୋ ପକ୍ଷରେ ଦେଖିବା କଥା । ତୁ ଯଦି ମାଇଚିଆଙ୍କ ଭଳି ହେବୁ, ମୁଁ କ’ଣ କରିବି କହିଲୁ ?

ହୁଁ ଟାଏ ମାରି ମୁରୁକିହସା ଦେଇଥିଲା ବିନୋଦ । ମାଇଚିଆ ତୁ ନା ମୁଁ, ପରୀକ୍ଷା କରିବାକୁ କହିଲେ କରିବା ।

ତହୁଁ ରମେଶ କଥାରେ ଆହୁରି ଖୁସି ପାଇ ବିନୋଦ ଡାକ ଦେଲା ତା’ ସ୍ତ୍ରୀକୁ । ହଇଲୋ ଆଡ଼କୁ ଆସୁନୁ । ମୋର ବିଶିଷ୍ଟ ବନ୍ଧୁ ପରା ଆସିଛନ୍ତି ତୋତେ ବଧାଇ ଜଣାଇବାକୁ । ଲାଜ ସରମ ଗୋଟାଏ କ’ଣ । ଆ ।

ସେ ଆସିଥିଲା । ମଥା ତୋଳି ଚାହିଁବାକୁ ନିର୍ଦ୍ଦେଶ ଦେବାରୁ ସେ ଆସି ଉନ୍ନତ ମଥା କରି ଚାହିଁଲା । ଠିକ୍‌ସେତିକିବେଳେ ରମେଶ ତା’ ହାତରେ ଅଙ୍ଗୁରୀୟ ପିନ୍ଧାଇ ଦିଅନ୍ତେ ସେ ଲାଜ କରି ମୁହଁ ବୁଲେଇ ଦେଲା ।

ତାହା ଦେଖି ବିନୋଦ କହିଥିଲା, ବନ୍ଧୁଙ୍କୁ ମୋର ସେମିତି ନିରାଶାରେ ଫେରେଇ ଦେବା ଠିକ୍‌ ହେଲା ନାହିଁ । ଚାଲେ ତୋତେ ମୁଁ ବଜାରରେ ଚାହା ପାଣି ଟିକେ ଅଭ୍ୟର୍ଥନା ସ୍ୱରୂପ ଚର୍ଚ୍ଚା କରି ନ ଦେଲେ ପରେ ତୁ ମୋତେ ସମାଲୋଚନା କରିବୁ ।

 

ଏହା କହି ବିନୋଦ ସାଙ୍ଗରେ ନେଇ ଆସିଥିଲା ରମେଶକୁ । ବାଟରେ ବଜାରକୁ ଆସିବାବେଳେ ରମେଶ କହିଥିଲା ହଇରେ ବିନୋଦ, ତୋ ବାହାଘରକୁ ମୁଁ ନ ଯିବା ଆମ ବନ୍ଧୁତା ପକ୍ଷରେ ଘୋର ଦୁଃଖଦାୟକ ନୁହେଁ କି ?

 

ବିନୋଦ ରମେଶକୁ କହିଲା, ମୋ ବାହାଘରକୁ କୌଣସି ବନ୍ଧୁ କିମ୍ବା ଆତ୍ମୀୟସ୍ୱଜନ ନିମନ୍ତ୍ରିତ ହୋଇ ଆସି ନାହାନ୍ତି । ତା’ର କାରଣ ତୋତେ ଆଉ ଦିନେ କହିବି । ଦୁହେଁ ଏକାଠି ଚାକିରି କଲେଣି । ଉଭୟେ ପୁଣି ବନ୍ଧୁତା ସୂତ୍ରରେ ଦୃଢ଼ଭାବେ ଆବଦ୍ଧ ହେବା । ଅତୀତ ଆମର ଫେରି ଆସିବ । ତୁ ମନ କଷ୍ଟ କର ନା ରମେଶ ।

 

ଏହା କହି ସେ ତା’ ସାଥୀକୁ ବିଦାୟ ଦେଇଥିଲା । ବସାରେ ପହଞ୍ଚି ସେଦିନ ରାତିରେ ରମେଶ ଆଖିକୁ ମୋଟେ ନିଦ ହେଲା ନାହିଁ । ସ୍ୱପ୍ନ ଦେଖିଲା ପରି ସେ ଦେଖୁଥିଲା ବିନୋଦର ସ୍ତ୍ରୀକୁ । ଦେଖିବାକୁ ଯେମିତି ଡଉଲ ଡାଉଲ, Below sixteen–ନାଁଟି ମଧ୍ୟ ସେମିତି ଚୋଖା ହୋଇଛି ।

 

କାନ୍ତା !

 

କଶ୍ଚିତ୍‌କାନ୍ତା ବିରହ ବିଚିତ୍ରା...

 

ଠିକ୍‌ ପରକୀୟା ହେଲେ ଦିଲ୍‌ ଚପସ୍‌ ଲଡ଼ୁ ଭଳି ଲାଗିବ । ତା’ ଆଖିର ଇଶାରା ଚାହାଣିବାଟେ ଫୁଟି ଉଠିଥିଲା । ଇଚ୍ଛା ହେଉଥିଲା ବିନୋଦ ଯଦି ଅନୁମତି ଦେଇଥାନ୍ତା ତେବେ ସେ ତାହାକୁ ମନର ଖିଅରେ ସେଇଠି ଧରି ରଖିଥାନ୍ତା ।

 

କାନ୍ତା ! ଇସ୍‌ କି ସୁଇଟ୍‌ ସିକ୍‌ଷ୍ଟିନ ଚେହେରା !

 

କି ନୀଳ ନୀଳ ଆଖି !

 

ସ୍ୱପ୍ନର ରାଜକୁମାରୀ ସେଇଭଳି ଝିଅଙ୍କୁ ସିନା କୁହନ୍ତି । ପରୀ ରାଇଜରୁ ଉଡ଼ି ଉଡ଼ି ଆସି ମର୍ତ୍ତ୍ୟ ପ୍ରେମିକଙ୍କ ଆଖିରେ ନିଶାର ରଙ୍ଗ ବୋଳି ଦେଇଥାନ୍ତି ସେଇଭଳି ଝିଅ ଏ ।

 

କାନ୍ତା ଭଳି ଝିଅଟିଏ କେବେହେଲେ କେଉଁଠି ରମେଶର ନଜରରେ ଆସି ନାହିଁ । ସାଧନାର ମେରେ ମେହେବୁବ୍‌ କଟିଫ୍‌ । ଜାପାନୀ ଖେଳନା । ହାତରେ ପାଇ ଉପଭୋଗ କଲେ ସିନା ମଜ୍ଜା ଲାଗିବ ।

 

କାନ୍ତା ହିଁ ତା’ର କାମ୍ୟ । କାନ୍ତାର ବିଚ୍ୟୁତି ଘଟିଲେ ବିଶେଷ ଖୁସି ହେବ ସେ । ତା’ ଦହନର ଅନ୍ଧକାର ମଧ୍ୟରେ ସେ ଖେଳାଇ ଦେବ ଉପଭୋଗର ଶୀତଳ ଜ୍ୟୋତ୍ସ୍ନା । ଏକାନ୍ତର ସ୍ନାୟବିକ ଦୁର୍ବଳତା ବିଦୂରିତ ହେବ ତାରି ସ୍ପର୍ଶରେ ।

 

ସେ ରାତିଟି ଶଯ୍ୟାରେ ପଡ଼ି ଖାଲି ଛଟପଟ ହେବା ହିଁ ସାର ହେଲା । ସୂର୍ଯ୍ୟ ପ୍ରଭାତର ଉପଲକ୍ଷ୍ୟେ ଆକାଶର ନକ୍ଷତ୍ରଗୁଡ଼ିକ ଅସ୍ତମିତ ହୋଇଗଲେ ସତ, ମାତ୍ର ରମେଶ ମନରୁ ଲିଭି ପାରିଲା ନାହିଁ ସେଇ ସଙ୍ଗମ ପରିକଳ୍ପନାର ସ୍ୱପ୍ନ ।

 

ବିନୋଦ କହିଲା, ସେତେବେଳେ ମୁଁ ଇଞ୍ଜିନିୟରିଙ୍ଗ୍‌ ପାଠ୍ୟକ୍ରମ ଶେଷ କରି ପ୍ରାକ୍‌ଟିକାଲ୍ ଟ୍ରେନିଙ୍ଗରେ ଯୋଗ ଦେଇ ଥାଏ । ସୁଦୂରବର୍ତ୍ତୀ ଏକ କ୍ଷୁଦ୍ର ସହରରେ ସେଇ ତାଲିମ କେନ୍ଦ୍ର ଅବସ୍ଥାପିତ ହୋଇଥିଲା । ସହରଟିର ଚତୁଃପାର୍ଶ୍ୱ ଛୋଟ ବଡ଼ ପାହାଡ଼ରେ ଘେରା । ରାସ୍ତା ବୋଲି ଗୋଟିଏ । ତାକୁ କୁହନ୍ତି ପ୍ରଧାନ ରାସ୍ତା । ଆଉ ଯେଉଁ ଗଳି କନ୍ଦି ଅଛି ତା’ଭିତରେ ସେମିତି ରାସ୍ତା ସଂରକ୍ଷଣ କରା ହୋଇନାହିଁ । ଆମ ପ୍ରାକ୍‌ଟିକାଲ କାର୍ଯ୍ୟକ୍ରମ ମଧ୍ୟରେ ସେଇ ସବୁ ଜାଗାରେ ରାସ୍ତା ଫିଟେଇବାର ଉପକ୍ରମ ଥାଏ । ଟ୍ରେନିଙ୍ଗରେ ମୋ ଭଳି ଅନେକ ପିଲା ଯୋଗ ଦେଇଥାନ୍ତି । ମୋ ବ୍ୟତୀତ ସେମାନେ ସମସ୍ତେ ରହୁଥାନ୍ତି କ୍ୟାମ୍ପରେ । ଆଉ ମୁଁ ଅନୁମତି ନେଇ ଅନ୍ୟ ସ୍ଥାନରେ ରହୁଥିଲି । ନିୟମ ଅନୁସାରେ ମୋତେ ଅନୁମତି ନ ମିଳିବାର କଥା । ହେଲେ ମୋର ଯେଉଁ ବିଶେଷ ସୁବିଧା ଥିଲା ତାହା ଉପଲବ୍ଧି କରି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ମୋ ପାଇଁ ସେତକ ସୁପାରିଶ କରି ଦେଇଥିଲେ ।

 

ମୁଁ ରହିଲି ମୋ ଅପା ବସାରେ । ସେତେବେଳେ ମୋ ଅପା ଓ ଭିଣୋଇ ସେମାନଙ୍କ ଛୁଆ ପିଲାଙ୍କ ସହ ସେହି ସହରରେ ରହୁଥିଲେ । ଭିଣୋଇ ଥିଲେ ସେଠା ତହସିଲ ଅଫିସର ଜଣେ କିରାଣି । ପୂର୍ବରୁ ତାଙ୍କ ଘରେ ରହିବା ବ୍ୟବସ୍ଥା ଚିଠିପତ୍ର ଜରିଆରେ ଭିଣୋଇଙ୍କ ସାଙ୍ଗରେ ଠିକ୍‌ ହୋଇଥିଲା । ତେଣୁ କିଛି ଅସୁବିଧା ହେଲା ନାହିଁ । ବରଂ ବହୁଦିନ ପରେ ମୋର ଉପସ୍ଥିତିକୁ ଅନୁଭବ କରି ଅପା ବହୁତ ଖୁସି ହୋଇ ଉଠିଲା ।

 

ପ୍ରାକ୍‌ଟିକାଲ କାର୍ଯ୍ୟକ୍ରମରେ ଯୋଗ ଦେବାର ଯେଉଁ ନିର୍ଦ୍ଧାରିତ ସମୟ ଥିଲା, ସେଥିରେ ମୁଁ ନିୟମିତ ଭାବେ ଯୋଗ ଦେଉଥିଲି । ଦିନେ ହେଲେ ହେଳା କରି ନାହିଁ । କିନ୍ତୁ ଅବଶିଷ୍ଟ ସମୟତକ ବସି ବସି ମୋର ତୁଚ୍ଛାରେ କଟି ଯାଉଥିଲା । ଖରା ଦିନେ ଲମ୍ବା ସମୟଗୁଡ଼ା ଅକାରଣେ ନଷ୍ଟ ହୋଇ ଯାଉଥିବାରୁ ମନ ଜମା ଭଲ ଲାଗୁ ନ ଥିଲା ।

 

ଅବଶ୍ୟ ସହର ପରିକ୍ରମା କରିବାରେ ମୁଁ ବାକି ରଖି ନ ଥିଲି । ଛୋଟ ସହରଟିଏ; ବୁଲିବାକୁ ବା କେତେ ମିନିଟ ଦରକାର ଥରେ ଆଖି ବୁଲେଇ ଆଣିଲେ ଯାହା, ଦଶଥର ଦେଖିଲେ ସେଇଆ । ଭାରି ବୋରିଂ ଲାଗୁଥିଲା । କ୍ଳାନ୍ତି ଅପନୋଦନ କରିବା ଉଦ୍ଦେଶ୍ୟରେ ଅପାର ପିଲାମାନଙ୍କ ସହ କେତେ ଅବା ଖେଳିଥାନ୍ତି । ଏପରି ଦିନେ ଦିନେ ଘଟିଛି । ବିରକ୍ତିକର ମନୋଭାବ ନେଇ ମୁଁ ଅପା ପିଲାମାନଙ୍କୁ ମାରିଛି । ସେମାନଙ୍କୁ ମିଛ ଧମକ ଦେଇଛି । ହେଲେ ସେଥିରେ ଯେ ମୁଁ ତୃପ୍ତି ପାଇଛି ତାହା ନୁହେଁ ।

 

ମୋ ଅତୃପ୍ତି ଓ ଅଶାନ୍ତିକୁ ଲକ୍ଷ୍ୟ କରି ଅପା ମୋତେ କହିଛି, ତୋତେ ଯଦି କେଉଁଥିରେ ଭଲ ନ ଲାଗୁଛି ତେବେ ପାଖ ପଡ଼ୋଶୀମାନଙ୍କ ଘରେ ବୁଲୁ ଚାଲ କରି ଆସୁନୁ । ସେଥିରେ ଅବା ମନରେ ସ୍ଫୁର୍ତ୍ତି ଆସିବ ।

 

ମୁଁ ଟିକେ ଲାଜକୁଳା । ବାହାର ପରିବାର ସହିତ ମିଳାମିଶା କରିବାକୁ ମୋତେ ସରମ ଲାଗେ । ତାହା ମଧ୍ୟ ଅପା ଅନୁଭବ କରି ଆସିଛି । ତେଣୁ ସେ ମୋତେ ତା’ ସାଙ୍ଗରେ ବୁଲେଇ ନେଇଛି ।

 

ଅପାର ସଂଶ୍ଳିଷ୍ଟ ପଡ଼ୋଶୀ ଘର ହେଉଛି ଏସ୍‌.ଡି.ଓ ଗୌରସୁନ୍ଦରଙ୍କର । ଅପା ତାଙ୍କ ଘରକୁ ଅଧିକାଂଶ ସମୟରେ ବୁଲିଯାଏ । ଗୌରବାବୁ ଟୁରରେ ଥିବା ସମୟତକ ତାଙ୍କ ସ୍ତ୍ରୀଙ୍କ ସହିତ ଖୁସି ଆଳାପରେ ଅପା କଟାଉଥାଏ ।

 

ଗୌରବାବୁଙ୍କ ସ୍ତ୍ରୀଙ୍କ ନାଁ ଅଞ୍ଜନା । ଅପା ମୋତେ ତାଙ୍କ ସହିତ ପରିଚୟ କରାଇଦେଲେ । ତା’ପରେ ଅପା ସହ ସେ ବସି ଆଳାପ ଆଲୋଚନା କରନ୍ତେ, ମୁଁ ସେଇ କ୍ୱାଟରର ସମସ୍ତ ବିଭାଗ ବୁଲି ଦେଖିଲି ।

 

ମୋ ଆଖିରେ ଏସ୍‌.ଡି.ଓ.ଙ୍କ ଡ୍ରଇଂ ରୁମ ଦିଶିଲା । ମୁଁ ତାହା ଭିତରେ ପ୍ରବେଶ କରି ଏକ ସ୍ଥୂଳ ଧାରଣା କରିବାରେ ଲାଗୁଥିଲି । ଗୌରସୁନ୍ଦର ଏସ୍‌.ଡି.ଓ. ଜଣେ ଗେଜେଟେଡ୍‍ ଅଫିସର-। ସ୍ତ୍ରୀ ତାଙ୍କର ସେଇଭଳି ଗାମ୍ଭୀର୍ଯ୍ୟରେ ପୂରି ଉଠିବା କଥା । କିନ୍ତୁ ଡ୍ରଇଂ ରୁମରେ ଗୌରସୁନ୍ଦରଙ୍କ ବିନା ଅଞ୍ଜନା ଦେଈଙ୍କର ଫଟୋ ସବୁ ଯେଉଁପରି କାନ୍ଥରେ ଟଙ୍ଗା ହୋଇଛି ସେଥିରୁ ଅନୁମାନ କଲେ, ଯେ କେହି ତାଙ୍କ ପ୍ରତି ଖରାପ ମନ୍ତବ୍ୟ ପ୍ରକାଶ କରିବ ।

 

ଅତି ମତୁଆଲା ପରିପାଟୀରେ ଅଞ୍ଜନା ସେଇ ଫଟୋଗୁଡ଼ିକରେ ସଜ୍ଜିତ ହୋଇ କେତେବେଳେ କେଉଁ ଅଙ୍ଗରେ ସେକ୍‌ସର ପୋଜ୍‌ ନେଇ ଯେ ସେ ଫଟୋ ଉଠାଇଛନ୍ତି ତାହା କେବଳ ସେ ହିଁ ଜାଣନ୍ତି ।

 

ଆମେ କେବଳ ଦେଖିବା ଲୋକ । ମନ୍ତବ୍ୟ ପ୍ରକାଶ କରିବାର ଜୁ ଆମର ବା କେତେ । ତା’ଛଡ଼ା ମୋତେ ସେହି ଯୌବନ ବା ତତ୍‌ସମ୍ବନ୍ଧୀୟ ପ୍ରତ୍ୟେକ ଅଶ୍ଳୀଳ ଛବି ଦେଖିଲେ ଅତି ସରମ ଲାଗେ । ତହୁଁ ମୁଁ ସେଠୁ ଚାଲି ଆସିଲି । ଅନାଗ୍ରହର ମନ ନେଇ ଫେରି ଆସିବାକୁ ଇଚ୍ଛା ହେଉଥିଲା । ତାହା ଲକ୍ଷ୍ୟ କରି ଅପା କହିଲା, ତୋତେ ଭୋକ ଲାଗିବଣି ରେ ବିନୁ, ଚାଲେ ଯିବା । ତେଣେ ପିଲାଏ ମାରଧର ହେବେଣି । ଅଞ୍ଜନାଙ୍କୁ କହି ଅପା ମୋତେ ନେଇ ଚାଲି ଆସିଲା ।

 

ତା’ପରେ ଆଉ ଦୁଇ ତିନିଥର ଅପା ସାଙ୍ଗରେ ମୁଁ ତାଙ୍କ ଘରକୁ ଯାଇଛି । ହେଲେ ଅଞ୍ଜନା ମୋର ମାନସିକ ଚଞ୍ଚଳତାକୁ ଅକ୍ଳେଶରେ ଅନୁଭବ କରି ଅପାକୁ କହିଛନ୍ତି, ତୁମ ଭାଇଙ୍କୁ କିଏ ଛଡ଼େଇ ନେଇ ଯାଉଛି କି ? ସବୁବେଳେ ତ ତୁମେ ତାଙ୍କୁ କାନି ଘୋଡ଼େଇ ନେବା ଆଣିବା କରୁଛ ।

 

ଅଞ୍ଜନାଙ୍କ ମନ୍ତବ୍ୟରେ ମୁଁ ଦାନ୍ତ ଚିପି ନ ହସି ରହି ପାରିଲି ନାହିଁ । ଅପା ମଧ୍ୟ ହସି ହସି ଉତ୍ତର ଦେଇଥିଲା, ସିଏ ପିଲାଦିନୁ ଚୋରମୁହାଁ କିନା, ସେଇଲାଗି ଟିକେ ସରମ କରୁଛି ।

 

ସତ କଥାଟି ଅପା କହିଦେବାରେ ଠିକ୍ ପାଇଗଲା ତାଙ୍କ ମନକୁ । ସେ କହିଲେ, ତାଙ୍କୁ ଆମ ଘରେ ଛାଡ଼ି ଦେଉନ, ଏଇଠି କାନ୍ତା ସାଙ୍ଗରେ ଖେଳି ଏକବାରକେ ଠିକ୍‌ ହୋଇଯିବେ । ସରମ କେଉଁଆଡ଼େ ଛାଡ଼ି ଯାଇଁ ମୁହଁ ଫିଟିଯିବ ।

 

ତହୁଁ ଅପା ହଁ ଭରିଲା ଓ ସେଇ ଦିନ ପରଠାରୁ ମୋତେ ଏକାକୀ ତାଙ୍କ ଘରକୁ ଆସିବାକୁ ପଡ଼ିଲା । ଟୁର୍‌ରୁ ଫେରି ଗୌରସୁନ୍ଦର ମଧ୍ୟ ମୋର ପରିଚୟ ଜାଣି ଖୁବ୍‌ ଖୁସି ହୋଇଗଲେ । ଆଉ ନିର୍ଦ୍ଦେଶ ଦେଇଗଲେ ଡ୍ରଇଂ ରୁମରେ ସମ୍ବାଦପତ୍ର ପତ୍ରିକା ପଢ଼ିବା ସଙ୍ଗେ ସଙ୍ଗେ ତାଙ୍କ ଝିଅ ପ୍ରତି ନଜର ଦେବାକୁ ।

 

ଗୌରସୁନ୍ଦରଙ୍କର ଏକମାତ୍ର ଝିଅ କାନ୍ତା । ତା’ପରେ ତାଙ୍କର ଆଉ କିଛି ପିଲାପିଲି ନାହାନ୍ତି କିମ୍ବା ହେବାର ମଧ୍ୟ ସୁଯୋଗ ନାହିଁ । ଅଞ୍ଜନା କହିଲେ, ମୋ ପାରିବାରିକ ଉଦ୍‌ବିଗ୍ନ ଉଛୁଳା ନଈର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ବିନୋଦ ବାବୁ ।

 

ମୋ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଯେ ସେ ମୋତେ ବିବାହ କରିଛନ୍ତି, ତାହା ଏକାନ୍ତ ସତ୍ୟ । କିନ୍ତୁ ମୁଁ ତାଙ୍କ ସୁଦାମ ସୌଷ୍ଠବ ଚେହେରାରେ ଭଳି ତାଙ୍କୁ ବିବାହ କରି ନାହିଁ । ବାପା ଆଡ଼ଭୋକେଟ୍‌ ଶ୍ରୀ ତ୍ରିନାଥ ପଟ୍ଟନାୟକଙ୍କ ଏକମାତ୍ର ସନ୍ତାନ ରୂପେ ମୁଁ ଅତି ଅଲିଅଳି ଥିଲି । ମୋ ବିବାହ ପାଇଁ ସେ ମୋ ମତାମତ ଚାହିଁଥିଲେ ଓ ନିର୍ଦ୍ଦିଷ୍ଟ କରି ଗୌରସୁନ୍ଦର ବାବୁଙ୍କୁ ହିଁ ସେ ପସନ୍ଦ କରିଥିବାରୁ ମୁଁ ବିରୋଧ କଲି ନାହିଁ ।

 

ମୋର ଧାରଣା ଥିଲା ଗୌରସୁନ୍ଦର ଜଣେ ସୁଶ୍ରୀ ଶିକ୍ଷିତ ଯୁବକ । ତାଙ୍କଠାରେ ଆଧୁନିକ ମନ ଓ ରୁଚି ନିଶ୍ଚୟ କାମ କରୁଥିବ । ସେ କେବେହେଲେ ଜଣେ ବ୍ୟତିକ୍ରମର ବ୍ୟକ୍ତି ହୋଇ ନ ଥିବେ । କିନ୍ତୁ ସେ ଧାରଣା ମୋର ଭୁଲ୍‍ ହୋଇଗଲା । ତାଙ୍କ ହାତ ଧରିବା ପରେ ତାଙ୍କ ମନର ଅସଲ ରୂପକୁ ମୁଁ ଦେଖିବାକୁ ପାଇଲି ।

 

ସେ ଏସ୍‌.ଡି.ଓ. । ସମ୍ମାନାସ୍ପଦ ବ୍ୟକ୍ତି । ଚକ୍ଷୁ ତାଙ୍କର ନ୍ୟୂନଠାରୁ ଆହୁରି ଊର୍ଦ୍ଧ୍ୱରେ । ଅଥଚ ସେ ମୋତେ ପହିଲି ଗୋଡ଼ାରୁ ସନ୍ଦେହ କରିବାରେ ଲାଗିଲେ । ସନ୍ଦେହର ମୂଳ କାରଣ ଥିଲା ସଙ୍ଗୀତ ।

 

ପିଲାଦିନୁ ମୁଁ ସଙ୍ଗୀତପ୍ରିୟ ଥିଲି । କଣ୍ଠସଙ୍ଗୀତ ଆବୃତ୍ତି କରିବାକୁ ମୋତେ ଭାରି ଭଲ ଲାଗେ । ସେଥିଲାଗି ବାପା ଗୋଟିଏ ପିଆନୋ ମୋ ଲାଗି କିଣି ଦେଇଥିଲେ । ତାହା ଯୌତୁକ ସ୍ୱରୂପ ମଧ୍ୟ ମୁଁ ଆଣିଛି । ସେତିକିବେଳେ ଅଞ୍ଜନା ଗୀତ ଗାଇ ମୋତେ ଶୁଣାଇବାକୁ ଇଚ୍ଛା କରିବାରୁ ମୁଁ ନାରାଜ ହେଲି । କାରଣ ମୋଠାରୁ ଲଜ୍ଜା ଛାଡ଼ି ନ ଥିଲା । ତେଣୁ ତାଙ୍କ ମନ ରକ୍ଷା କରିବାକୁ ଯାଇ ମୁଁ କହିଲି, ଆପଣ ଆଜି ପାଇଁ ସେ ପ୍ରୋଗ୍ରାମ ସ୍ଥଗିତ ରଖନ୍ତୁ । ଅନ୍ୟ କେଉଁ ପର୍ବ ପର୍ବାଣୀ ଉପଲକ୍ଷ୍ୟେ ସେଭଳି ଆନନ୍ଦରେ ଭାଗ ନେବା । ମୋ ଉତ୍ତରରେ ଅଞ୍ଜନାଙ୍କ ମନର ଆଗ୍ରହରେ ଯେ ସ୍ଫୀତି ଘଟିଲା, ତାହା ମୁଁ ମୋଟେ ଅନୁଭବ କରି ପାରିଲି ନାହିଁ । ବରଂ ସେ ମୋତେ ହସି ହସି ବିଦାୟ ଦେଇଥିଲେ । ଆଉ କହିଥିଲେ, ଆପଣ ଆମ ବସାକୁ ବୁଲି ଆସିବା ପାଇଁ କେବେହେଲେ ମନରେ ସଙ୍କୋଚକୁ ସ୍ଥାନ ଦେବେ ନାହିଁ । ମୁଁ ଚାହେଁ ଖୋଲା ଆକାଶର ବିହଙ୍ଗ ବିହଙ୍ଗୀ ଭଳି ମୁକ୍ତ ମନ ପ୍ରାଣରେ ଉଡ଼ି ବୁଲିବାକୁ । ସେତିକି ମାତ୍ର ସ୍ୱାଧୀନ ମଣିଷ ଲାଭ କରିବାକୁ ହକଦାର ।

 

ମୁଁ ଚାଲି ଆସିଥିଲି । ତହିଁ ଆର ଦିନ ଯେ ତାଙ୍କ ବସାକୁ ଯିବି ସେମିତି କିଛି ରୁଟିନ୍‌ ତିଆରି କରି ନ ଥିଲି । ଇଚ୍ଛା ନ ହେଲାରୁ ସେଦିନ ଅପାର ପିଲାଙ୍କ ସହିତ ମଜ୍ଜା କରି ରହିଗଲି । ନୂଆ ନୂଆ ପରିଚୟ କିମ୍ବା ଭାବ ଲାଗିଲେ ମନ ସହଜେ ଉଡ଼ି ବୁଲିବା କଥା । ଅନ୍ୟ କୌଣସି ଗୋଟିଏ ଜାଗାରେ ଥୟ ହୋଇ ରୁହେ ନାହିଁ । କିନ୍ତୁ ମୁଁ ଅଞ୍ଜନାଙ୍କ ସ୍ପୃହା ଓ ଆଗ୍ରହର ତୋଷାମଦକାରୀ ହେବାକୁ ଇଚ୍ଛୁକ ନ ଥିଲି ।

 

ଦିନେ ଗଲା, ଦୁଇ ଦିନ ଗଲା । ତିନି ଦିନ ବେଳକୁ ଏସ୍‌.ଡି.ଓ.ଙ୍କ ବୟେ ମୋତେ ଡାକି ଆସିଲା । କହିଲା, ଆପଣଙ୍କୁ ମା ଡକାଇ ପଠାଇଛନ୍ତି । ଆପଣ ଚଞ୍ଚଳ ଯିବେ । ଜରୁରୀ କାମ ଅଛି-

 

ଅଞ୍ଜନା ଏସ୍.ଡି.ଓ.ଙ୍କ ସ୍ତ୍ରୀ । ସହରର ଜଣେ ସମ୍ମାନିତ ମହିଳା । ତେଣୁ ତାଙ୍କ ନିମନ୍ତ୍ରଣକୁ ଏଡ଼ାଇ ଦେବା ଠିକ୍‌ ନୁହେଁ । ବୟେ ପଛେ ପଛେ ମୁଁ ଯାଇଁ ତାଙ୍କ ଘରେ ପହଞ୍ଚିଗଲି ।

 

ମୋ ଅପେକ୍ଷାରେ ଅଞ୍ଜନା ଥିଲେ । ଖାଲି ନୀରବରେ ବସି ନ ଥିଲେ । ସେ ଏକ ମନୋରଞ୍ଜନ ପକ୍ରିୟାରେ ରତ ଥିଲେ । ତାଙ୍କ ପ୍ରିୟ ପିଆନୋର ଲିଡ଼୍‌ ଦେହରେ ହସ୍ତ ଚାଳନା କରୁଥିଲେ ସେ ।

 

ସ୍ୱର ଝଙ୍କାର କକ୍ଷର ମଧ୍ୟରୁ ପ୍ରତିଧ୍ୱନିତ କରି ବହିଃପ୍ରକୃତି ମଧ୍ୟରେ ପ୍ରତିଧ୍ୱନିତ କରୁଥିଲା-। ଅଞ୍ଜନା ଗାନ କରୁଥିଲେ ଏକ ବିରହ ସଙ୍ଗୀତ । ଏକ ମର୍ମଦାହର ଉନ୍ମେଷ, ଚକୋରୀର ଚିନ୍ତା ଏକାନ୍ତ ନିର୍ଜ୍ଜନ ଭାବେ ସମ୍ବାଦ ବହନ କରି ଆଣୁଥିଲା ସେହି ଗୀତର ।

 

ମୁଁ ଧୀରେ ଧୀରେ ପଦ ଚାଳନା କରି କକ୍ଷରେ ପ୍ରବେଶ କରୁଥିଲି । ଜାଣିଶୁଣି ଅଞ୍ଜନା ମୋ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ ନାହିଁ । ତାହା ବୁଝିପାରି ମୁଁ ତାଙ୍କ ପାର୍ଶ୍ୱରେ ସମାଗତ ହେଲି ।

 

ତଥାପି ସେ ବାହାନାର ଆବରଣକୁ ଉନ୍ମୋଚନ କରୁ ନ ଥିଲେ । ମୁଁ ଅନୁଭବ କରିପାରି ଥିଲି ତାଙ୍କ ଇଙ୍ଗିତ । ତାଙ୍କ ଲକ୍ଷ୍ୟ । କିନ୍ତୁ ତାଙ୍କୁ ବଳି ଯିବା ପାଇଁ ମୁଁ କହିଲି, ଆପଣଙ୍କ ନିକଟରେ ମୁଁ ଆସି ଅନେକ ବେଳୁ ଠିଆ ହେଲିଣି । ଅଥଚ ଆପଣ ମୋତେ ପଲକଟିଏ ପକାଇ ଦେଖି ପାରିଲେ ନାହିଁ । ଆପଣ କେଉଁ ଜରୁରୀ କାମ ପାଇଁ ଡକାଇ ଥିଲେ ଶୁଣେ ?

 

ତାଙ୍କ ମୋଡ଼ର ମୁଁ ହେଲି ବ୍ରେକ୍‌ । ମୋ ମିନି ଆକ୍ଷେପରେ ସେ ଗୀତ ବନ୍ଦ୍‌ କରି ଦେଇଥିଲେ । ଆଉ ମୋ ପ୍ରତି ପ୍ରତିବାଦର ସଂଳାପ ପ୍ରୟୋଗ କରି ସେ କହିଲେ, ଆପଣ ମୋଟେ ମତବାଦର ମଣିଷ ନୁହନ୍ତି । ପାଠ ଶାଠ ପଢ଼ି ଜଣେ ଇଞ୍ଜିନିୟର ହେବାକୁ ବସିଲେ, ତେବେ ବି ଆପଣଙ୍କଠାରେ ଆଧୁନିକତାର ଢଙ୍ଗରଙ୍ଗ ବା ରୁଚି କିଛି ପ୍ରବେଶ କଲା ନାହିଁ । ଆଉ କ’ଣ ସଂସାର କଲା ପରେ ତାହା ସବୁ ପଶିବ ?

 

ମୁଁ ଅଞ୍ଜନାଙ୍କ ଉଦ୍ଦେଶ୍ୟ କିଛି ବୁଝି ନ ପାରିବାରୁ ଆଶ୍ଚର୍ଯ୍ୟରେ ତାଙ୍କ ମୁହଁକୁ ଖାଲି ଚାହିଁଲି । ସେ ମଧ୍ୟ ତଦନୁସାରେ ବିଦ୍ରୂପର ହସଚ୍ଛଟା ମୁହଁରେ ଖେଳାଇ ବସିଥିଲେ । ଆଉ ଇଙ୍ଗିତପୂର୍ଣ୍ଣ ବାକ୍ୟରେ କହିବାକୁ ଲାଗିଥିଲେ, ଏ ଯୁଗର ମଣିଷ ହୋଇ ବି ଆପଣ ଅନାଡ଼ୀ । ଆବ୍‌ଷ୍ଟ୍ରାକ୍ଟ ନୁହଁନ୍ତି କି କଂକ୍ରିଟ୍‌ ନୁହନ୍ତି । ସେ କିନ୍ତୁ ସବୁଦିନ ପାଇଁ ପୂରାପୂରି କଂକ୍ରିଟ୍‌ ହୋଇ ରହିଗଲେ । ମୋ ସଂସ୍ପର୍ଶରେ ନରମ ହୋଇ ପାରିଲେ ନାହିଁ ।

 

ତେବେ ସୁଦ୍ଧା ସେ ମୋତେ ଦୁର୍ଗମ୍ୟ ଅରଣ୍ୟ ଭଳି ବୋଧ ହେଲେ । ମୁଁ ତାଙ୍କୁ ଫ୍ରି ଫ୍ରାଙ୍କ୍‌ ହେବାକୁ ନିର୍ଦ୍ଦେଶ ଦିଅନ୍ତେ, ସେ ପ୍ରଥମେ ଗାନ କରିଥିବା ଗୀତର ମର୍ମ ବୁଝାଇଥିଲେ । ଚକୋରୀ ପରି ସେ ସଂଧ୍ୟା ଆସିଲେ ପ୍ରଭାତ ପର୍ଯ୍ୟନ୍ତ ସେ ସବୁ ଦିନେ କାନ୍ଦନ୍ତି । ତାଙ୍କ କାନ୍ଦ କେହି ଦେଖି ପାରନ୍ତି ନାହିଁ, କି ଶୁଣିବାକୁ ସୁଯୋଗ ପାଆନ୍ତି ନାହିଁ । ଅଭିଶପ୍ତା ହୋଇ ବିରହ ସଙ୍ଗୀତ ଗାନ କରିବାରେ ହିଁ ସେ କେବଳ ଅବଶୋଷର ଶୋଷକୁ ସନ୍ତୁଷ୍ଟ କରିଥାନ୍ତି ।

 

ତାଙ୍କ ଗୀତ ଆବୃତ୍ତିକୁ ନଷ୍ଟ କରି ଥିବାରୁ କାରଣ ସହ ସେ ଆପିଲ୍‌ ଦାଖଲ କରୁଥିଲେ ମୋ ମନରେ । ବିରହିଣୀ ଯିଏ ବିରହ ସଙ୍ଗୀତ ଛଡ଼ା ବା ଆଉ କ’ଣ ବୋଲିବାକୁ ଭଲ ପାଆନ୍ତା ।

 

ଯୁକ୍ତିରେ ଅବଶ୍ୟ ମୁଁ ପ୍ରୀତ ହୋଇ ପଡ଼ୁଥିଲି । କିନ୍ତୁ ମୋତେ ଲାଗୁଥିଲା ତାଙ୍କଠାରୁ ପ୍ରଣୟ ସମ୍ବନ୍ଧୀୟ ପ୍ରବନ୍ଧ ଶ୍ରବଣ କରିବାକୁ । କାରଣ ସେ ମୋଠାରୁ ବୟସରେ ବଡ଼, ପୁଣି ବିବାହିତା ନାରୀ । ମୁଁ କନିଷ୍ଠ ଯୁବକ, ଆଉ ଅବିବାହିତ । ସେପରି ସ୍ଥଳେ ଜୀବନ ଯୌବନର ପରିମିତି ମନ ଭାବନାରେ ସର୍ଭେ ହେବା ଅଶୋଭନୀୟ ନୁହେଁ କି ?

 

ଅଞ୍ଜନାଙ୍କ ଚିନ୍ତନର ସରସତା ଭାଙ୍ଗି ମୁଁ ତାହାହିଁ କହିଥାନ୍ତି । କିନ୍ତୁ ପ୍ରତିବାଦ କରିବାକୁ ପଛେଇ ଗଲି । ପୂର୍ବପରି ସରମ ଲାଗିଲା । ଲଜ୍ଜା ବୋଧ ହେଲା । ଶୀତ ସକାଳର ମଣିଷ ଯେମିତି ଶୀତଳତାର ଆଶଙ୍କାରେ ଆବରଣ ଢାଙ୍କି ସଙ୍କୁଚିତ ହୋଇଥାନ୍ତି, ମୁଁ ସେମିତି ସରମର ଶୀତ ବାୟୁରେ ସଙ୍କୁଚିତ ହୋଇ ପଡ଼ିଲି ।

 

ମୋତେ ମୁହୂର୍ତ୍ତେ ମାତ୍ର ଅବସର ଦେଉ ନ ଥିଲେ ଯୁକ୍ତି କରିବାକୁ । ମୋତେ ଆସନ ଦେବା ପରେ ସେ କହିଲେ, ଆପଣ ମୋର ସାଥୀ ହେବା ଅତୀବ ଗୌରବର କଥା । କାରଣ ମୋ ସ୍ୱାମୀଙ୍କ ପରି କଂକ୍ରିଟ୍‌ ମଣିଷ କୌଣସି ଲୋକକୁ ଆଦର କରନ୍ତି ନାହିଁ ।

 

ବାପାଙ୍କ ପସନ୍ଦକୁ ପ୍ରତ୍ୟାଖ୍ୟାନ ନ କରି ମୋତେ ହାତ ଧରିବାକୁ ହୋଇଥିଲା ଗୌରସୁନ୍ଦରଙ୍କର । ମଥାରେ ସିନ୍ଦୂର, ଟୋପି ଟୋପି ଚନ୍ଦନ ନାଇ, ମୁଁ ଯେତେବେଳେ ବାପାଙ୍କଠାରୁ ଶେଷ ମେଲାଣି ଆଣିଥିଲି, ବାପା ମୋତେ ଆଶୀର୍ବାଦ କରି କହିଥିଲେ, ତୋ ଭାଗ୍ୟ ମା । ମୋ ଦେଖିବା, ଚାହିଁବାରେ ତୁ ଯେପରି ଦୋଷାରୋପ ନ କରୁ ।

 

ଲୁହ ଛଳ ଛଳ ହୋଇ ଉଠିଥିଲା ମୋ ଆଖି ଦୁଇଟି । ମନେ ମନେ ଭାବିଥିଲି, ଏତେ ଦିନ ଧରି ବାପାଙ୍କ ସହିତ ରହି ଆସିଥିବା ସ୍ନେହର ଡୋରୀ ଯାହା ପାଇଁ ଛିଣ୍ଡିଗଲା, ସେ କ’ଣ ମୋ ମନର ପ୍ରକୃତ ଯୋଗସୂତ୍ର ରକ୍ଷା କରି ପାରିବେ ? ସେଇ ଦିନର ଶୁଭ ଅନୁକୂଳରେ ତାହାହିଁ ଚିନ୍ତା କରି ମୁଁ ପାଦ ଦେଇଥିଲି ଶାଶୁଘରେ । ଶାଶୁ ଶ୍ୱଶୁର ମୋର ଅତି ଅମାୟିକ ମଣିଷ । ସେମାନେ ମୋତେ କୁଳବଧୂ ରୂପେ ପାଇ ଆନନ୍ଦିତ ହେଲେ । କାରଣ ଗୌରସୁନ୍ଦର ହେଉଛନ୍ତି ତାଙ୍କର ଏକମାତ୍ର ସନ୍ତାନ ତଥା କୁଳଦୀପ । ମୁଁ ବୋହୂ ସାଜିଲି, ସେମାନଙ୍କର ସେବା କଲି । ସେମାନେ ପ୍ରୀତ ହୋଇ ମୋର ପ୍ରଶଂସା କରିବାରେ ଲାଗିଲେ । କିନ୍ତୁ ଦଇବ ସହି ପାରିଲା ନାହିଁ ସେମାନଙ୍କ ଯୋଜନା । ସେମାନେ କାଳର ଶିକାର ହେଲେ । ଅକାଳରେ ହେଲା ସେମାନଙ୍କ ମୃତ୍ୟୁ । ମାତ୍ର ଦୁଇମାସର ବ୍ୟବଧାନ ମଧ୍ୟରେ ଶାଶୁ ଶ୍ୱଶୁର ଆମ ସଂସାରରୁ ଚିର ବିଦାୟ ନେଇ ଚାଲିଗଲେ । ବଗ ବଗୁଲୀ ପରି ଆମେ ରହିଲୁ ଦୁଇ । ପାରିବାରିକ ପରିସ୍ଥିତି ଯୋଗୁଁ ଗୌରସୁନ୍ଦର ଚାହିଁଲେ ଯେ ଆମେ ସବୁଦିନ ପାଇଁ ସହରରେ ରହିବୁ-। ତେଣୁ ଆମେ ମଫସଲ ଛାଡ଼ି ସହରକୁ ଚାଲି ଆସିଲୁ ।

 

ସେଇ ସହରଟି ଥିଲା ମୋର ଅତି ଚିହ୍ନା ଜଣା । ପିଲାଦିନେ ତାରି ବକ୍ଷ ଉପରେ ନାଚି କୁଦି, ହସି ଖେଳି କଟେଇ ଆସିଥିଲି । ସେଇଠି ବହି ଯାଇଥିଲା ମୋ ପ୍ରଥମ ତାରୁଣ୍ୟର ବନ୍ୟା । ସଙ୍ଗୀତର ସ୍ରୋତରେ ଅନେକ ଶ୍ରୋତା ଆକର୍ଷଣର ଅଭିନନ୍ଦନ ତୋଳି ବସୁଥିଲେ । ବିଶେଷତଃ ଏଇ ମୋର ପିଆନୋ ଖଣ୍ଡିକ–ଏଇ ମୋ ଆଦରର ମଣି–ମୋତେ କେତେ ଯେ ପ୍ରଶଂସାରେ ଡୁବେଇ ଦେଇଛି ତା’ର କଳନା ନାହିଁ ।

 

ମୁଁ ବାଇଛି, ପୁଣି ଗାଇଛି । ମନଭରି ମୋ କଣ୍ଠରେ ଈଶ୍ୱର ଦାନ କରିଛନ୍ତି ବସନ୍ତର ସ୍ପର୍ଶ-। ହସି ହସି ଦିନ ବିତେଇଲା ବେଳେ ଭବିଷ୍ୟତ ପାଇଁ କେବେହେଲେ ଦୁର୍ଦ୍ଦିନର ସ୍ୱପ୍ନ ଦେଖି ନାହିଁ ।

 

ଉନ୍ମାଦିନୀ ହୋଇ ଉଠୁଥିଲି । ମୋ ଉନ୍ମାଦନାର ଜୁଆର ଉତ୍‌ଫୁଲ୍ଲିତ ହୋଇ ଉଠୁଥିଲା । କାମନାର ଅନନ୍ତ ସାଗରରେ ମିଳେଇ ଯିବା ଥିଲା ତା’ର ଲକ୍ଷ୍ୟ ।

 

କିନ୍ତୁ ମୋପରି କଳ୍ପନା ହିଁ କେବଳ ପରିକଳ୍ପନାରେ ରହିଗଲା । ବିବାହର ଅମାବାସ୍ୟାରେ ସ୍ଫୀତି ଘଟିଲା ସେଇ ଜୁଆରର । ସେଇ ପରିଚୟର ସହରରେ ଯେଉଁମାନେ ମୋତେ ପୁନଃ ଉପଲବ୍‌ଧି କରିବାରେ ଆନନ୍ଦିତ ହୋଇ ପଡ଼ିଲେ, ସେମାନେ ଏଇ କଂକ୍ରିଟ ବ୍ୟକ୍ତିଙ୍କର ଚାପରେ ଆଘାତ ପ୍ରାପ୍ତ ହୋଇ ଫେରିଗଲେ । ଗୌରସୁନ୍ଦର ବାବୁ ମୋତେ ସନ୍ଦେହ କରି ମୋ ଲାଗି ଫାଟକ ବନ୍ଦ କରି ଏକ ଜଗୁଆଳି ରଖିଲେ । ମୋ ପାଖକୁ ଯେପରି କୌଣସି ବାହାର ବ୍ୟକ୍ତି ନ ଆସନ୍ତୁ ।

 

ମୁଁ ନିର୍ଜନ ଅବସ୍ଥାରେ ରହିଲି । ଦିନେ ନୁହେଁ, ମାସେ ନୁହେଁ; ବର୍ଷ ତିନିଟା ମୋତେ ସେଇଭଳି ବନ୍ଦିନୀ ଭାବେ ରହି କଟେଇବାକୁ ପଡ଼ିଲା । ସେଇ ସମୟରେ ମଧ୍ୟ ମୁଁ କମ୍‌ ତାଙ୍କର ହେବାକୁ ଚେଷ୍ଟା କରି ନାହିଁ । ହେଲେ ସେ ଭଲା କାଇଁ ତାଙ୍କ ଫର୍ମ ବଦଳେଇବେ !

ତିନି ବର୍ଷ ଭିତରେ ମୁଁ ଅବଶ୍ୟ ତାଙ୍କୁ ଛିଗୁଲେଇ କମ୍‌ କଥା କହି ନାହିଁ । ବିଶେଷ କରି ମୋ ନିଷ୍ଫଳ ମାତୃତ୍ୱକୁ ଉପଲକ୍ଷ୍ୟ ଦେଇ ତାଙ୍କ ପୁରୁଷକାରକୁ ନିନ୍ଦା କରିଥିବି । ତଥାପି ସେ ସେଇ ଭଳି ନିଷ୍ଠୁର ହୋଇ ରହିଲେ । କିନ୍ତୁ ଦଇବ ତାଙ୍କ ପାଇଁ ଏତେ ବିଚାରଶୀଳ ଯେ ତିନି ବର୍ଷ ପରେ ମୁଁ ହେଲି ଗର୍ଭବତୀ । ମୋ ଗର୍ଭରେ ଏଇ ଝିଅ କାନ୍ତା ରହିଲା ।

ସୁରୁଖୁରୁରେ କାନ୍ତା ଭୂମିଷ୍ଠ ହେବା ପରେ ପରେ ଆମେ ଏତେ ଅମରମତ୍ତା ହୋଇ ଉଠିଲୁ ଯେ, ତାଙ୍କ ସଂସ୍ପର୍ଶରେ ମୁଁ ଆଉ ଏକ ଗର୍ଭର ଅନୁମାନ କରିନେଲି । ଫଳରେ ତାହାହିଁ ସତ୍ୟ ହେଲା । କିନ୍ତୁ ଗୌରସୁନ୍ଦର ବାବୁ ମୋ ପରାମର୍ଶକୁ ବିରୋଧ କରି ସେଇ ସମୟରେ ଜନ୍ମ ନିରୋଧ ଅପରେଶନ୍‌ କରିଦେଲେ । ସେ ଭାବିଥିଲେ ଯେ, ତାଙ୍କ ଅନ୍ତର୍ଦୃଷ୍ଟି ଠିକ୍‌ । ହେଲେ ଭଗବାନ ତାହା ପରିପୂରଣ କଲେ ନାହିଁ । ପରିବାର କଲ୍ୟାଣ ଦୃଷ୍ଟିରୁ ଦୁଇଟି ସନ୍ତାନ ଯଥେଷ୍ଟର ପରିକଳ୍ପନା ନଷ୍ଟ ହୋଇଗଲା । ଦ୍ୱିତୀୟ ଗର୍ଭସ୍ଥ ସନ୍ତାନ ଭୂମିଷ୍ଠ ହେବା ସଙ୍ଗେ ସଙ୍ଗେ ଦୁନିଆର ଆଲୋକ ଦେଖି ପାରିଲା ନାହିଁ । ଫଳରେ ଆମେ ଦୁହେଁ ବେଶି ମ୍ରିୟମାଣ ହୋଇ ପଡ଼ିଲୁ । ଝିଅଟିଏ ପରେ ପୁଅଟିଏ ହେବାର ଆଶା ବହନ କରିଥିଲି ମୁଁ । ମା ମନ ଏଭଳି ନିଷ୍ଫଳତାକୁ ବା କିପରି ସହ୍ୟ କରିଥାନ୍ତା !

ସେଇଦିନଠାରୁ ମୁଁ ଭାଙ୍ଗିପଡ଼ିଲି ଓ ଗୌରସୁନ୍ଦରଙ୍କ ବୁଦ୍ଧି ବୃତ୍ତି ଓ ପୁରୁଷକାରକୁ ପ୍ରତି ପଦେ ପଦେ ଆଘାତ ଦେଇ ଚାଲିଲି ।

ଅଞ୍ଜନାଙ୍କଠାରୁ ଏଇ ସମ୍ବନ୍ଧରେ ମୁଁ ଯାହା ଶୁଣିଲି, ଗୌରବାବୁ ମଧ୍ୟ ବିଶଦ୍‌ ଭାବେ ମୋତେ ତାହାହିଁ କହିଥିଲେ । ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା ଯେ ଅଞ୍ଜନାଙ୍କ ପ୍ରତି ସତର୍କତା ଅବଲମ୍ବନ କରିବା । ମୋଠାରେ ତାଙ୍କର ପୂରାପୂରି ବିଶ୍ୱାସ ଜନ୍ମି ଯାଇଥିଲା । ସେ କହିଲେ, ଶୃଙ୍ଖଳତାର ଆବଦ୍ଧ ମଧ୍ୟରେ ଅଞ୍ଜନାଙ୍କୁ ବାନ୍ଧି ରଖି ମୁଁ ତାଙ୍କଠାରେ ଅନେକ ପରିବର୍ତ୍ତନ ଆଣି ପାରିଛି । ମୁଁ ଯଦି ତାଙ୍କ ସ୍ୱେଚ୍ଛାଚାରିତା ପ୍ରତି ଆଗରୁ ସଚେଷ୍ଟ ହୋଇ ନଥାନ୍ତି, ତେବେ ହୋୟାଂହୋ ନଦୀର ଗତି ପରିବର୍ତ୍ତନ ଚୀନ ପ୍ରତି ଯେମିତି ଦୁଃଖର କାରଣ ହୋଇଛି ତାହା ମୋ ପକ୍ଷେ ହେବା କିଛି ଅସମୀଚୀନ ହୋଇ ନଥାନ୍ତା । ଅଞ୍ଜନାଙ୍କ ପ୍ରତିଟି ଭାବଭଙ୍ଗୀ ଅତ୍ୟନ୍ତ ପ୍ରଖର ଓ ସ୍ରୋତମୁଖର-। ଉଦାସୀନତାର ମନ ନେଇ ସେ କୂଳରେ ଥରେ ଯେ ଚାହିଁ ରହିଛି, ତା’ର ସତ୍ତା ବିପଦଗାମୀ ହେବାର ଆଶଙ୍କା ସୁନିଶ୍ଚିତ ।

 

ଅଞ୍ଜନା ପତିକୁ ପତି ଭାବେ ଦେଖି ନାହାନ୍ତି । ଦେଖିଛନ୍ତି ସଭ୍ୟତାର ସାଜ ରୂପେ । ପିପାସାର ବ୍ୟଞ୍ଜକ ରୂପେ । ସ୍ୱାମୀକୁ ଦେହର ସଙ୍ଖାଳି କରି ଅନ୍ୟ ପୁରୁଷଙ୍କୁ ତୃଷ୍ଣାର ଜଳ ରୂପେ ବ୍ୟବହାର କଲେ କ୍ଷତି କ’ଣ ?

 

ଆଜିକାଲି ସିନ୍ଦୂର ନାଇବା ଫେସନ । ସ୍ଲିଭଲେସ୍‌ ବ୍ଲାଉଜ ପିନ୍ଧିବା ମଧ୍ୟ ଫେସନ । ଆଉ ଯେତେ ଯେତେ ନୂଆ ଷ୍ଟାଇଲ ସର୍ବାଧୁନିକ ବୋଲି ପରିପ୍ରଚାର ହେଉଛି ସେସବୁ ମଧ୍ୟ ଫେସନ । ଅଞ୍ଜନା ଫେସନକୁ ଅନ୍ୟ ଦୃଷ୍ଟିରୁ ଆକର୍ଷଣ ନିମନ୍ତେ ଆଦର କରନ୍ତି । ମୂଲ୍ୟାଙ୍କନ କରନ୍ତି । ଆଉ କୁହନ୍ତି କୃତ୍ରିମ ଫେସନକୁ ଦେଖି ଦୂରରୁ ଭ୍ରମରମାନେ ଝାସ ଦେବା କିଛି ଅସମୀଚୀନ ନୁହେଁ ।

 

ଗୌରସୁନ୍ଦର ମୋତେ କହୁଥିଲେ, ଅଞ୍ଜନାଙ୍କୁ ମୁଁ ପ୍ରତି କ୍ଷଣରେ ସେଇ ଫେସନ ଲାଗି ସମାଲୋଚନା କରୁଥିବାରୁ ମୁଁ ହେଉଛି ତାଙ୍କର ଚକ୍ଷୁଶୀଳ । ମୋତେ ଲମ୍ବା କଲି ରଖି ଆସିଲା ନାହିଁ-। ମୋତେ ନାଇଟ୍‌ ଗାଉନ୍‌ ପିନ୍ଧି ଆସିଲା ନାହିଁ । ମୋର ଏଇ ବାଟା ସୁ ଛଡ଼ା ପଏଣ୍ଟେଡ୍‍ ସୁ ନାହିଁ । ଗଗ୍‌ଲସ୍‌ ପିନ୍ଧିବାକୁ, ଚିପା ପ୍ୟାଣ୍ଟ ଓ ରକ୍‌ କଟ୍‌ ହାଓ୍ୱାନି ପରିଧାନ କରିବାକୁ ମେତେ ଭଲ ଲାଗିଲା ନାହିଁ । ସେଥିପାଇଁ ମୁଁ ତାଙ୍କ ଆଖିରେ ହେଲି ଘୃଣାର ପାତ୍ର । ଅଥଚ ସେ ତାଙ୍କ ଫେସନର ତାରିଫ୍‌ ମୋ ନିକଟରୁ ଶୁଣିବାକୁ ଚାହୁଁଥିଲେ । ଯାହାକି ଅନାଗ୍ରହର ସହ ମୁଁ ମନ୍ତବ୍ୟ ଦେଉଥିଲି ।

 

ଅଞ୍ଜନା କହିଲେ, କେବଳ ଯେ ତାଙ୍କ ସ୍ୱାମୀ ସାଧାରଣ ଓ କ୍ଷୁଦ୍ର କ୍ଷୁଦ୍ର ଫେସନକୁ ନିନ୍ଦା କରୁଥିଲେ, ତା’ ନୁହେଁ । ୟୁରୋପରେ ସର୍ବାଧୁନିକ ଫେସନର ଏରୋ ହେୟାର ଡୁକୁ ମୁଁ ନିଜ କେଶରେ ସୁସଜ୍ଜିତ କରି ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିବାରେ ବି ସେ ବୀତସ୍ପୃହ ପ୍ରକାଶ କରୁଥିଲେ ।

 

ତାଙ୍କ ଲାଗି ମୁଁ ସମସ୍ତ ଭାବପ୍ରବଣତାକୁ ବଳିଦେଇ ବସିଲି । ସ୍ୱେଚ୍ଛାଚାର ମନୋବୃତ୍ତି ମୋଠାରେ ଯଦି କ୍ରମେ ଅନୁକ୍ରମେ ଅଙ୍କୁରିତ ହୋଇ ନ ଥାନ୍ତା, ତା’ହେଲେ ଜୀବନର ଗତିପଥ ବ୍ୟର୍ଥ ସାଧନାର ଧୂମିଳ ଅନ୍ଧକାର ମଧ୍ୟରେ ଅବରୁଦ୍ଧ ହୋଇ ନଷ୍ଟ ହୋଇ ଯାଇଥାନ୍ତା ।

 

ତେଣୁ ମୋ ନିଜ କଥା ମୁଁ ବୁଝିଲି । ସେ ମୋ ସ୍ୱାମୀ ହିସାବରେ ଯେତିକି ଗ୍ରହଣ କରିବାକୁ ଆଦର କରୁଥିଲେ, ସେତିକି ମୁଁ ତାଙ୍କର ହୋଇ କରୁଥିଲି । ସ୍ୱାମୀ ସ୍ତ୍ରୀ ହୋଇ ଏକ ଶଯ୍ୟାରେ ଦାମ୍ପତ୍ୟ ପ୍ରେମ ଚରିତାର୍ଥ କରୁ ନଥିବା ମଣିଷ ଦୁନିଆରେ ପ୍ରାୟ ବିରଳ । କିନ୍ତୁ ସେଥିପ୍ରତି ତାଙ୍କ ଭାବଭଙ୍ଗୀ ତାହାହିଁ ଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଖାଲି ପିଲା ଜନ୍ମକରି ବାପା କିମ୍ୱା ମା ବୋଲାଇଲେ କ’ଣ ଦାମ୍ପତ୍ୟ ଜୀବନରେ ସାର୍ଥକତା ଆସିଲା ବୋଲି କୁହାଯାଇ ପାରିବ ? ସେ ବୋଧହୁଏ ତାହାହିଁ ବୁଝନ୍ତି । ଆଉ ମୋତେ ଭଣ୍ଡେଇବାକୁ ଯାଇ କାନ୍ତାକୁ ପ୍ରତି ରାତିରେ ତାଙ୍କ କୋଳକୁ ସେ ଟାଣି ନିଅନ୍ତି ।

 

ତାହା ଦେଖି ମୁଁ, କାନ୍ତାକୁ ଦେଖେଇ ଶିଖେଇ କୁହେ, ହଉ ଲୋ ଝିଅ, ସେ କରଡ଼ା ଦାଢ଼ିଆର ଦାଢ଼ି ଘଷି ହୋଇ ତୋ ମୁହଁ ଯେବେ କୁଣ୍ଡେଇ ନ ହୋଇଛି ! ତାହା ଶୁଣି ସେ ଅବଶ୍ୟ ହସି ଦିଅନ୍ତି । ହେଲେ ସେ ହସରେ କୌଣସି ମୂଲ୍ୟ ନ ଥାଏ ।

 

ଏକ ଅଜବ ଲୋକ ସେ, ଯାହାଙ୍କୁ କି କୌଣସି ପ୍ରକାରରେ ପରିବର୍ତ୍ତନ କରିବା ସମ୍ଭବ ନୁହେଁ । ମୁଁ ସମୟର ପୂରବୀରେ ତାଳ ଦେଇ ଚାଲୁଥିଲି । ନିମନ୍ତ୍ରଣ କରିବାକୁ ଭଲ ପାଉଥିଲି ବାସର ବସନ୍ତକୁ । ଆଉ ସେ... ତାଙ୍କୁ ପ୍ରକୃତ ଚିତ୍ତଚୋର ସାଜି ଆସିଲା ନାହିଁ । ମୋ ଦୃଷ୍ଟିରେ ସେ ନିହାତି ଗୌଣ । ଏକ ଅସମାନ୍ତରର ମଣିଷ ।

 

ଆଉ ଦିନକୁ ତାଙ୍କ କଥା ଥାଉ ।

 

।। ୩ ।।

 

ଆଜି ନିମନ୍ତ୍ରଣ କରିବାର ଉଦ୍ଦେଶ୍ୟ ଆପଣ କେମିତି ବୁଝି ପାରିଲେ ନାହିଁ, ସେଥିପାଇଁ ମୁଁ ଆଶ୍ଚର୍ଯ୍ୟ ହେଉଛି । ହୁଏତ ଆପଣ ସେ ସକାଶେ ମୋତେ ନାନାଦି କ୍ରସ୍ ପ୍ରଶ୍ନ ପଚାରି ପାରିଥାନ୍ତେ । ପରଦିନ ଆପଣ ଅନେକ ରାତି ପରେ ଏଠାରୁ ଚାଲି ଯାଆନ୍ତେ, ମୁଁ କାନ୍ତାକୁ ନିଦରୁ ଉଠାଇ ଖାଇବାକୁ ଦେଲି । ସେ ନିଦ ମଳ ମଳ ଆଖିରେ ଖାଉ ଖାଉ ମୋତେ କହିଲା ମାମୀ, ଅଙ୍କଲ୍‌ ପ୍ରତିଦିନ ଆମ ଘରୁ ନ ଖାଇ ନ ପିଇ ଚାଲିଯିବାରେ ତୋ ମନକୁ ଟିକେ ଖରାପ ଲାଗୁନାହିଁ-? ଡାଡି ଶୁଣିଲେ କେତେ କ’ଣ ଗାଳି ନ ଦେବେ ?

 

ପିଲାଟିଏ ହେଲେ କ’ଣ ହେବ, କାନ୍ତାର ବୁଦ୍ଧି ଖୁବ୍‌ ସରସ । ତା’ ଚାଲାକ ଚତୁର ବୁଦ୍ଧି ସେ ସମୟରେ ପ୍ରୀତ କରି ଦେଉଥିଲା ଅନେକ ଚିହ୍ନାଜଣା ବଡ଼ଲୋକଙ୍କୁ । ବଡ଼ ମଣିଷଙ୍କ ମହତ୍‌ ବାଣୀକୁ ସେ ଆପଣା ହିତ ଦୃଷ୍ଟିରୁ ଗ୍ରହଣ କରୁଥିଲା । ମୁଁ ଅଞ୍ଜନାଙ୍କଠାରୁ କାନ୍ତାର ବିଚିତ୍ର ବୁଦ୍ଧି ସମ୍ବନ୍ଧରେ ଶୁଣି ଅତି ପ୍ରୀତ ହୋଇ ପଡ଼ିଲି । ଆଉ ତାକୁ ଗେଲ କରିବା ଉଦ୍ଦେଶ୍ୟରେ କୋଳେଇ ଆଣି କହିଲି, ବଡ଼ ହୋଇ ଶାଶୁ ଘରକୁ ଗଲେ ଏଇ ବୁଦ୍ଧି ଯେମିତି ରହିଥାଏ ।

 

କାନ୍ତା ଲାଜେଇ ଲାଜେଇ ଚାଲି ଯାଇଥିଲା । ସେଦିନ ସମାଗତ ସନ୍ଧ୍ୟା ଉପଲକ୍ଷେ ଅଞ୍ଜନା ମୋତେ ପ୍ରଥମେ ଚାହା ଜଳପାନରେ ଆପ୍ୟାୟିତ କରି କହିଥିଲେ, ଆପଣ ଭାବନ୍ତୁ ନାହିଁ ଯେ ଏହିଠାରୁ ନିମନ୍ତ୍ରଣ କାର୍ଯ୍ୟକ୍ରମ ମୁଁ ଶେଷ କରିଦେଲି ବୋଲି । ଆଜି ମୁଁ ଭିନ୍ନ ଭିନ୍ନ ସ୍ୱାଦର ପାଚନ ସ୍ୱହସ୍ତରେ ପ୍ରସ୍ତୁତ କରି ଆପଣଙ୍କୁ ପରଷିବି । ଦେଖିବେ, ମୁଁ କିଭଳି ପାଚିକା ।

 

ତା’ପରେ ଗୀତ, ବାଦ୍ୟରେ ଅତିବାହିତ ହୋଇଯିବ ଆଜିର ନିଃସଙ୍ଗ ନିଶିର ସମୟ । ସେ ନାହାନ୍ତି । ଆଉ ତାଙ୍କ ଅନୁପସ୍ଥିତିର ସୁବର୍ଣ୍ଣ ସୁଯୋଗକୁ ମୁଁ ମନଭରି ବିସ୍ମୃତ ଉଜାଣିରେ ଉପଭୋଗ କରିଯିବି । ସେଥିପାଇଁ ଆପଣ ହେବେ ସାରା ରାତିର ଅତିଥି । ଆପଣଙ୍କ ଅନୁପ୍ରେରଣା ହିଁ ହେବ ମୋ ତନୁ ମନର ପୁଲକିତ ବନ୍ୟା ।

 

ଅଞ୍ଜନାଙ୍କ କଥା ଶୁଣି ମୁଁ ଯେ କି ଉତ୍ତର ଦେବି, କିଛି ଭାବି ପାରିଲି ନାହିଁ । ଜଳଖିଆ ଖାଇସାରି ଚାହା ପିଉଥିବା ଅବସ୍ଥାରେ ମନକୁ ମନ ହସି ହସି ପଚାରୁଥିଲି, ପ୍ରମିଳା ରାଜ୍ୟର ରମଣୀମାନଙ୍କର ଅପଭ୍ରଂଶ ରୂପେ ଅଞ୍ଜନା ଏଠାରେ ଆବିର୍ଭୂତା ହୋଇଛନ୍ତି କି ? ମନ ଭିତରେ ଖାଲି ଉଙ୍କି ମାରୁଥିଲା ପ୍ରେମ; କିନ୍ତୁ ତାଙ୍କ ପ୍ରତି କୌଣସି ଆସକ୍ତି ଜନ୍ମୁ ନଥିଲା ।

 

କଲେଜରେ ପଢ଼ିଲା ପରେ ମୁଁ ଯେଉଁ ପ୍ରେମର ସ୍ୱପ୍ନ ଦେଖୁଥିଲି ତାହା ଝିଅମାନଙ୍କୁ ନେଇ । ଏକ ନିର୍ଦ୍ଦିଷ୍ଟ ବୟସର ପରିସୀମାରେ ପରିବର୍ଦ୍ଧିତା ହେଉଥିବା ଝିଅ ସବୁ ମନ ଢେଉରେ ଗୋଟିକ ପରେ ଗୋଟିଏ ଆସି ଲହଡ଼ି ଭାଙ୍ଗି ଯାଆନ୍ତି ।

 

କିନ୍ତୁ ଥରକ ପାଇଁ ହେଲେ ଜଣେ ବିବାହିତା ପତ୍ନୀ ସେଭଳି କଦର୍ଯ୍ୟ ଅବସ୍ଥାରେ ଦେଖାଯାଇ ନାହାନ୍ତି ।

 

ମୋତେ ଅନେକ ସମୟରେ ଅଞ୍ଜନା ପଚାରୁଥିଲେ, ତୁମେ ପ୍ରେମ ପଥରେ ଦୁର୍ବଳ, ନା ସବଳ । ମୁଁ ସେଥିର ଉତ୍ତର ଦେବା ପାଇଁ ସଙ୍କୋଚ ବୋଧ କରୁଥିଲି । କାରଣ ଜଣେ ଗଣ୍ୟାମାନ୍ୟା ଭଦ୍ରମହିଳାଙ୍କ ମୁହଁ ଉପରେ ମୋ ନିଜ ମନ୍ତବ୍ୟ ପ୍ରକାଶ କରିବା ଉଚିତ ମନେ କଲି ନାହିଁ ମୁଁ ।

 

କିଛିକ୍ଷଣ ମୋ ନୀରବତାକୁ ଲକ୍ଷ୍ୟ କରି ଉପହାସର ସଂଳାପ ଦେଇ ସେ କହିଥିଲେ, ନାରୀମାନେ ପୁରୁଷମାନଙ୍କ ଅପେକ୍ଷା ବେଶି ଲଜ୍ଜାଶୀଳା । ଅନ୍ତର ଖୋଲି ମୁଁ ମୋ କଥା କହି ପାରିଲି ଯେତେବେଳେ, ଆପଣ ସେ ସମ୍ୱନ୍ଧରେ ସଙ୍କୋଚ କରୁଛନ୍ତି କାହିଁକି ?

 

ଏତିକି କହି ଅଞ୍ଜନା ମୋଠାରୁ ଦୂରେଇ ଗଲେ ଓ ସାଙ୍ଗେ ସାଙ୍ଗେ କାନ୍ତାକୁ ଆଣି ମୋ କୋଳରେ ବସେଇ ଦେଲେ । ସେତେବେଳକୁ କାନ୍ତା ଆଖିରେ ନିଦ୍ରାଦେବୀ ଝାଙ୍କି ଆସୁଥାନ୍ତି । ତା’ପରେ ସେ ତାଙ୍କ ହାତ ପାପୁଲି ଦୁଇକୁ ଆଣି ମୋ ଗଣ୍ଡ ଦେଶରେ ଚାପିଦେଇ କହିଲେ, ଆପଣ ଏଇଭଳି କାନ୍ତାକୁ ଆଦର କରୁଥାନ୍ତୁ । ସେ ସସ୍ନେହ ଆଲିଙ୍ଗନରେ ସୁନିଦ୍ରାକୁ ବରଣ କରି ଆଣିବ । ରାତିରେ ତା’ର ଆଉ କିଛି ଖାଇବାର ଆବଶ୍ୟକତା ନାହିଁ । ସେ ଛେନା ପୋଡ଼ପିଠା ଖାଇଛି । ମଲାଇ କ୍ଷୀର ପିଇଛି ।

 

ସେତକ କହି ସେ ଚାଲିଗଲେ । ମୁଁ ତାଙ୍କ ହାତର ସ୍ପର୍ଶ ପାଇ ଟିକେ ଉତ୍ତେଜିତ ହୋଇ ପଡ଼ିଲି । ପ୍ରଥମ ନାରୀ ହାତର ସ୍ପର୍ଶ ଥିଲା ସେଇ କ୍ଷଣିକ । ସେ ଯେ ବାହାନାରେ ଭୂମିକା ରଚନା କରି ଦେଇଗଲେ, ତାହା ବୁଝିବାକୁ ବାକି ରହିଲା ନାହିଁ ମୋ ମନରେ । ହେଲେ ପରକୀୟା ପ୍ରୀତି ପରିଣାମରେ କି ଭୀଷଣ ନୁହେଁ ସତେ ! ଏପରିକି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ରାଧାଙ୍କ ପ୍ରେମରେ ଥୟ ହୋଇ ପାରିଲେ ନାହିଁ । ଆଉ ମୁଁ କିବା ଛାର ! ଅଶ୍ଳୀଳ ଭାବନାର ଜୁଆର ଉତ୍ତେଜନା ସାଗରର କୂଳ ଲଙ୍ଘି ମାଡ଼ି ଯିବାକୁ ଇଚ୍ଛା ହେଉଥିଲା । ଅଞ୍ଜନା ନ ହେଲେ ସୁଦ୍ଧା ପରିସୀମାର ପ୍ରେମ ମୋର ଦରକାର ।

 

ହେଲେ ସେ ସୁବିଧା ମୋ ପକ୍ଷରେ ଜୁଟିଲା ନାହିଁ । କାନ୍ତାର ବୃଥା ଶରୀରକୁ କୋଳରେ ଧରି ମୁଁ ଛଟପଟ ହେବାକୁ ଲାଗିଲି । ରାତି ସେତେବେଳକୁ ଦଶ । ପାକଶାଳାରୁ ଅଞ୍ଜନା ଖାଲି ବେଳେ ବେଳେ କୁହାଟୁଥାନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ ବିନୋଦ ବାବୁ । ଆଉ ଗୋଟିଏ ଆଇଟମ୍ ରହିଲା । ସେତକ ସରିଗଲେ, ପୁଣି ଗୋଟିଏ ସରିବା ଉପରେ ।

 

ଛୋଟ ଚାକର ପିଲାଟି ଅପେକ୍ଷା ସହ୍ୟ କରି ନ ପାରି ସେ କେଉଁ କଣରେ ଶୋଇ ପଡ଼ିଲାଣି । ଅଥଚ ଅଞ୍ଜନା ମୋତେ ଅତିଥି ଭାବି ମୋ ଚର୍ଚ୍ଚା କରିବାର ଆୟୋଜନରେ ଲାଗି ପଡ଼ିଛନ୍ତି ।

 

ତାଙ୍କ ଉଦ୍ଦେଶ୍ୟକୁ ନିର୍ଭୁଲ ଭାବେ ସମୟ କାର୍ଯ୍ୟକାରୀ କରି ଚାଲୁଥିଲା । ସେ ପାଚନ କ୍ରିୟା ଶେଷ କରିବା ସଙ୍ଗେ ସଙ୍ଗେ ସମଗ୍ର ସହରରୁ ବିଜୁଳିବତୀ ହଠାତ୍‌ ଲିଭିଗଲା । ବୋଧହୁଏ ବିଜୁଳି ପ୍ରକ୍ରିୟା ଫେଲ ହେଲା ବୋଲି ଆମେ ଧାରଣା କଲୁ । ଇତ୍ୟବସରେ ଅଞ୍ଜନା ମୋ ନିକଟ ଚାଲି ଆସିଲେ ଓ ମୋ କୋଳରେ ହାତମାରି କହିଲେ, ଆପଣ ବଡ଼ ହୁକୁମତ୍‌ ମାନିଲା ଲୋକ ମୁଁ ଦେଖୁଛି । ଏଡ଼େ ବଡ଼ ବୋଝଟାକୁ ଏତେ ସମୟ ଧରି କୋଳରେ ବୋହିଲେ କେତେ କଷ୍ଟ ନ ଲାଗିବ ଭଲା ! ଦିଅନ୍ତୁ ମୁଁ ନେଇ ତାକୁ ଖଟ ଉପରେ ଶୁଆଇ ଦେଇ ଆସେ ।

 

କାନ୍ତାକୁ ନେବା ଛଳରେ ଅଞ୍ଜନାଙ୍କ ହାତ ଯେ ଠିକ୍‌ ଜାଗାକୁ ସ୍ପର୍ଶ ନ କରି ଛାଡ଼ିଗଲା, ଏମିତି ନୁହେଁ । ସେ ହାତ କେବେହେଲେ ଛାଡ଼ି ଯିବାର ହାତ ନୁହେଁ । ସେ ହାତରେ କାଉଁରୀ ପରଶ ଅଛି । ସେ ହାତରେ କଅଁଳ ଉଷୁମ୍‌ ଅଛି । ସେ ହାତ ଥରେ ଯେଉଁ ଅଜଣା ପୁରୁଷଠେଇଁ ବାଜିବ, ତାକୁ ସ୍ୱର୍ଗ ମର୍ତ୍ତ୍ୟ ଏକାକାର ବୋଧ ହେବ । ମୁଁ କେବଳ ତାହାହିଁ ଅନୁଭବ କରି ନଥିଲି, ମୋ ଉତ୍ତେଜନା ଦ୍ୱିଗୁଣିତ ହୋଇ ଉଠିଲା । ମୋ ଛାତିର ସ୍ପନ୍ଦନ ମଧ୍ୟ ଦେଇ କରେଣ୍ଟ ଚାଲିଗଲା । ମୁଁ ଭାବିଲି ବୋଧହୁଏ ଫେଲ୍‌ ହୋଇଥିବା ବିଜୁଳିତକ ମୋ ଦେହର ଅନ୍ଧକାର ମଧ୍ୟରେ ବାହାନ ଖୋଜି ବୋଧହୁଏ ଅତିକ୍ରମ କରି ଚାଲିଗଲେ ।

 

ଅଞ୍ଜନା ହସ୍ତଚାଳନା ପୂର୍ବକ କାନ୍ତାକୁ ମୋ କୋଳରୁ ଉଠାଇ ନେଇ ଚାଲି ଯାଇଥିଲେ । ପରେ ପରେ ମୁଁ ଶିଥିଳ ହୋଇ ପଡ଼ିଲି । ଭାବି ନ ଥିଲି ଯେ ଏତେ ଶୀଘ୍ର ମୁଁ ସେଭଳି ଦୁର୍ବଳ ହୋଇ ପଡ଼ିବି ବୋଲି । ମୋତେ ଅତି ଖରାପ ଲାଗିଲା । ଆଉ ମୁଁ ସମାଲୋଚନା ମାଧ୍ୟମରେ ଏ ଯୁଗର ତରଳ ପ୍ରେମକୁ ଘୃଣା କରିବାରେ ଲାଗିଲି ।

 

କିଛିକ୍ଷଣ ପରେ ଅଞ୍ଜନା ହସି ହସି ମୋତେ କହିଲେ, ବିଜୁଳିବତୀ ଆସିଲେ ଯାଇ ଖାଇବା । ଆପଣ ଏଇ ଖଟ ଉପରେ ଶୋଇ ପଡ଼ନ୍ତୁ । ମୁଁ କାନ୍ତା ପାଖରେ ଶୋଇ ପଡ଼ୁଛି ।

 

ଗୌରସୁନ୍ଦରଙ୍କ ଲୁଙ୍ଗି ଓ ତଉଲିଆ ସେ ମୋତେ ଆଣି ପାଲଟିବାକୁ ଦେଲେ । ସେଥିପାଇଁ ମୁଁ ଅମଙ୍ଗ ହେଲି ନାହିଁ । କାରଣ ସୌଜନ୍ୟତା ଦୃଷ୍ଟିରୁ ମୁଁ ଯେହେତୁ ନିମନ୍ତ୍ରଣ ରକ୍ଷା କରିବା ପାଇଁ ଅପେକ୍ଷାରେ ରହିଛି, ସେପରି ସ୍ଥଳେ ତାଙ୍କ ଆଗ୍ରହକୁ ଭାଙ୍ଗିଦେବା ଠିକ୍‌ ନୁହେଁ ।

 

ତାଙ୍କ ନିର୍ଦ୍ଦେଶକ୍ରମେ ମୁଁ ଖାଲି ଖଟରେ ପଡ଼ି ଛଟପଟ ହେଉଥାଏ । ଆଖିକୁ ନିଦ ଆସୁ ନ ଥାଏ, କି ମନର ଭାବନା ଠିକ୍‌ ରହୁ ନଥାଏ । ଅପା ବସାରେ ରହି ମୁଁ ଯେ କି ହରବର ନ ହେଲି-। କ୍ରମେ ମନକୁ ଭୁଲାଉ ଭୁଲାଉ ଆଖିକୁ ନିଦ ଆସିଗଲା ଓ ସେଇଠି ମୁଁ ଅପ୍ରାସଙ୍ଗିକ ଅବସ୍ଥାରେ ଶୋଇ ପଡ଼ିଲି ।

 

କିନ୍ତୁ ସେପାଖ ଘରେ ଅଞ୍ଜନାଙ୍କ ଆଖିକୁ ମୋଟେ ନିଦ ଆସୁ ନଥାଏ । ମୋ ଅପେକ୍ଷା ଅତ୍ୟଧିକ ଭାବେ ସେ ଛଟପଟ ହେଉଥାନ୍ତି । କିଛିକ୍ଷଣ ପରେ ବିଜୁଳି ଆଲୋକ ଚାରିଆଡ଼େ ଉଦ୍ଭାସିତ ହୋଇ ଉଠିଲା । ସେ ତତ୍‌କ୍ଷଣାତ୍‌ ମୋ ନିକଟ ଧାଇଁ ଆସି ଦଣ୍ଡାୟମାନ ହୋଇଗଲେ । କିନ୍ତୁ ମୋତେ ଉଠାଇଲେ ନାହିଁ । ମୋ ପ୍ରଗାଢ଼ ନିଦ୍ରାବସ୍ଥାକୁ ଅନୁଭବ କରି ମୋ ଶରୀରରେ ତାଙ୍କ ହସ୍ତ ଲେପନ କରି ଆଣିଲେ । ସେତେବେଳେ ଆଉ ଏକପ୍ରକାର ଶିହରଣ ମୋଠାରେ ସଞ୍ଚାରଣ କଲା । ଫଳରେ ନିଦ୍ରାଦେବୀଙ୍କ ସୁଖ ଆସର ବାଧାପ୍ରାପ୍ତ ହେଲା ଓ ମୁଁ ଉଠି ପଡ଼ିଲି ।

 

ମୋ ଉନ୍ନିଦ୍ର ମୁଖମଣ୍ଡଳକୁ ଚାହିଁ ଅଞ୍ଜନା କହିଲେ, ଆପଣ ବଡ଼ ନିଦ୍ରାଳୁ ଲୋକ । ଆପଣଙ୍କ ବୟସର ପିଲା ରାତିସରା ଅନିଦ୍ରା ରହି ଯାତ୍ରା କରୁଥିବା ଓ ଦେଖୁଥିବା ବେଳେ ଆପଣ ଯେ ନିର୍ବିକାର ଚିତ୍ତରେ ଶୋଇ ଯାଉଛନ୍ତି ତାହା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି ।

 

ମୁଁ କିଛି ନ କହି ଖାଲି ହସି ଦେଇଥିଲି । ତା’ପରେ ଅଞ୍ଜନା ମୋ’ ହାତ ଧରି ନେଇ ଯାଇଥିଲେ ଡାଇନିଂ ଟେବୁଲ୍‌ ଉପରକୁ । ତା’ପରେ ସେ ମୋ ପାଖରେ ଆଣି ପରଷି ଦେଇଥିଲେ ଭିନ୍ନ ଭିନ୍ନ ସ୍ୱାଦର ସୁଷମ ଖାଦ୍ୟ । ସେ ମଧ୍ୟ ମୋ ନିକଟରେ ଆସନ ପାତି ଆହାର ଗ୍ରହଣ କରିଥିଲେ ।

 

ମୋ ଜୀବନର ପ୍ରଥମ ଥିଲା ସେଇ ରାତିଟି, ଯେଉଁ ସମୟରେ କି ମୁଁ ଏକକାଳୀନ ବିଭିନ୍ନ ଧରଣର ପାଚନ ସାମଗ୍ରୀର ସମ୍ମୁଖୀନ ହୋଇଥିଲି । ଏପର୍ଯ୍ୟନ୍ତ ସେଭଳି ଖାଦ୍ୟ ମୁଁ କେବେ ଖାଇ ନାହିଁ, କି ଖାଇପାରିବି ନାହିଁ ।

 

ପନ୍ଦର ପ୍ରକାରର ପାଚନ ସାମଗ୍ରୀକୁ ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ କରି ପାରିଥିଲେ ଓ ମୁଁ ସେ ସବୁ ଖାଇ ଏତେ ପ୍ରୀତ ହୋଇ ପଡ଼ିଥିଲି ଯେ, ଅଞ୍ଜନାଙ୍କୁ ସେଥିପାଇଁ ଧନ୍ୟବାଦ ନ ଦେଇ ସ୍ଥିର ରହି ପାରି ନ ଥିଲି ।

 

ଅଞ୍ଜନା ମୋଠାରୁ ପ୍ରଶଂସା ଶୁଣି କହିଲେ, ଆପଣ ମୋର ତାରିଫ୍‌ କରିବା ଏତେ ପାରମ୍ଭରୁ ଠିକ୍‌ ନୁହେଁ । ଆଗକୁ ଅନେକ ସମୟ ପଡ଼ିଛି । ଏବେଠାରୁ ଆମ ସମ୍ପର୍କର ଉତ୍ତରୋତ୍ତର ଉନ୍ନତି କାମନା କଲେ, ସେଇ ଯଥେଷ୍ଟ ହେବ ।

 

ଖାଇ ସାରିଲା ପରେ ରାତି ଅନୁମାନ ବାରଟା ହୋଇ ଯାଇଥିଲା । ମୁଁ ଅପା ଘରକୁ ଫେରିଯିବା ପାଇଁ ଇଚ୍ଛା କରିବାରୁ ସେ ମୋତେ ବାରଣ କଲେ । କହିଲେ, ଆପଣ ଆଜି ଘରକୁ ନ ଗଲେ, ଅପା କିମ୍ୱା ତୁମ ଭିଣୋଇ କେହି କିଛି ଭାବିବେ ନାହିଁ । କାରଣ ସେମାନଙ୍କଠାରୁ କାନ୍ତା ମଧ୍ୟ ଦେଇ ଅନୁମତି ଅଣାଯାଇଛି । କାଲି ସକାଳେ ସେମାନେ ଯଦି ଆପଣଙ୍କୁ କିଛି କୁହନ୍ତି, ତା’ହେଲେ ମୁଁ ସଫେଇ ଦେଇ ଆପଣକୁ ଉଦ୍ଧାର କରିବି ।

 

ସତକୁ ସତ ତାଙ୍କର ମୁଁ ଅବାଧ୍ୟ ହେଲି ନାହିଁ । ପୁଣି ସେ ରାତ୍ରିରେ ସୁପ୍ତ ଅତିଥି ହେବାପାଇଁ ରହିଲି ସିନା, ହେଲେ ମୁଁ ଆଖି ବୁଜି ଶୋଇ ପାରିଲି ନାହିଁ । ଅଞ୍ଜନାଙ୍କ ନୀଳ ନଦୀର ଉପକଣ୍ଠ ହେଲା ମୋର ସ୍ପର୍ଶ । ସେ ମୋର କଡ଼ ନେଉଟେଇ ଦେଲେ । ମୋତେ ମଶା କାମୁଡ଼ିବା ଉଦ୍ଦେଶ୍ୟରେ ମଶାରୀ ଟାଣି ଦେଲେ ।

 

ତା’ପରେ ମୁଁ ତାଙ୍କୁ ପରୀକ୍ଷା କରିବା ଲାଗି ବିଦାୟ ନେବାକୁ କହିବାରୁ ସେ କୁଣ୍ଠିତ କଣ୍ଠରେ କହିଲେ, ମୋତେ ସହଜେ ନିଦ ହେବ ନାହିଁ ବିନୋଦ ବାବୁ । ମୋ ରାତ୍ରି ସବୁଦିନେ ଅନିଦ୍ରା । ମୋ ରାତି ସବୁବେଳେ ବ୍ୟଥାତୁରା । ମୋ ରାତିରେ ଚକୋରୀର ବିରହ ଥାଏ ସିନା, କିନ୍ତୁ.....

 

ହଠାତ୍‌ ସେ ମୋ ହାତକୁ ଧରି ପକାଇଲେ । କହିଲେ Please, ମୁଁ ସାହାରା ଭଳି ତୃଷାର୍ତ୍ତ, ମୋ ଶୋଷକୁ ମେଣ୍ଟାଇବାକୁ ଆପଣ କ’ଣ କେବେ ବିମୁଖ ହେବେ ? ସେତେବେଳକୁ କକ୍ଷର ବିଜୁଳି ଆଲୋକ ଲିଭି ଯାଇଥିଲା । ବାରମ୍ୱାର ସେ ମୋତେ ଉତ୍ତେଜିତ କରିବାରେ ଲାଗିଲେ ଓ ମୋ ସଂଲଗ୍ନରେ ଆସି ପୁଣି ଥରେ କହିଲେ Please...

 

ମୁଁ ସମ୍ଭାଳି ହୋଇ ପାରିଲି ନାହିଁ । ପ୍ରଣୟ ପାରିଜାତ ହାତରେ ପଡ଼ିଛି ଯେତେବେଳେ, ତାକୁ ଛିଣ୍ଡାଇଲେ ବା ଦୋଷ କ’ଣ ? ଯୁକ୍ତି, ତର୍କ, ବିବେକ ସବୁ ମୋ ପକ୍ଷରେ ନିରର୍ଥକ ହୋଇଗଲା-। ମୁଁ ଅବଚେତନର ସାଗରରେ ସତ୍ତା ହଜେଇ ଦେଇ ବସିଲି । ସେଇଠୁ ଶେଷ ହେଲା ନାହିଁ ମାୟା ରାତ୍ରିର ଅଭିନୟ । ଅଞ୍ଜନା ଅନିଦ୍ରା ରହି ସେ ରାତ୍ରିର ଶୋଷ ଯେତେ ମେଣ୍ଟାଇବାକୁ ଚାହିଁଲେ, ମୁଁ ପାରିଲି ନାହିଁ । ମୋ ଉତ୍ତେଜନାର ରାତି ଶେଷ ହୋଇଗଲା । ମୁଁ ଅନୁଭବ କଲି କ୍ଳାନ୍ତି, ତୀବ୍ରତା, ଆଉ ବିରକ୍ତିର ସ୍ୱେଦ ।

 

ଅଞ୍ଜନା ମୋ ମନକୁ ବୁଝି ପାରିଲେ ଓ କହିଲେ, ମନେ ରଖନ୍ତୁ ବିନୋଦ ବାବୁ, ସାଗର ସହିତ ନଦୀର ସଙ୍ଗମ ଯେଉଁ ମୁହୂର୍ତ୍ତରେ ହୁଏ, ସେଇ ସମୟଠାରୁ ତା’ର ଆଉ ପତ୍ୟାବର୍ତ୍ତନ ନ ଥାଏ । ନଈ ଶୁଖିଯାଏ ସତ ମାତ୍ର ତା’ର ଧାର ଶୁଖିଯାଏ ନାହିଁ । ପ୍ରଣୟ ସେମିତି । ପ୍ରବଞ୍ଚନା କିମ୍ୱା ପ୍ରତିବନ୍ଧକରେ ତାହା କଟିଗଲେ ସୁଦ୍ଧା ଚିରଜୀବନ ପ୍ରେମିକ ପ୍ରେମିକାଙ୍କ ଅନ୍ତରରେ ଭାବନାର ଉତ୍ସ ହୋଇ ବୋହୁଥାଏ ।

 

ନିଦ୍ରାଦେବୀଙ୍କର ଆକ୍ରମଣ ସତ୍ତ୍ୱେ ମୁଁ ହୃଦୟଙ୍ଗମ କଲି ତାଙ୍କ ବାର୍ତ୍ତା । ସେ ଯେପରି ନିଜଠାରେ ନୂତନ ଜାଗରଣ ସୃଷ୍ଟି କରିବାକୁ ଚାହୁଁଥିଲେ, ମୁଁ ସେପରି କରିବାରେ ଆଗ୍ରହୀ ହେଲି । ତରୁଣୀ କନ୍ୟାଙ୍କୁ ପ୍ରେମ କରିବା ପାଇଁ ସୁଯୋଗ ନ ମିଳିଲେ, ପରକୀୟା ପ୍ରୀତିକୁ ଘୃଣାରେ ଆଡ଼େଇ ଦେବ ବା କାହିଁକି ? ଗୌଡ଼ୀୟ ଦର୍ଶନର ମତବାଦ ତ ସେଇ ପ୍ରୀତିକୁ ଯୁଗ ଯୁଗ ଧରି ନିୟନ୍ତ୍ରଣ କରୁଛି !

 

ସେତେବେଳକୁ ଅଞ୍ଜନା ତାଙ୍କ ଶଯ୍ୟା ପାଖକୁ ଫେରି ଯାଇଥିଲେ ଓ ମୁଁ ସେଇ ଅବସରରେ ନିଦ୍ରାଭିଭୂତ ହୋଇ ପଡ଼ିଲି ।

 

ଦିନ ବଢ଼ି ଚାଲିଲା । ଶୀତକାଳର ଦିନ କ୍ରମେ ଛୋଟରୁ ବଢ଼ି ଚାଲିଲା ପରି ଅଞ୍ଜନା ଓ ମୋ ଭିତରେ ପ୍ରଣୟ ଡୋରୀ କ୍ରମଶଃ ଲମ୍ୱା ହୋଇଗଲା । ଆମେ ଦୁହେଁ ପରସ୍ପରକୁ ନିର୍ଜ୍ଜନରେ ଭଲ ପାଇଲୁ, ଆଦର କଲୁ ।

 

ଦିନେ ଦିନେ ଏପରି ଅବସ୍ଥା ଘଟିଛି, ମୁଁ ମୋ ପ୍ରାକ୍‌ଟିକାଲ୍‌ କ୍ଲାସ ନଷ୍ଟ କରି ଯାଇ ପହଞ୍ଚିଛି ଅଞ୍ଜନାଙ୍କ ପାଖରେ । ଥରେ ଅଧେ ବସାରେ ତାଙ୍କୁ ନ ପାଇ ନିରାଶରେ ମୁଁ ଫେରି ଆସିଛି-। ସେଦିନ କାହିଁକି କେଜାଣି ଅଞ୍ଜନାଙ୍କ ସମ୍ୱନ୍ଧରେ ବିଶେଷ ଜାଣିବାକୁ ମନ ମୋର ବ୍ୟଗ୍ର ହୋଇ ଉଠିଲା ।

 

କାନ୍ତାକୁ ମୁଁ ଏକାକିନୀ ଦେଖିଲି । ଅଞ୍ଜନା ଘର ଭିତରେ ନ ଥିଲେ । ଗୌରସୁନ୍ଦର ମଧ୍ୟ ଟୁରରେ ବାହାରେ ଥିଲେ । କାନ୍ତାକୁ ପାଖକୁ ଡାକିଲି । ସେ ଆସିଲା ଓ ତାକୁ ମଙ୍ଗେଇ ଅନେକ ପ୍ରଶ୍ନ ପଚାରିଲି ।

 

ମୁଁ କହିଲି, ହଇଲୋ କାନ୍ତା ତୁ ସତ କହିଲୁ ତୋ ବୋଉକୁ ବାପା ଭଲ ପାଆନ୍ତି କି ନାହିଁ-? କାନ୍ତା କ’ଣ ବୁଝିଥିଲା କେଜାଣି, ତାକୁ ଲାଜ ଲାଗିଥିଲା ମୁହଁ ଫିଟେଇ ଉତ୍ତର ଦେବାକୁ । ସେ ମୁଣ୍ଡ ଟୁଙ୍ଗାରି ଦେଇଥିଲା । ସେଇଥିରୁ ମୁଁ ଅନୁମାନ କରିନେଲି ଯେ ସେ ସତ କଥା ଲୁଚାଇ ନାହିଁ-

 

ଗୌରସୁନ୍ଦର ଅଞ୍ଜନାକୁ ଭଲ ପାଆନ୍ତି ନାହିଁ । ତାଙ୍କ ଆନ୍ତରିକ ସମୁଦ୍ରରେ ପ୍ରକୃତି ପ୍ରଣୟର ତରଙ୍ଗ କେବେ ଉଠି ନାହିଁ କି ଉଠିବ ନାହିଁ । ଅଞ୍ଜନା କହୁଥିଲେ, ଡାକ୍ତରଖାନାର ଗୋପନ କକ୍ଷ ଥିଲା ସେଇଟା । ମୁଁ ଭାରାକ୍ରାନ୍ତ ମନରେ ବିବ୍ରତ ହୋଇ ଉଠିଥିଲି । ଡାକ୍ତରଙ୍କ ପରୀକ୍ଷା ଯେ କୌଣସି ଉପାୟରେ ସଫଳ ହେବାକୁ ହେବ । ତା’ ନ ହେଲେ ମୁଁ ଭାଙ୍ଗିପଡ଼ିବା ସୁନିଶ୍ଚିନ୍ତ ।

 

ଡାକ୍ତର ବନ୍ଧୁ ଶ୍ୟାମଘନ ବାବୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ସେ କେତେକ କ୍ଷେତ୍ରରେ ଅପରେସନ୍‌ ପରେ ମଧ୍ୟ ସନ୍ତାନ ପ୍ରସବ କରାଇ ପାରିଛନ୍ତି । ମୋ କରୁଣାକ୍ତ ହୃଦୟର ସେତିକି ଥିଲା ଆଶ୍ୱାସନା । ଗୋପନ କକ୍ଷ ମଧ୍ୟରେ ସ୍ୱାମୀ ଗୌରସୁନ୍ଦରଙ୍କୁ ବିଶିଷ୍ଟ ଡାକ୍ତର ଶ୍ୟାମଘନ ବାବୁ ଓ ତାଙ୍କର ଜଣେ ସହଯୋଗୀ ପରୀକ୍ଷା କଲେ । ଉଲଗ୍ନ ଅବସ୍ଥାରେ ତାଙ୍କ ସ୍ନାୟୁ ମେଦକୁ ସୂକ୍ଷ୍ମାନୁପ୍ରଣାଳୀରେ ସେମାନେ ଅନୁସନ୍ଧାନ କରୁଥିବା ବେଳେ, ମୁଁ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରି କହୁଥାଏ, ପ୍ରଭୋ; ସତେ କ’ଣ ତାଙ୍କ ବଂଶରେ ବକଟେ ପୁତ୍ର ସନ୍ତାନର ଚେର ଲଗାଇବ ନାହିଁ ? ସେଥିରେ ତାଙ୍କ ଭବିଷ୍ୟତ ସୁସ୍ପଷ୍ଟ ଦିଶିଲେ ମୁଁ ତୁମ ନାମରେ ପୂଜା କରିବି । ବଡ଼ ଧରଣର ଭୋଗ ଲଗେଇବି । ମୋତେ ସେତିକିରୁ ନିଉଛୁଣା କର ନାହିଁ । କାନ୍ତା ପରେ ଆଉ ମାତ୍ର ଗୋଟିଏ ପୁଅ ଦରକାର ।

 

ମା ହେବା ପାଇଁ ନାରୀର ଆତୁର ଆବେଦନ ! ଖାଲି ସେତିକି ନୁହେଁ, ନିଷ୍ଫଳ ମରୁଭୂମିରେ ବି ସଫଳ ଓଏସିସ୍‌ର ଅନୁସନ୍ଧିତ୍ସୁ ହୋଇ ସେ ଅଭିଯାନ ଆରମ୍ଭ କରିଦିଏ । କାନ୍ତାର ଜନନୀ ହିସାବରେ ମୁଁ ସେତେ ସନ୍ତୁଷ୍ଟା ନ ଥିଲି ବୋଲି ଅନୁଧ୍ୟାନ କରୁଥିଲେ ଗୌରସୁନ୍ଦର । ସେଥିଲାଗି ଦ୍ୱିତୀୟ ଗର୍ଭର ନଷ୍ଟ ଗୁଞ୍ଜନ ପଥରେ ଭବିଷ୍ୟତର ଝିଙ୍କାର ତୋଳିବାକୁ ସେ ବ୍ୟସ୍ତ ହୋଇ ଉଠୁଥିଲେ ।

 

ତାଙ୍କ ଉଦ୍ଦେଶ୍ୟ ଆହୁରି କଂକ୍ରିଟ୍‌ ଥିଲା । ଆହୁରି ରହସ୍ୟମୟ ଥିଲା । କଥା ଛଳରେ ସମୟେ ସମୟେ ସେ କହି ଦେଇଥାନ୍ତି, କାନ୍ତା ପରେ ତୁମ ଔରସରୁ ଗୋଟିଏ ମାତ୍ର ପୁତ୍ର ସନ୍ତାନ ଯଦି ଜନ୍ମିଥାନ୍ତା ତା’ହେଲେ ମୁଁ ନିଶ୍ଚିନ୍ତ ହୋଇଥାନ୍ତି ଅଞ୍ଜନା । ପରିବାର କର୍ତ୍ତବ୍ୟରେ ତୁମର ଦାୟିତ୍ୱ ସେହି ପରିମାଣରେ ଯଥେଷ୍ଟ ବଢ଼ି ଯାଇଥାନ୍ତା । ଫଳରେ ତୁମକୁ ସମୟ ତଥା ମାନବିକତା ଉଭୟେ ଏକତ୍ର ମିଳି ଆକ୍ରମଣ କରିଥାନ୍ତେ । ପିଆନୋ ବଜାଇ ନୂତନ ଆଗନ୍ତୁକଙ୍କୁ ମଧୁମକ୍ଷିକା ସ୍ୱରୂପ ନିଜ ମଧୁଚକ୍ରକୁ ଆକୃଷ୍ଟ କରାଇବାର ସୁଯୋଗ ମିଳନ୍ତା ନାହିଁ ।

 

ହେଲେ ଈଶ୍ୱର ଦୁହିଁଙ୍କର ଆବେଦନକୁ ରଦ୍ଦ କରିଦେଲେ । ଉଭୟଙ୍କ କୁ ଆଉ ସୁ ଅଭିପ୍ରାୟର କାମନା ସନ୍ଧି ଫଳବତୀ ହେବାରେ ନିଷ୍ଫଳ ହୋଇଗଲା । ଡାକ୍ତର ଶ୍ୟାମଘନ ବାବୁ ପରୀକ୍ଷା କରି ଯେଉଁ ରିପୋର୍ଟ ଦେଲେ, ସେଥିରେ ମର୍ମାହତ ହେବା ହିଁ ସାର ହେଲା ।

 

ରିପୋର୍ଟରେ ପରିଷ୍କାର ଭାବେ ସେ ଲେଖି ଦେଇଥିଲେ ଯେ, ଗୌରସୁନ୍ଦର ବାବୁ ଯୌନଜନିତ ରୋଗରେ ଆକ୍ରାନ୍ତ । ତାଙ୍କ ପ୍ରତି କୌଣସି ଔଷଧ କିମ୍ୱା ଚେଷ୍ଟା ସଫଳକାମ ହୋଇ ପାରିବ ନାହିଁ । ଫଳରେ ଭବିଷ୍ୟତର ସନ୍ତାନ ପ୍ରସବ ନିମନ୍ତେ ସେ ଅନୁର୍ବର ହୋଇଗଲେ ।

 

ଗୌରସୁନ୍ଦରଙ୍କର ସେଇଟା ହେଉଛି ସ୍ୱଭାବପ୍ରସୂତ ରୋଗ । ତେଣୁ ତାକୁ ଭଲ କରିବା ନିମନ୍ତେ ଅପରେଶନ୍‌ ପୂର୍ବରୁ ମନର ବିଶେଷ ଆବଶ୍ୟକତା ଥିଲା । ମନ ଦେଇ ଯାହା ସଫଳ ହୁଏ, ଅର୍ଥ ଦେଇ ତାହା ହୋଇପାରେ ନାହିଁ ।

 

ଅବଶ୍ୟ ଅର୍ଥ ଅନର୍ଥର ସଂଘର୍ଷ ମଧ୍ୟରେ ଆମ ପାରିବାରିକ ଶାନ୍ତିସୌଧ ଭୁଷୁଡ଼ି ପଡ଼ିଲା-। କାନ୍ତାକୁ ମୁଁ ପିଆନୋ ବଜାଇବାର ଶିକ୍ଷା ଦେବାକୁ ଚାହିଁଲା ବେଳେ ତା’ର ବିରୋଧ କରି ବସିଥିଲେ ଗୌରସୁନ୍ଦର । ସେ ମୁହେଁ ମୁହେଁ ମୋତେ ଜବାବ ଦେଇ କହିଥିଲେ, ତୁମେ ଯେମିତି ବ୍ୟଭିଚାରିଣୀ ଭ୍ରଷ୍ଟା ହୋଇ ଯାଇଛ, ମୁଁ କାନ୍ତାକୁ ସେମିତି ହେବାକୁ ଦେବି ନାହିଁ । କାନ୍ତା ଉପରେ ମୋର ଅଧିକାର ବେଶି । ତାକୁ ମୁଁ ଜୋର୍‌କରି ତୁମଠାରୁ ଛଡ଼ାଇ ଆଣିବି ଏବଂ ଜଣେ ଆଦର୍ଶ ଭାରତୀୟ ନାରୀରୂପେ ଗଢ଼ିବି ।

 

ତାଙ୍କ କଥା ଶୁଣି ମୋ ଆଖିରେ ଲୁହ ଛଳ ଛଳ ହୋଇ ଉଠିଥିଲା । ସତେ, ତୁମଠାରେ ଏତେ ପୌରୁଷ, ଏତେ ସନ୍ତାନବତ୍ସଳତା । ତା’ହେଲେ ଆନ୍ତରିକ ତୁମେ ଏଡ଼େ ରୁକ୍ଷ କାହିଁକି, ନିଷ୍ଠୁର କାହିଁକି ? ତୁମ ଅବ୍ୟବସ୍ଥିତ ଚିତ୍ତ ପାଖରେ ମୁଁ ବା କି ପ୍ରକାର ପ୍ରସାଦ ଆଶାରେ ଆଶାୟୀ ହୋଇ ରହିବି ।

 

ମୁହଁ ଖୋଲି ଏହାହିଁ କହିବାକୁ ଇଚ୍ଛା ହେଉଥିଲା ମୋର । କାନ୍ତାକୁ ସେ ତାଙ୍କରି ରକ୍ତଜ ଭାବି ମମତାର ଫାଶରେ ଆବଦ୍ଧ କରିବାକୁ ଇଚ୍ଛା କରନ୍ତି । ସେଥିପାଇଁ ମୁଁ ଖୁସି ହୋଇଗଲି । ମୋ ଆନନ୍ଦ ସାଗରରେ ମେଳା ମେଳା ଢେଉ ଖେଳି ବୁଲିଲେ । ତାକୁ ସେ ଆପଣାର ଭାବି ମୋତେ ମୁକ୍ତି ଦେଇ ଦିଅନ୍ତୁ, ମୋ ସ୍ୱାଧୀନତା ଫେରାଇ ଦିଅନ୍ତୁ । ମୁଁ ଇଚ୍ଛାଧୀନା ହୋଇ ମୁକ୍ତ ଛନ୍ଦରେ ଘୂରି ବୁଲେ ।

 

ମୋ ଉନ୍ମିଳ ଆକାଶ ସ୍ୱାଗତ କରୁଥିଲା । ମୋ ଦହନର ଉପକୂଳରେ ତାଙ୍କ ବ୍ୟକ୍ତିତ୍ୱ ଆଘାତପ୍ରାପ୍ତ ହେଲା । ଇଚ୍ଛା କରି ଲୌହ ମନର ମର୍ଯ୍ୟାଦାକୁ ସେ ଅକ୍ଷୁଣ୍ଣ ରଖି ପାରିଲେ ନାହିଁ ।

 

ମୋରି ଆଗରେ କାନ୍ତା କହିଲା ମାମୀ, ତୁ କହୁଥିଲୁ ପରା ମୋର ଗୋଟିଏ ନୂଆ ଭାଇ ହେବ । କାଇଁ ହେଲା ନାହିଁ । ତା’ର ଉତ୍ତର ମୁଁ ଦେଇ ପାରେ ନାହିଁ । ମୋ ସମୁଦ୍ର ଚିର ଉଚ୍ଛୁଳା, କିନ୍ତୁ ତାଙ୍କ ନଈ ଶୁଖିଲା, ତାଙ୍କ ନଈର ସୂକ୍ଷ୍ମଧାର ମୋ ସମୁଦ୍ର ମୁହାଣକୁ ସ୍ପର୍ଶ କରିପାରେ ନାହିଁ । ସେଇଠି ସବୁ ଆଶାର ପରିକଳ୍ପନା ନଷ୍ଟ, ଛିନ୍ନ ଭିନ୍ନ ହୋଇଯାଏ ।

 

କାନ୍ତାକୁ କାଖେଇ ନେଇ ସେ ବାହାରକୁ ଚାଲି ଯାଆନ୍ତି । ଆଉ ତାକୁ ଭୁଲେଇ ଦେଇ କୁହନ୍ତି, ତୋ ବର ହୋଇ ଯିଏ ଆସିବ ନା, ସେ ହେବ ତୋର ଭାଇ । ବଡ଼ ହୋଇଗଲେ ତୁ ବୁଝିବୁ-

 

ପିଲା ମନ ତ । ତେଣୁ ସେଇ ମାତ୍ର ସାମାନ୍ୟ ଉତ୍ତରରେ ସେ ସନ୍ତୁଷ୍ଟ ହୋଇ ରୁହେ । କୌଣସି ଅଭିଯୋଗ କରେ ନାହିଁ । କିନ୍ତୁ ମୋ ମନ ସ୍ୱପ୍ନେ ଜାଗରଣେ ଖାଲି ଦହ୍ୟ ହେଉଥାଏ । ନିଜକୁ ନିଜେ ମୁଁ କେବଳ ସେଇ ଉତ୍ତର ପାଏ ଯେ କାନ୍ତା ପରେ ତା’ର ଆଉ ମୋଟେ କୌଣସି ଭାଇ ଜନ୍ମ ହେବେ ନାହିଁ । ଏ ଜନ୍ମ ପାଇଁ ସେ ଅବରୁଦ୍ଧା ।

 

ସେଇ ଦୁର୍ବଳତାର ସୁଯୋଗ ମୋ ପାଇଁ ଯେଉଁ ସ୍ୱାଧୀନତାର ଖୋରାକ ବାଢ଼ି ଦେଲା, ତାକୁ ଆହରଣ କରି ମୁଁ ବେଶ୍‌ ସୁଖୀ ବୋଲି ଭାବୁଛି । ତଦ୍ୱାରା ମୁଁ ସ୍ୱେଚ୍ଛାଚାରିଣୀ ହୋଇ ଯାଇ ନାହିଁ । ମୋ ଦେହର ସ୍ଖଳନ, ଅନ୍ଧବିଶ୍ୱାସର ସମାଜ ଆଖିରେ ପାପ ହୋଇପାରେ, କିନ୍ତୁ ଆନନ୍ଦର ଦେବତାଙ୍କ ନିକଟରେ ତାହା ପବିତ୍ର ଆଉ ଅନୁପମ ଭେଟି । ସେଠି ନରକର ପରିକଳ୍ପନା କରି ଯମଦଣ୍ଡର ଚିନ୍ତା କରିବା ବୃଥା ।

 

ତେଣୁ ଅଞ୍ଜନାଙ୍କ ପ୍ରଣୟର ପକ୍ଷ ଲଗାଇ ମୁଁ ମଧ୍ୟ ଉଡ଼ି ବୁଲିବା ସହଜ ହୋଇଗଲା । ଗୌରସୁନ୍ଦର ଓ ଅଞ୍ଜନାଙ୍କ ଯୋଗସୂତ୍ର ଭାବେ ମୁଁ ସେମାନଙ୍କର ନିଃସନ୍ଦେହର ପାତ୍ର ରୂପେ କାର୍ଯ୍ୟ କଲି । ବିଶେଷତଃ ଗୌରବାବୁ ଅନୁମାନ କଲେ ଯେ, ମୁଁ କେବଳ ସାଥୀ ହୋଇ ଅଞ୍ଜନାଙ୍କୁ ପରିବର୍ତ୍ତନ କରି ପାରୁଛି । ପ୍ରଚ୍ଛଦପଟ୍ଟରେ ସେ ମୋତେ ସନ୍ଦେହ କଲେ ନାହିଁ ।

 

ଆମ ପ୍ରଣୟର ପରିଭାଷା ମଧ୍ୟରେ ଅଭିମାନ, ଅଭିଯୋଗ କିମ୍ୱା ଅପ୍ରାସଙ୍ଗିକତା କିଛି ପରିଦୃଷ୍ଟ ହେଉ ନ ଥିଲା । ମୋ ସାଥିତ୍ୱରେ ଅଞ୍ଜନାଙ୍କ ତୃପ୍ତି ଆକାଶର କୂଳ ଲଙ୍ଘି ଚାଲିଥିଲା । ସେ କହୁଥିଲେ, ତୁମକୁ ଭଗବାନ ଯେମିତି ଗଠନ ଦେଇଛନ୍ତି ତାହା କୃତ୍ରିମ ସୌନ୍ଦର୍ଯ୍ୟର ଦୂରତାକୁ ବଳିପଡ଼ିଛି । ତୁମ ପକ୍ଷେ କୃତ୍ରିମତା ନିହାତି ଅବାନ୍ତର ଦେଖାଯାଆନ୍ତା ।

 

ବାସ୍ତବିକ୍‌ ବୟସର ସ୍ୱଳ୍ପତା ହେତୁ ମୁଁ ଯେଉଁଭଳି ପିଲାଳିଆ ଦେଖାଯାଉଥିଲି, ସେଥିରେ କୌତୁକ ଫୁଟି ଦିଶିବା ସ୍ୱାଭାବିକ । କାନ୍ତା ମୋତେ କହିଛି, ଆପଣଙ୍କର କାହିଁ ଆଜିଯାଏ ଦାଢ଼ି ଉଠି ନାହିଁ । ଆପଣ ବଡ଼ ମଣିଷ ହେଲେଣି, ମାଇପଙ୍କ ଭଳି ଆପଣଙ୍କ ମୁହଁରେ ବୋଧେ ଦାଢ଼ି ଉଠିବ ନାହିଁ ।

 

ସେ କହିଥିଲା, ମୋ ଡାଡିଙ୍କ ମୁହଁରେ କେତେ ଦାଢ଼ି ଦେଖିଲେ । ସେ ଦାଢ଼ି ଖିଅର ନ ହୋଇ ସେମିତି ରଖିଥିଲେ ମୋତେ ଭାରି ସୁନ୍ଦର ଦିଶେ ।

 

ବାସ୍ତବିକ୍‌ କାନ୍ତା ମୋ ଚେତନାର ବାଲୁଚରରେ ଶିହରଣର ପ୍ରସ୍ରବଣ ସୃଷ୍ଟି କରି ବସିଥିଲା, ମୋ ମୁହଁରେ ଦାଢ଼ି ଉଠି ନାହିଁ । ନିଶ ମଧ୍ୟ କହରିଆ କେଶଗୁଚ୍ଛରେ ସଂଶ୍ଳିଷ୍ଟ ଯାହାକି ଦୂରରୁ ଲକ୍ଷ୍ୟ କଲେ ବାରି ହେବ ନାହିଁ । ସେଥିଲାଗି ଲମ୍ୱା କଲି ରଖିବାର ପ୍ରଶ୍ନ ନ ଥିଲା । କିନ୍ତୁ ମୋତେ ଅଞ୍ଜନା ଦେଖେଇ ଶିଖେଇ ମୁରୁକିହସା ଦେଇ ତାହାହିଁ କହୁଥିଲେ । ସେ କହିଲେ ହଇଲୋ ଝିଅ, ତୁ କାଇଁକି ବାବୁଙ୍କ ସାଙ୍ଗରେ ଦିଲଗୀ ଲଗେଇଛୁ, ସେ କ’ଣ ତୋ ବାପା ହୋଇଛନ୍ତି କି ? ବେଳ ଆସିଲେ ଆପେ ଆପେ ସିଏ ଦାଢ଼ି ରଖି, ଲମ୍ୱା କଲି ରଖି ସାଜି ବସିବେ ନାହିଁ ?

 

ମୁଁ ଚମକି ପଡ଼ିଲି । ଅଞ୍ଜନାଙ୍କ ଚତୁର ବାକ୍ୟବାଣରେ ମୋ ଚେତନା ସ୍ପନ୍ଦିତ ହୋଇ ଉଠିଲା । ମୁଁ ଭାବିଲି, ମୁଁ ବାପା ? କେମିତି ମୁଁ ବାପା ହେଲି ଯେ ! ମୋ ବୟସର ପିଲା କ’ଣ କେହି ବାପା ହୋଇ ସାରିଲେଣି ଯେ ମୁଁ ସେଥିପାଇଁ ବ୍ୟସ୍ତ ହେବି କିମ୍ୱା ପରିକଳ୍ପନା କରିବି ।

 

ନିରୁତ୍ତର ରହିବା ଅପେକ୍ଷା ହସିଦେବା ହିଁ ମୋ ପକ୍ଷରେ ଯଥାର୍ଥ ହୋଇଥିଲା । ଅଞ୍ଜନାଙ୍କ ମରୁମୟ ଜୀବନ, ମୋ ଉଷାର ନିରୁତା ଯୌବନ, ପୁଣି କାନ୍ତା ପାଇଁ ଆଗାମୀ କାଲିର ସନ୍ଦେଶ, ସବୁ ସେଇ ହସର ଫୁଆରା ମଧ୍ୟରେ ନନ୍ଦିତ ହେଲା ।

 

ଅଞ୍ଜନାଙ୍କୁ ମୁଁ ଏକାନ୍ତ ଇଶାରା ଦେଇ ଚାଲି ଆସିଲି ।

 

କେହି ବିଶ୍ୱାସ କରିବେ କି ନାହିଁ, କିନ୍ତୁ ମୋ ଅନୁଭବ ନିହାତି ସତ୍ୟ । ଅଞ୍ଜନାଙ୍କ ନାତିଶୀତୋଷ୍ଣ ଶରୀରରେ ଯିଏ ଥରେ ଅମୃତ ଆସ୍ୱାଦନ କରିଛି, ସେ ଆଉ କେଉଁ ସୀମାହୀନ ରାଇଜରୁ ପରୀ ଅନୁସନ୍ଧାନ କରିବା ପାଇଁ ଯିବ ନାହିଁ । ଅବଶ୍ୟ ବୟସର ତାରତମ୍ୟ ଦେଖିଲେ ମୁଁ ଯେଉଁ ସମୟରେ ତାଙ୍କ ସଂସ୍ପର୍ଶରେ ଆସିଥିଲି, ତାହା ଆଶ୍ଚର୍ଯ୍ୟଜନକ ଭାବେ ତଫାତ୍‌ ଥିଲା । ଅଞ୍ଜନାଙ୍କୁ ହୋଇଥିଲା ତିରିଶ ବର୍ଷ, ମୋତେ ବାଇଶ ବର୍ଷ, ଆଉ କାନ୍ତାକୁ ମାତ୍ର ଆଠବର୍ଷ । ତେଣୁ ତାଙ୍କଠାରେ ଯୌବନ ଯେତେବେଳେ ଉଚ୍ଛୃଙ୍ଖଳ, ମୋଠାରେ ତା’ର ସେତେବେଳେ ଉଦୟ । ଆଉ କାନ୍ତା ମୋଟେ ସେ ସମ୍ୱନ୍ଧରେ ଧାର ଧାରିବାକୁ ଅଭିଜ୍ଞତା ହାସଲ କରି ନ ଥିଲା ।

 

ଅଞ୍ଜନାଙ୍କ ସହ ସମ୍ୱନ୍ଧ ପ୍ରତିଷ୍ଠିତ ଦୃଢ଼ ହେବା ସମୟରେ ମୁଁ ଯେ କେବଳ ମଧୁମଦିରା ପାନ କରିବାରେ ବ୍ୟସ୍ତ ଥିଲି, ତା’ ନୁହେଁ । ମୁଁ ଏକ ସ୍ୱାର୍ଥପର ଦୃଷ୍ଟିଭଙ୍ଗୀ ରଖି ଅଗ୍ରସର ହେଉଥିଲି । ଅପା କହୁଥିଲା, ଗୌରସୁନ୍ଦର ବାବୁଙ୍କ ପରିବାର ହାତରେ ଥିଲେ ଭବିଷ୍ୟତ ଗୌରବୋଜ୍ୱଳ । ମୁଁ ତାହା ହୃଦୟଙ୍ଗମ କରୁଥିଲି । ତାଙ୍କ ସହ ସମ୍ୱନ୍ଧକୁ ଆହୁରି ମାର୍ଜିତ କରିବା ଉଦ୍ଦେଶ୍ୟରେ ମୁଁ କେତେକ ସମୟରେ କାନ୍ତା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ଉପହାର ସ୍ୱରୂପ ନେଇ ଯାଉଥିଲି ।

 

ଗୌରସୁନ୍ଦରଙ୍କ ସମ୍ମୁଖରେ ସେସବୁ ପ୍ରୀତ୍ୟୁପହାରର ସଂଯୋଗ ରକ୍ଷା ହେଉଥିଲା ଓ ସେଥିପ୍ରତି ସେ କେବେହେଲେ କଟାକ୍ଷପାତ କରୁ ନ ଥିଲେ । ଏପରିକି ଗୌରବାବୁ ମୋ ବୁଦ୍ଧି ଓ ବିଚକ୍ଷଣତା ପ୍ରତି ଖୁବ୍‌ ପ୍ରଶଂସା କରୁଥିଲେ । ଆଉ ମନ୍ତବ୍ୟ ମଧ୍ୟ ଦେଉଥିଲେ ଯେ ମୁଁ ଯଦି ତାଙ୍କର ସାନ ଭାଇ ହୋଇ ଜନ୍ମ ଗ୍ରହଣ କରିଥାନ୍ତି, ତେବେ ତାଙ୍କ ଘରେ ଅପାର ଆନନ୍ଦ ଖେଳୁଥାନ୍ତା । ସନ୍ଦେହ ନିଃସନ୍ଦେହରେ ପରିଣତ ହୋଇଥାନ୍ତା ।

 

କିନ୍ତୁ କହିବା କଥା କ’ଣ ସବୁବେଳେ ଠିକ୍‌ ଫଳିଥାଏ । ସେ ଜାଣିବାକୁ ମୁଁ ତାଙ୍କ ଘରେ ସୌହାର୍ଦ୍ଦର ଅତିଥି । ହେଲେ ମୁଁ ଯେ ସିଆଣା ପ୍ରେମିକ । ଲୁଚି ଲୁଚି ଚନ୍ଦ୍ର କୁମୁଦିନୀର ବ୍ୟବଧାନ ଦୂର କରିପାରେ ।

 

କୁହୁକରେ ଆକର୍ଷିତ ହୋଇଯିବା ଭଳି ମନର ଚୁମ୍ୱକ ମୁଁ ନିଜଠାରେ ସଜାଡ଼ି ରଖିଥିଲି । ଯାହାକି ଅଞ୍ଜନାଙ୍କୁ ବିମୁଗ୍‌ଧ କରୁଥିଲା ଓ ଗୌରବାବୁଙ୍କୁ ପ୍ରୀତ କରୁଥିଲା । ଅତ୍ୟନ୍ତ ଉଲ୍ଲସିତ ଅବସ୍ଥାରେ ଥିଲେ କାନ୍ତାକୁ ମଧ୍ୟ ମୁଁ କୁହେ, ଜାଣିଲୁ ମୁଁ ହେଉଛି ତୋର ଦ୍ୱିତୀୟ ବାପା । ଗୌରସୁନ୍ଦର ବାବୁ ସବୁଦିନ ପାଇଁ ତୋ ବୋଉ ଆଖିରୁ ଚାଲିଗଲେ ବି କାହାରିକି କଷ୍ଟ ଲାଗିବ ନାହିଁ । କାରଣ ମୁଁ ବାପ ହୋଇ ଦାୟିତ୍ୱ ତୁଲାଇ ନେବି ।

 

ତାହା ଶୁଣି କାନ୍ତା ଜିଭ କାମୁଡ଼ି ଦେଲା ଓ କହିଲା, ଆପଣ ବାଇଆ ହେଲେଣି ନା କ’ଣ-? ବାପା ଆପଣଙ୍କୁ ଭଲ ପାଇ ଯାଇଛନ୍ତି ବୋଲି କିଛି ଗାଳି ଦେଉ ନାହାନ୍ତି ସିନା, ନ ହେଲେ ସେ ଯେବେ ଶୁଣିବେ ଯେ ଆପଣ ମୋର ବାପା ହେବେ, ତେବେ ଆପଣଙ୍କୁ ସେ ଆଉ ଏ ଦୁଆରମୁହଁ ମଡ଼େଇ ଦେବେ ନାହିଁ ।

 

ମୁଁ କାନ୍ତାକୁ କଥାଛଳରେ ଭୁଲେଇ ଦେଇ କହିଥିଲି, ହଇଲୋ ତୁ ପରା କହୁଥିଲୁ ଯେ ବୋଉ ବାପାକୁ ବା ବାପା ବୋଉକୁ ମୋଟେ ଭଲ ପାଆନ୍ତି ନାହିଁ । ତେବେ ମୁଁ ତୋ ବାପା ହେବାରେ ଦୋଷ କ’ଣ ?

 

ସେ ଯାହା ବୁଝିଥିଲା, ତାହା କହିଲା । ତା’ର ଲକ୍ଷ୍ୟ ମଧ୍ୟ ସେଇ ସମୟରେ ସୁଦୂରପ୍ରସାରୀ ଥିଲା ବୋଲି ମୁଁ ଅନୁମାନ କରିନେଲି । ସେ କହିଲା, ବାପା ବୋଉକୁ ଶୋଇଲାବେଳେ ରାତିରେ ଆଡ଼େଇ ଦିଅନ୍ତି ଓ ମୋତେ କୋଳରେ ପୂରେଇ ଆଦରରେ କୁହନ୍ତି, ତୋ ପାଇଁ ସୁନ୍ଦର ଗୋରା ତକ ତକ ବରଟିଏ ଆଣିବି । ସେ ତୋତେ ଶାଶୁଘରକୁ ବୋହୂ କରି ନେବ ।

 

କାନ୍ତା ଶୁଣି ହସିବା ଆଗରୁ ଅଞ୍ଜନା ଫେଁ କିନା ହସି ଦିଅନ୍ତି । ଗୌରସୁନ୍ଦରଙ୍କୁ ସମାଲୋଚନା କରି କୁହନ୍ତି । କରଡ଼ା ଦାଢ଼ିଆର ଦାଢ଼ିବାଜି ଗାଲ କୁଣ୍ଡେଇ ହେଲେ ମୋତେ କିଛି କହିବୁ ନାହିଁ । ମୁଁ ମୋର ଆରାମରେ ଶୋଇଲି । ବାପ ଝିଅ ଖଣ୍ଡେ ଦୂରତାରେ ଖୁଜୁବୁଜୁ ହୋଇ ଶୋଇ ପଡ଼ନ୍ତି ।

 

ଗୌରସୁନ୍ଦରଙ୍କ ଘରେ ମୋ ସମ୍ପର୍କ ବଢ଼ି ଉଠିବ ମଧ୍ୟରେ ଯେତେ ଥର କଳିକଜିଆ ଉପୁଜିଛି, ସେ ସବୁର ସମାଧାନ ପାଇଁ ମୁଁ ପ୍ରାୟ ମଧ୍ୟସ୍ଥି ସାଜିଛି । ମୋ ମନରେ ଅତି କୌତୂହଳ ଜାଗୁଥିଲା ସେମାନଙ୍କ ରାଗରୁଷା ଦେଖିବାକୁ ଓ ବାକ୍‌ତର୍କ ଶୁଣିବାକୁ । ସମାଧାନର ଦିଗ ଖୋଜି ନ ପାଇଲେ ମୁଁ କ’ଣ କରେ କି କାନ୍ତା ହାତ ଧରି ତା’ ମାମୀର ପଣତ କାନିକୁ ଝିଙ୍କି ଅଣାଏ । ତାକୁ ଗୌରବାବୁ ଅଣ୍ଟାରେ ବେଢ଼େଇ ଦିଏ । ପୂର୍ବକୁ ଅଞ୍ଜନା ଓ ପଶ୍ଚିମକୁ ଗୌରସୁନ୍ଦର ମୁହଁ କରି ଦଣ୍ଡାୟମାନ ହୋଇଥାନ୍ତି । ମୁଁ ଦେଖେ ଦୁହିଁଙ୍କ ମୁହଁରେ ହସ ଉଠିବାର । ତହୁଁ ସେମାନଙ୍କ କଳି ଭାଙ୍ଗିଯାଏ । ସେମାନଙ୍କ ପୂର୍ବ ସ୍ଥିତିକୁ ସେମାନେ ଫେରିଯାଇ ମଉଜ ମଜଲିସରେ ଢେଉ ଭାଙ୍ଗନ୍ତି ।

 

ସେଥିପାଇଁ ଦୁହିଁଙ୍କ ଖୁସିର ସୀମା ରୁହେ ନାହିଁ । ବିଶେଷ କରି ଅଞ୍ଜନା ଆନନ୍ଦରେ ଗଦ୍‌ଗଦ୍‌ ହୋଇ କୁହନ୍ତି, ଆପଣ ଠିକ୍‌ ରାଜଦୁଲାଳୀ ଭଳି ଦେଖା ଯାଉଛନ୍ତି, ବିନୋଦ ବାବୁ । ଆପଣଙ୍କୁ ଯେ କୌଣସି ଝିଅ ପ୍ରଥମ ପ୍ରେମରେ ଆକୃଷ୍ଟ କଲେ, ସେ ନିଶ୍ଚୟ ଭୁଲି ଯିବ ସ୍ୱର୍ଗ ମର୍ତ୍ତ୍ୟ, କୁମେରୁ ସୁମେରୁର ଦୂରତା–ପାର୍ଥକ୍ୟ ।

 

ବିବାହ ପର୍ଯ୍ୟନ୍ତ ଆପଣ ଆମର ହୋଇ ରୁହନ୍ତୁ । ଏଇଠି ଥାଇ ଗୌରବାବୁଙ୍କ ମନ ରକ୍ଷା କରିଥିଲେ । ସେ ଆପଣଙ୍କୁ ଏଇ ବେକାର ଯୁଗରେ ମୋଟେ ବସେଇ ଦେବେ ନାହିଁ ।

 

ତାଙ୍କ ମତରେ ମୁଁ ଆଶାୟୀ ହୋଇ ପଡ଼ିଲି । କାରଣ ଅଞ୍ଜନାଙ୍କ ସ୍ୱାମୀ ଯେତେବେଳେ ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ତେଣୁ ତାଙ୍କ ପକ୍ଷେ ମୋ ପାଇଁ ଖଣ୍ଡେ ଚାକିରି ଦେବା କିଛି କଷ୍ଟକର ବ୍ୟାପାର ନୁହେଁ । ତା’ଛଡ଼ା ପାତ୍ର ଯେହେତୁ ଖାଦ୍ୟକୁ ଛାଡ଼ି ରହିଲେ ତା’ର ମର୍ଯ୍ୟାଦା ବଢ଼େ ନା, ସେମିତି ମୋ ବ୍ୟତୀତ ଅଞ୍ଜନାଙ୍କ ପ୍ରଣୟ ଅଭିସାର ସବୁ ନଷ୍ଟ ହୋଇଯିବ ବୋଲି ସେ ଭାବୁଥିଲେ-। ଆଉ ଯେଉଁ ଭାବନା କି ସେଇ ସମୟରେ ନିଶ୍ଚିନ୍ତ ଭାବେ ସ୍ୱାଭାବିକ ।

 

ତେବେ ସେଇ ଦୁଇ ମାସର ଟ୍ରେନିଙ୍ଗ୍‌ ସରିବା ଭିତରେ ଅଞ୍ଜନା ଓ ମୋ ମଧ୍ୟ ଦେଇ ଅନେକଗୁଡ଼ିଏ ସମସ୍ୟା ବହିଗଲା । ମୁଁ ଯେଉଁ ଗର୍ବ କରୁଥିଲି ଯେ ଗୌରସୁନ୍ଦର ମୋତେ ସନ୍ଦେହ କରି ନାହାନ୍ତି, ତାହା ସତ ମାତ୍ର ତାଙ୍କର ଯେଉଁ ସନ୍ଦେହ ଚକ୍ଷୁ ଦୁଇଟି ବିବାହ ପରଠାରୁ ଅଞ୍ଜନାଙ୍କ ମନ ମଧ୍ୟରେ ଘୂରି ବୁଲୁଥିଲା, ତାହା ଆଉ ଯିବ କୁଆଡ଼େ ! ଅଞ୍ଜନା ମୋ ସଂସ୍ପର୍ଶରେ ଆସିବା ବେଳୁ ସେ ଭାବିଥିଲେ ଯେ ଆଗକୁ ତାଙ୍କ ସ୍ତ୍ରୀ ଆଉ ବହୁ ପୁରୁଷଙ୍କ ଆଲୋକରେ ମନୋରଞ୍ଜନ ନାଁରେ ନିଜକୁ ଆଲୋକିତ କରିବେ ନାହିଁ । କାରଣ ମୋତେ ହିଁ ସେ ଏକୁଟିଆ ତାଙ୍କ ଘରେ ପ୍ରଶ୍ରୟ ଦେଉଥିବାର ଅନୁଭୂତ ହୋଇଥିଲେ । କିନ୍ତୁ ଦିନେ ସେଇ ସନ୍ଦେହ କେଉଁଠି ମରି ଶୋଇଥିଲା କେଜାଣି ପୁଣି ବାଘ ଭଳି ମାତି ଆସିଲା ଅଞ୍ଜନାଙ୍କ ଉପରକୁ ।

 

ଅଞ୍ଜନା ରାତିରେ ତାଙ୍କ ପାଖରେ ଶୋଇଥିଲା ବେଳେ ତାଙ୍କ ଗାଲ ଉପରେ ହାତ ବୁଲାଇ ଆଣୁ ଆଣୁ ଗୌରସୁନ୍ଦର କହିଥିଲେ ଏଠି ତ ତୁମର ବ୍ରଣ ଉଠି ନ ଥିଲା, ଖଣ୍ଡିଆ ହେଲା କେମିତି ?

 

ଅଞ୍ଜନା ସେଥିପ୍ରତି କୌଣସି ପ୍ରତିବାଦ କରି ନ ଥିଲେ । ହୁଏତ ସେ ସତ କହି ବସିଥିଲେ ମୋତେ ହିଁ ଏକସ୍ପୋଜ୍‌ କରିଥାନ୍ତେ । କିନ୍ତୁ ତାହା ତାଙ୍କର ଲକ୍ଷ୍ୟ ନ ଥିଲା । ସେ ଏକ ଦୁର୍ବଳ ଯୁକ୍ତିରେ ତାଙ୍କୁ ଭୁଲେଇ ଦେଇଥିଲେ । ତାହା ଥିଲା କାନ୍ତାକୁ ଉଦ୍ଦେଶ୍ୟ କରି । ସେ କହିଥିଲେ, ଶରୀର ବା ମନ କଥା ତୁମେ କିଛି ଜାଣିଛ, ନା ଖାଲି ବାଡ଼ି ବୁଲେଇ ଅନ୍ଧାରରେ ବାଟ ପାଇଗଲେ ହେଲା ଏଇ ନୀତି ଧରି ଚାଲିବାକୁ ଚେଷ୍ଟା କରୁଛ ?

 

ଗୌରସୁନ୍ଦର ଆଉ ଅଧିକ ଯୁକ୍ତି କରିବା ପୂର୍ବରୁ ଅଞ୍ଜନା ଛଳନାର ମନ ନେଇ ତାଙ୍କ ପାଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କହିଲେ, ତୁମେ ବୁଝ ବା ନ ବୁଝ ତୁମରି ଆତ୍ମପ୍ରତ୍ୟୟର ଅନ୍ଧାରୀ ବିସ୍ମୟ ତଳେ ଦିନେ ନା ଦିନେ ମୋ ଜୀବନ ନାଟକ ଶେଷ ହେଇଯିବ । ପାଇବାର ଆଶା ନେଇ ମୁଁ ଯେଉଁ ଅଗ୍ରସର କରିଥିଲି, ହଜେଇବାର ନିରାଶା ମଧ୍ୟରେ ଅକାଳରେ ଦୁନିଆରୁ ନିଶ୍ଚିହ୍ନ ହୋଇଯିବି ସିନା !

 

ଆଉ କିଛି ଆଘାତ ଦେଇ ନ ଥିଲେ ଗୌରସୁନ୍ଦର । ଅଞ୍ଜନା କୁହନ୍ତି ଯେ, ଗୌରବାବୁଙ୍କ ଆଗରେ ଯେତେ ଦର୍ଶନ ବ୍ୟକ୍ତ କରିବ ସେତେ ସେ ଦୁର୍ବଳ ହୋଇ ପଡ଼ିବେ । ତାଙ୍କୁ ଚୋଟ ଲାଗିଛି ସେଇ ମେଡ଼ିକାଲ୍‌ର ରିପୋର୍ଟ ଉପରେ । ତାଙ୍କ ଗୁରୁ ଗମ୍ଭୀର ବ୍ୟକ୍ତିତ୍ୱ ପ୍ରତି ସେ ଏକ ବଡ଼ ଅପମାନ, ଯାହାକି ମଲା ପର୍ଯ୍ୟନ୍ତ ସେ ଭୁଲି ପାରିବେ ନାହିଁ ।

 

ସେଇ ଦୁର୍ବଳତାର ସୁଯୋଗ ହିଁ ଅଞ୍ଜନାଙ୍କ ଗତିପଥକୁ ସହଜ ସୁଗମ କରିଦେଲା । କିନ୍ତୁ ଅପ୍ରିୟ ସତ୍ୟ କଥା କହିବାକୁ ଗଲେ ଅଞ୍ଜନାଙ୍କ ଯୁକ୍ତିକୁ ସବୁ ସମୟରେ ମୁଁ ଆଦର କରୁଥିଲି । ସେଇଥିଲାଗି ଜଣେ ବିବାହିତା ତରୁଣୀର ତରଳ ସ୍ରୋତରେ ମିଶିଯିବା ପାଇଁ ମୋ ମାନସିକ ପରିସ୍ଥିତି ମୋତେ ବାଧା ଦେଲା ନାହିଁ ।

 

ଅଞ୍ଜନା କହୁଥିଲେ, ବିନୋଦ; ସମସ୍ତଙ୍କୁ ପ୍ରେମ କରି ଆସେ ନାହିଁ । ପ୍ରେମ କରିବା ହେଉଛି କଳା । ଯାହା ମନରେ ସେତିକ ଅଭାବ ସେ ପ୍ରେମ କରିବ କେମିତି ? ପ୍ରତ୍ୟେକ ତରୁଣ ଇଚ୍ଛା କଲେ ବାଛ ବିଚାର ନ କରି ଯେ କୌଣସି ତରୁଣୀଙ୍କୁ ଭଲ ପାଇ ପାରନ୍ତି । କିନ୍ତୁ ଜଣେ ତରୁଣୀ କେହି ଜଣେ ସାଧାରଣ ତରୁଣଙ୍କୁ ପ୍ରେମ କରି ନ ପାରେ । କାରଣ ନାରୀର ରୁଚି ପୁରୁଷ ଅପେକ୍ଷା ଯଥେଷ୍ଟ ଉନ୍ନତ ଆଉ ସ୍ୱାଦଯୁକ୍ତ । ତେଣୁ ସେ କେବଳ ଜଣେ ସୁନ୍ଦର ଯୁବକକୁ ଯେ ଭଲ ପାଇବାକୁ ଆଗ୍ରହୀ ଥାଏ, ସେ କଥା କହିବା ଭୁଲ୍‌ ।

 

ଯେଉଁ ସହରରେ ଅଞ୍ଜନା ରହୁଥିଲେ ତା’ର ଅନତିଦୂରରେ ଗୋଟିଏ ବଡ଼ ଯାତ୍ରା ହୁଏ ପ୍ରତି ବର୍ଷ ବସନ୍ତ ଋତୁରେ । ମୋର ଟ୍ରେନିଙ୍ଗ୍‌ ଶେଷ କରି ମୁଁ ଫେରିବାକୁ ମାତ୍ର ଆଉ ପନ୍ଦର ଦିନ ସମୟ ଥାଏ, ମୋତେ ଅଞ୍ଜନା କହିଲେ ବିନୋଦ; ଚାଲ ତୁମେ ଅପାଙ୍କ ସମେତ ସମସ୍ତେ ସେଇ ଯାତ୍ରା ବୁଲି ଆସିବା । ତାଙ୍କ ଆଗ୍ରହକୁ ଅନୁମୋଦନ କରିଥିଲେ ଗୌରସୁନ୍ଦର ବାବୁ ।

 

କିନ୍ତୁ ଅପା ମନାକଲା ଯିବାକୁ । କହିଲା ଅଞ୍ଜୁଲୋ, ମୋତେ କୋଉଠି ବେଳ ଅଛି ବୁଲିବାକୁ । କେତେ କେତେ ଜାଗାକୁ ତେମେମାନେ ବୁଲି ଯାଇଛ ମୁଁ ଯାଇନାହିଁ । ଆଉ ଏ ମେଳା ଦେଖି ଯିବି କେମିତି ?

 

ମୋ ଅପାର ପିଲା ଛଅ । ପୁଅ ଚାରି, ଝିଅ ଦୁଇ । ନଅ ବର୍ଷ ଠାରୁ କୋଳର ପର୍ଯ୍ୟନ୍ତ ସେମାନଙ୍କ ବୟସର ତାରତମ୍ୟ । ସେମାନେ ପ୍ରତ୍ୟେକ ସ୍ୱଭାବ ଗୁଣରେ ଭଲ ହେଲେ ସୁଦ୍ଧା ଅସୁସ୍ଥତା କେବେ ତାଙ୍କୁ ଛାଡ଼ିଯାଇ ନାହିଁ । ସେଥିଲାଗି ଆକ୍ଷେପ କରି ଅଞ୍ଜନା କହି ଦିଅନ୍ତି, ଦୁର୍ଭାଗ୍ୟକୁ କାନ୍ତା ଛଡ଼ା ମୋର ଆଉ ସନ୍ତାନ ନ ଥାନ୍ତୁ ପଛେ ମୁଁ ସୁଖୀ ଅଛି । ଜଞ୍ଜାଳରୁ ତ୍ରାହି ପାଇଛି । କିନ୍ତୁ ଜନ୍ମନିୟନ୍ତ୍ରଣ ନ କରି ଏତେ ପିଲାଙ୍କୁ ଜନ୍ମ ଦେଇଥିବାରୁ ତୁମେ କି ହନ୍ତସନ୍ତ ହେଉଛ, କହିଲ ଅରୁ ?

 

ମୁଁ ଜାଣିପାରେ ନାହିଁ ସିନା, ହେଲେ ଅପା ମନକୁ ମୋର ସତକୁ ସତ କାଟୁଥିବ । କାରଣ ତା’ ମନ ପୌରାଣିକ ରସରେ ସମୃଦ୍ଧ । ଧାର୍ମିକ ନିରାଜନାରେ ଆପ୍ଳୁତ ।

 

ଯାହାହେଉ ଅପା ମୋର ଆଧୁନିକତା ସହ ପାଦ ମିଳେଇ ଚାଲିବାକୁ ପଛେଇ ଯାଏ ସେହି ସବୁ କାରଣରୁ । ମେଳା ଯାତ୍ରା ତା’ପାଇଁ ନିରର୍ଥକ ହୋଇଥାନ୍ତି । ସେଦିନ ସେଇ ଯାତ୍ରାକୁ ନିମନ୍ତ୍ରଣ କଲେ ସୁଦ୍ଧା ଅପା ଗଲା ନାହିଁ । ଆଉ ତା’ ଅନାଗମନତା ପ୍ରତି ମନେ ମନେ ଖୁସି ହୋଇ ଯାଇଥିଲେ ଅଞ୍ଜନା । ବାଟରେ ଖୋଲା ଖୋଲି ଭାବେ ସେଇ କଥାକୁ କହିବା ପାଇଁ ଯାଇ ସେ କହିଥିଲେ ପ୍ରେମିକ ପ୍ରେମିକାଙ୍କ ପକ୍ଷେ କୌଣସି ଯାତ୍ରା, ଭ୍ରମଣକୁ ଅନ୍ୟର ସାହଚର୍ଯ୍ୟ ମୋଟେ ଆନନ୍ଦଦାୟକ ନୁହେଁ । ସେ ଦୁହେଁ ହିଁ କେବଳ ଦୁଇଜଣଙ୍କୁ ସାଥୀ ।

 

ତଥାପି ସେଇ ଯେଉଁ ଯାତ୍ରାକୁ ଆମେ ଏସ୍‌.ଡି.ଓ. ଗୌରବାବୁଙ୍କ ଜିପଯୋଗେ ଯାଇଥିଲୁ ସେଥିରେ କାନ୍ତା ଆମର ସହଗମନ କରିଥିଲା । ସଂଖ୍ୟାରେ ଆମେ ଥିଲୁ ତିନ୍‌ । ଜିପ୍‌କୁ ଅତି ସୁନ୍ଦର ଭାବେ ପରିଚାଳନା କରୁଥିଲେ ଅଞ୍ଜନା ।

 

ଅଞ୍ଜନା କହିଲେ ତୁମେ ଯଦି କିଛି କିଛି ସମୟ ମୋ ନର୍ଦ୍ଦେଶନାରେ ଷ୍ଟିଅରିଙ୍ଗରେ ହାତ ପକେଇବା ଓ ବ୍ରେକ ପ୍ରଭୃତି ଧରିବାରେ ତାଲିମ୍‌ ନିଅନ୍ତ, ତା’ହେଲେ ଅକ୍ଳେଶରେ ଜିପ୍‌ ଡ୍ରାଇଭ ଶିଖି ଯାଅନ୍ତ । ତାଙ୍କ କଥାରେ ମଜ୍ଜା ଉଠିବା ଛଳରେ ମୁଁ କହିଲି, ସବୁ ମୁହୂର୍ତ୍ତରେ ତ ଆପଣ ମୋ ଷ୍ଟିଅରିଙ୍ଗ୍‌ ଉପରେ ହାତ ପକେଇଛନ୍ତି । ହେଲେ ମୁଁ କ’ଣ ଦ୍ରୁତ ଗତିରେ ଆଗେଇ ପାରିଛି ?

 

ଜିପ୍‌ଟି ଆଗେଇ ଚାଲୁଥିଲା ଓ ମୋ କୋଳରେ କାନ୍ତା ବସି ତା’ ହାତ ଆଙ୍ଗୁଠିରେ ବାହାରର ବିଭିନ୍ନ ଦୃଶ୍ୟକୁ ଦେଖେଇ ଦେଇ ମନକୁ ମୋର ଭ୍ରଷ୍ଟ କରି ଦେଉଥିଲା । ଅବଶ୍ୟ ସେଥିରେ ମୁଁ ଅସନ୍ତୋଷ ପ୍ରକାଶ କରୁ ନ ଥିଲି । କାରଣ ତା’ ସ୍ନେହ ମୋ ମନରେ ଭରି ଦେଉଥିଲା ଅଦମ୍ୟ ଉତ୍ସାହ । ପିପାସିତ କରୁଥିଲା ମୋ ଜୀବନର ତୃଷ୍ଣାକୁ ।

 

ତାହା କିନ୍ତୁ ଅଞ୍ଜନାଙ୍କୁ ସନ୍ତୁଷ୍ଟ କରୁ ନ ଥିଲା । ଅଞ୍ଜନା ଚାହୁଁଥିଲେ ମୋରିଠାରୁ କେବଳ ପ୍ରଣୟର ସଂଳାପ ଶୁଣିବାକୁ । ଖାଲି ସେତିକି ନୁହେଁ ତାଙ୍କ ଅନୁରୋଧରେ ମୁଁ ଗୀତ ଗାଇବାକୁ ମଧ୍ୟ ବାଧ୍ୟ ହୋଇଥିଲି ।

 

ତା’ପରେ ଆମେ ଯାତ୍ରାରେ ପହଞ୍ଚି ଯାଇଥିଲୁ । ବହୁ ଜନ ସମାଗମରେ ସେଇ ଯାତ୍ରାଟି ସମାରୋହରେ ପୂରି ଉଠିଥିଲା । ଅତ୍ୟାଧୁନିକ ଧରଣରେ ଭାରତର ବିଭିନ୍ନ ପ୍ରାନ୍ତରରୁ ଦୋକାନ, ବଜାର ଆସି ସେଇଠାରେ ସାଜ ସରଞ୍ଜାମ ଜମେଇ ବସିଥିଲେ । ଅଞ୍ଜନା ଓ ମୁଁ ତାହା ଦେଖି ଯେତେ ବିସ୍ମିତ ହେଉ ନ ଥିଲୁ, କାନ୍ତା ସେ ଆଡ଼କୁ ଦୃଷ୍ଟି ନିକ୍ଷେପ କରି ଆଶ୍ଚର୍ଯ୍ୟ ହୋଇ ଯାଉଥିଲା । ମୁଁ ତାକୁ କାଖ କରି ସବୁ ବୁଲେଇ ଦେଖାଉଥିଲି ।

 

ଆମେ ଦୁହେଁ ବଜାର ଭିତରେ ଟିକେ ଆଗକୁ ଅଗ୍ରସର କରି ଯାଇଥିଲୁ । ସେଇ ଗହଳି ଭିତରେ ଅଞ୍ଜନା ଯେ କାହିଁକି ପଛରେ ପଡ଼ି ଯାଇଥିଲେ ମୁଁ ଜାଣି ପାରିଲି ନାହିଁ । କାନ୍ତାକୁ କାଖେଇ ମୁଁ ପଛକୁ ଫେରି ଖୋଜିଲି । ଦେଖିଲି ଗୋଟିଏ ଫର୍ଣ୍ଣିଚର ଦୋକାନ ପାଖରେ ଅଟକି ଯାଇ ଜଣେ ଭଦ୍ରଲୋକଙ୍କ ସାଙ୍ଗରେ ଖୁବ୍‌ ଜୋରରେ ଯୁକ୍ତି ତର୍କ କରୁଛନ୍ତି । ସେଠି ଅନେକ ଲୋକ ଜମି ଆଗ୍ରହରେ ଉଭୟଙ୍କ ପକ୍ଷ ସମର୍ଥନ କରୁଥିଲେ । ମୁଁ ସେମାନଙ୍କ ମଧ୍ୟକୁ ପ୍ରବେଶ କଲି । କାଖରେ ମୋର କାନ୍ତା ଥାଏ ।

 

ଘଟଣା କ’ଣ ମୁଁ ଜାଣିବାକୁ ଚାହିଁଲି । ଭଦ୍ରବ୍ୟକ୍ତି ଜଣକ ଯେହେତୁ ନିଃସଙ୍କୋଚରେ ଅଞ୍ଜନାଙ୍କ ସହ ରାଗାନ୍ୱିତ କଣ୍ଠରେ ବାକ୍ୟବାଣ ପ୍ରୟୋଗ କରି ଚାଲିଛନ୍ତି, ତେଣୁ ମୁଁ ଅନୁମାନ କରି ନେଲି ଯେ ସେ ନିଶ୍ଚୟ ପରିଚିତ ବ୍ୟକ୍ତି ।

 

ଅଞ୍ଜନାଙ୍କର ସେ ଭଦ୍ରବ୍ୟକ୍ତି ପରିଚିତ ଥିଲେ । ଖାଲି ପରିଚିତ ନଥିଲେ, ଅତି ଆପଣାର ମଧ୍ୟ । ମୁଁ ତାଙ୍କୁ ଯେତେ କହିଲି, ଆପଣ ଶିକ୍ଷିତ, ଭଦ୍ର । ରସନା ସଂଯତ କରି କଥାବାର୍ତ୍ତା କରନ୍ତୁ ।

 

ସେ ମୋ କଥାରେ ଚୁପ୍‌ ହୋଇ ନ ଥିଲେ । ବରଂ ଅତି ତାଚ୍ଛଲ୍ୟ ସ୍ୱରରେ ହସି ହସି ପ୍ରଳାପୀ ସମ କହି ଉଠିଥିଲେ, ତୁମେ କିଏ ନବ ଯୁବକ ? ଶେଷରେ ତୁମେ ହିଁ କ’ଣ ତାଙ୍କୁ ଉଡ଼େଇ ନେଇ ଯିବାକୁ ଚେଷ୍ଟାରେ ଅଛ ?

 

ମୁଁ କିଛି ପ୍ରତିବାଦ କଲି ନାହିଁ । କାରଣ ସେଠି ଉପସ୍ଥିତ ଥିବା ପ୍ରତ୍ୟେକ ଉତ୍ସୁକ ଦର୍ଶକ ମୋ ଆଡ଼କୁ ଚାହିଁ ରହିଥିଲେ । ମୋ କାଖରେ କାନ୍ତାକୁ ଦେଖି ସେମାନେ ଅବଶ୍ୟ ମୋତେ ଭାବି ନ ଥିବେ ଯେ ମୁଁ ତାରି ବାପା । କାରଣ ମୋ ବୟସର ବର୍ଗଫଳ ସେତେବେଳେ ମୋତେ କାନ୍ତାର ବାପା ସ୍ତରକୁ ନେଇ ନଥିଲା । ମୁଁ ଥିଲି କଅଁଳ, ସବୁଜ, ହରିତ୍‌ ଅଥବା ସୁବର୍ଣ୍ଣ ଯୁବକ ।

ମୋ ମୁହଁ ଥିଲା ଗୋଲ । ଦାଢ଼ି ଉଠି ନ ଥିଲା ମୁହଁରେ । କପାଳରେ ବାଳ ଝୁଙ୍କି ପଡ଼ିଥିଲା ଆଧୁନିକ ଭଙ୍ଗୀରେ । ମୁଁ ବିନ୍ୟାସର ଚାହାଣି ବୁଲାଉଥିଲି ଦର୍ଶକଙ୍କ ଆଡ଼କୁ ।

ତେଣୁ ପ୍ରଥମ ପଦକ୍ଷେପରେ ଅଞ୍ଜନାଙ୍କ ପକ୍ଷ ନେଇ କଥା କହିଲା ବେଳେ ସେଇ ଭଦ୍ରବ୍ୟକ୍ତିଙ୍କ ତାତ୍ସଲ୍ୟ ଆକ୍ଷେପ ମୋତେ ଆଘାତ ଦେଇଥିଲା । ତଥାପି ତାହା ସହ୍ୟ କରି ଭଦ୍ରୋଚିତ ଭାଷାରେ ମୁଁ ବୁଝାଇ ଦେଇଥିଲି ।

ହେଲେ ସେ ? କି ମୁସ୍କିଲ ଲୋକ ଯେ କେଜାଣି ତାହା ଦେଖି ମୁଁ ଆଶ୍ଚର୍ଯ୍ୟ ମଣୁଥିଲି । ଏମିତି ଲୋକ ପୁଣି ଥାନ୍ତି ଯେ କି ଅପରର ସ୍ତ୍ରୀକୁ ଆପଣାର କହିଥାନ୍ତି ?

ସେ କହୁଥିଲେ ଅତି ନିର୍ଲଜ୍ଜ ଭାବେ । ଅଞ୍ଜନା ମୋ ସ୍ତ୍ରୀ । ଏସ୍‌.ଡି.ଓ. ଗୌରସୁନ୍ଦରଙ୍କୁ ଛାଡ଼ପତ୍ର ଦେଇ ମୋତେ ସେ ବିବାହ କରିଛି ?

ପୁଣି ସେ ମୋ ହାତକୁ ଧରି କହି ପକେଇଲେ, ହଇଓ ନବ ଯୁବକ; ପଚାରିଲ ଏଇ ଦେବୀଙ୍କୁ, ସେ ନିର୍ଦ୍ୱନ୍ଦ୍ୱରେ କହିବେ କି ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲା ପରେ ଦେବମନ୍ଦିରରେ ଆଉ କାହାକୁ ମାଳା ବଦଳ କରି ବିବାହ କରି ନାହାନ୍ତି ବୋଲି ?

ମୁଁ ପ୍ରକୃତରେ ତଟସ୍ଥ ହୋଇ ଯାଇଥିଲି । ଅଞ୍ଜନା ଖାଲି ମିଛ ମିଛ ବୋଲି ଚିତ୍କାର କରି ଉଠୁଥିଲେ । ଥୋକେ ଲୋକ ତାଙ୍କୁ ପାଗଳ କହି ଘୃଣା କରୁଥିଲେ ହେଁ ଆଉ ଥୋକେ ଅଞ୍ଜନାଙ୍କୁ ବିଟପୀ, ବ୍ୟଭିଚାରିଣୀ ଭାବି ସମାଲୋଚନା କରୁଥିଲେ ।

 

ଯାହାହେଉ ଘଟଣାର ସମାଧାନ ପନ୍ଥା ଯେ କ’ଣ ତାହାହିଁ ଥିଲା ମୋ ପକ୍ଷରେ ଚିନ୍ତାର ବିଷୟ । ମୁଁ ଯେତେବେଳେ ତାଙ୍କୁ ସଙ୍ଗରେ ଆଣିଛି ସେଇଟା ହେଉଛି ମୋର ବଡ଼ କର୍ତ୍ତବ୍ୟ । ପୁଣି ଅଞ୍ଜନା ଯେଉଁ ଭଳି ନାରୀ ତାଙ୍କ ଉପରେ ମନର ରିସ୍କ୍‌ ନେଲେ କେତେବେଳେ ଯେ ନିଜ ଦେହରେ ବିପଦର ପବନ ଆସି ବାଜିଯିବ ତାହା କିଏ କହିବ ।

 

ଅଞ୍ଜନାଙ୍କ ସହ ମୋ ସମ୍ପର୍କ ସମସ୍ତଙ୍କ ମନଦର୍ପଣରେ ସିନା ପ୍ରତିବିମ୍ବିତ ହୋଇପାରୁ ନ ଥିଲା, ହେଲେ ତାଙ୍କରି ମୁହଁର ତାଲା ଯଦି ତାଙ୍କରି ସଂଳାପର ଚାବିରେ ଖୋଲେ, ତେବେ ବାହାରେ ବ୍ୟକ୍ତ ହୋଇଯିବା ରହସ୍ୟକୁ ଆଉ ଉଦ୍ଧାର କରିବ କିଏ ? ମୁଁ ତ ନିଜେ ପାରିବି ନାହିଁ । ରୋଗୀ ଯିଏ ସିଏ କ’ଣ ସେଇ ସମୟରେ ବଇଦ ହୋଇପାରେ ?

 

ମନରେ କେତେ କ’ଣ ଉଙ୍କି ମାରୁଥିଲା । ହେଲେ ମୁଁ ବା ଚୁପ୍‌ ରହିଥାନ୍ତି କେତେକେ । ମୁଁ କାହାକୁ କିଛି ନ କହି ସେହି ଗହଳି ମଧ୍ୟରୁ ବାହାରକୁ ଚାଲି ଆସିଲି ଓ ଜଣେ ଅଚିହ୍ନା ଦର୍ଶକଙ୍କୁ ସେଇ ସମ୍ବନ୍ଧରେ କହିବାରେ ସେ ମୋତେ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇଗଲେ ।

 

ମୁଁ ତାଙ୍କୁ ପୋଲିସ୍‌ ଷ୍ଟେସନ ପଠେଇ ଦେଇ ଅଞ୍ଜନାଙ୍କ ପାଖରେ ପୁଣି ଜଗି ରହିଲି । ତତ୍‌କ୍ଷଣାତ୍‌ ସେ ପୋଲିସରେ ସାଇକେଲଦ୍ୱାରା ଯାଇ ଖବର ଦେଇ ଆସିଲେ ଓ ପରେ ପରେ ଠିକ୍‌ ଫୋର୍ସ ନେଇ ଏକ ପୋଲିସ୍‌ ଦଳ ସେଠାରେ ଆସି ପହଞ୍ଚିଗଲେ ।

 

ତାଙ୍କ ଭିତରେ ଯେଉଁ ପୋଲିସ୍‌ ଇନ୍‌ସପେକ୍ଟର ଆସିଥାନ୍ତି, ସେ ମହା ଚାଲାଖ ବୋଲି ମୋତେ ମାଲୁମ୍‌ ପଡ଼ିଲା । କାରଣ ସେ ସେଠାରେ କାହାକୁ କିଛି ନ ପଚାରି ସିଧା ସେ ଦୁହିଁଙ୍କୁ ନେଇଗଲା ପୋଲିସ୍‍ ଷ୍ଟେସନ ଓ ସଙ୍ଗେ ସଙ୍ଗେ ଗୌରସୁନ୍ଦରଙ୍କ ନିକଟ ସେଇ ସମ୍ବାଦ ପହଞ୍ଚନ୍ତେ ସେ ଆସି ଜିପ୍‍ ଯୋଗେ ଆମ ଦୁହିଁଙ୍କୁ ନେଇ ଚାଲିଗଲେ ।

 

ସେ ପର୍ଯ୍ୟନ୍ତ ଅଞ୍ଜନାଙ୍କ ଚରିତ୍ର ଉପରେ ବାହାରର ପ୍ରତ୍ୟକ୍ଷ ସମାଲୋଚନା ଛାପ ପକାଇ ନଥିଲା । ଜଣେ ଇଞ୍ଜିନିୟରଙ୍କ ସ୍ତ୍ରୀ ହିସାବରେ ତାଙ୍କ ଚରିତ୍ରକୁ ଯେଉଁମାନେ ସନ୍ଦେହ କରୁଥିଲେ, ସେମାନେ ଭିତରେ ଭିତରେ ଆଲୋଚନା ପ୍ରତିଆଲୋଚନା କରିବାରେ ଲାଗୁଥିଲେ ।

 

କିନ୍ତୁ ଏଇଭଳି ଦୁର୍ଘଟଣାରେ ଯେଉଁଦିନ ଗୌରସୁନ୍ଦର ବାବୁ ପ୍ରତିହତ, ସେଦିନ ତାଙ୍କ ଧୈର୍ଯ୍ୟର ସୀମା ରହି ନଥିଲା । ପ୍ରତିଷ୍ଠା, ଗାମ୍ଭୀର୍ଯ୍ୟ ଯାହା ଟିକେ ତାଙ୍କ ବାହାରର ଆବରଣକୁ ଢାଙ୍କି ରଖିଥିଲା, ତାହା ପୋଡ଼ି ଜଳି ଭସ୍ମ ହୋଇଗଲା ଅଞ୍ଜନାଙ୍କ ନଷ୍ଟ ଚରିତ୍ରର ସନ୍ଦେହାଗ୍ନିରେ ।

 

ପୋଲିସ୍‍ ଷ୍ଟେସନରୁ ସେ ଫେରି ଆସିଥିଲେ । ଜଣେ ଅଫିସରଙ୍କ ପତ୍ନୀ ବୋଲି ତାଙ୍କୁ ନିଃସନ୍ଦେହରେ ଛାଡ଼ି ଦେଇଥିଲେ ପୋଲିସ୍‍ ଇନ୍‌ସପେକ୍ଟର । ଆଉ ସଂପୃକ୍ତ ଭଦ୍ରବ୍ୟକ୍ତିଙ୍କୁ ମଧ୍ୟ ପାଗଳ ସାବ୍ୟସ୍ତ କରି ଖଲାସ କରି ଦେଇଥିଲେ । ହେଲେ ଲାଭ କ’ଣ ହେଲା ?

 

ଜଳିଥିବା କାଠର ପୋଡ଼ା ଅଙ୍ଗାର ଆଉ କେବେ ସେହି କାଠ ଅବସ୍ଥାକୁ ଫେରି ଆସେ ନାହିଁ । ଥରେ ଯେଉଁ ବଦ୍‌ନାମ ଅଞ୍ଜନାଙ୍କ ନାଁରେ ପରିବ୍ୟାପ୍ତ ହୋଇଗଲା, ତାହା ଆଉ ସୁନାମରେ ପରିବର୍ତ୍ତିତ ହୋଇ ପାରିଲା ନାହିଁ । ଯେଉଁମାନେ ଅଞ୍ଜନାଙ୍କୁ ଭଲ ବୋଲି ଭାବୁଥିଲେ ସେମାନେ ମଧ୍ୟ କହିବାରେ ଲାଗିଲେ ଯେ ଗୌରବାବୁଙ୍କ ସ୍ତ୍ରୀଙ୍କୁ କିଏ ନେଇ ପଳେଇଥିଲା ।

 

ତାଙ୍କୁ ପାଗଳ କହି ଯେତେ ସଫେଇ ଦେଲେ ଜନସାଧାରଣ ବୁଝିଲେ ନାହିଁ । ଅଞ୍ଜନାଙ୍କ ମୁହଁରେ କାଳି ଲାଗିଗଲା । ସେ ଆଉ ବାହାରକୁ ବାହାରି ମୁହଁ ଦେଖାଇ ପାରିଲେ ନାହିଁ-। ପିଆନୋର ଝଙ୍କାର ନିସ୍ତବ୍‌ଧ ହୋଇଗଲା । ଗୌରସୁନ୍ଦର ଘରକୁ ନ ଫେରି ଏଣେତେଣେ ରାତିରେ ରହିଗଲେ । ସେପରି ଅବସ୍ଥାରେ ଅଞ୍ଜନାଙ୍କ ପାଖରେ ସୌହାର୍ଦ୍ଦ୍ୟର ହୋଇ କେହି ନାହିଁ । ତା’ ପାଖକୁ ସମସ୍ତେ ଯିବାକୁ ଘୃଣା କଲେ ।

 

ଓଲଟି ସିଆଣିଆ ହୋଇ ମୁଁ ଅପାକୁ କହିଲି ଦେଖିଲୁ ଅପା, ତୁ ମୋତେ ଅଞ୍ଜନାଙ୍କ ସହିତ ମିଳିବାକୁ ପ୍ରଶ୍ରୟ ଦେଉଥିଲୁ, ହେଲେ ଫଳ କ’ଣ ହେଲା ? ଅପା କହିଥିଲା, ହଁରେ ଅରୁ ମହାକାଳ ଫଳ ବଡ଼ ସୁନ୍ଦର, ଭିତରେ ଦେଖିଲେ ପୋଡ଼ା ଅଙ୍ଗାର । ତୋର ଆଉ କ’ଣ ଅଛି । ହାତ ଗଣତି ଦଶଟା ଦିନ କୁଆଡ଼େ ପାହିଗଲେ ତୁ ଘରକୁ ପଳେଇବୁ । କୋଉ ଏଠି ତୁ ରହିବୁ, ନା ତା’ ସାଙ୍ଗରେ ମିଶିବୁ ।

 

ଅପା କହିଦେଇ ଚାଲି ଯାଇଥିଲା ସିନା, ହେଲେ ମୋ ମନ ଭିତରେ ଅଞ୍ଜନାଙ୍କ ପାଇଁ ଖାଲି ଗୋଳେଇ ଘାଣ୍ଟି ହେଲା । ଅଞ୍ଜନାଙ୍କୁ ଦୁନିଆ ଭୁଲ୍‍ ବୁଝିପାରେ । ହେଲେ ମୁଁ ?

 

ମୋ ମନ ଭିତରେ ଅଞ୍ଜନା ଯେ ଏକ ପ୍ରଗାଢ଼ ପ୍ରଣୟର ବସା ବାନ୍ଧି ଦେଇଛନ୍ତି । ତାହା ଜାଣିବ କିଏ ? ଅନୁଭବ କରିବ କିଏ ? ଇଂରାଜି ବାକ୍ୟରୁ ଗୋଟିଏ ଗ୍ରାମାର୍‌ କେଉଁଠି ଭୁଲ୍‍ ହୋଇଗଲେ, ସେଇ ବାକ୍ୟଟି ଯେମିତି ସମୁଦାୟ ଭୁଲ୍‍ ବୋଲି କଳନା କରାଯାଇଥାଏ, ସେମିତି ମନ ଭିତରେ ଅଭିମାନରେ ହେଉ ବା ଅଜାଣତରେ ହେଉ ଟିକିଏ ଭୁଲ୍‍ ରହିଗଲେ ପ୍ରଣୟର ସମୁଦାୟ ଅଂଶର ପ୍ରଳମ୍ବ ଅଶୁଦ୍ଧି ଘଟେ । କିନ୍ତୁ ତାହା ଆମ ଦୁହିଁଙ୍କ ପ୍ରଣୟ ଯୋଗରେ କେବେ ଦେଖାଯାଇ ନାହିଁ । ଆମେ କେବେ ଅଭିମାନ କରି ନାହୁଁ କିମ୍ବା ମୁହଁ ଫୁଲାଫୁଲି କରି ନାହୁଁ । ସବୁବେଳେ ଆମେ ମଜଗୁଲ ରହିଛୁ ପ୍ରଣୟର ରଙ୍ଗରେ । ବିଭୋର ହୋଇଛୁ ଚୁମ୍ବନର ମାଦକତାରେ । ଆଉ ଉତ୍ତେଜିତ ହୋଇଛୁ ଅନ୍ତରାଳର ବନ୍ଧନରେ ।

 

ସେଥିପାଇଁ କାନ୍ତା ବି ଆମର ପ୍ରତିବନ୍ଧକ ହୋଇ ନାହିଁ । ଘଟଣା ଘଟିବାର ଦୁଇଦିନ ପର୍ଯ୍ୟନ୍ତ ମୁଁ ଯାଇ ନ ଥିଲି ଅଞ୍ଜନାଙ୍କ ପାଖକୁ । ତେଣୁ ମୋ ପାଖକୁ କାନ୍ତା ଆଣି ଖବର ଦେଲା । କହିଲା, ବିନୁ ଭାଇ, ମାମୀ ଡାକୁଚି, ତୁମେ ଆମ ଘରକୁ ଆସିବ । ସେ ଏହା ଏକାନ୍ତରେ କହି ନଥିଲା । କହିଥିଲା ଅପା ସମ୍ମୁଖରେ । ସେଥିଲାଗି ଅପା ରାଗିଯାଇ କହିଲା, ତୋ ବୋଉ ପାଖକୁ କେହି ଯେତେବେଳେ ଯାଉ ନାହାନ୍ତି, ବିନୁ ଯିବ କାହିଁକି ? ଯା ତୋ ବୋଉକୁ କହିସେବୁ, ତା’ ଭଳି ଚରିତ୍ରହୀନା ସ୍ତ୍ରୀ ପାଖକୁ ମୋ ଭାଇ ଯିବ ନାହିଁ ।

 

କାନ୍ତା ଶୁଣି ଚାଲି ଯାଇଥିଲା । ଆଉ ତା’ ଯିବା ପରେ ମୁଁ ଅନେକ ହସିଥିଲି । ଅପା ମୋ ହସ ଦେଖି ପଚାରିଲା ଆରେ ବିନୁ, ତୁ ଏତେ ହସୁଛୁ କାହିଁକି ?

 

ମୁଁ ଅପା ପ୍ରଶ୍ନରେ ପ୍ରକୃତିସ୍ଥ ହୋଇ ପଡ଼ିଲି । କହିଲି, ତୁ ଟା ଓଲି କିଲୋ ଅପା ? ତୋ କହିଥିବା ଚରିତ୍ରହୀନା ଶବ୍ଦର ଅର୍ଥ କାନ୍ତା ଭଳି ଛୁଆଟା କ’ଣ ବୁଝିବ ଯେ !

 

ଅପା ଟିକିଏ ସମୟ ଚିନ୍ତିତ ହୋଇ କହିଥିଲା, ଆଜିକାଲି ପିଲା ତ ଓଳିଆରୁ ପଡ଼ି ଗଜା-। ତାଙ୍କୁ ଜାଣିବାକୁ ବା କେତେଦୂର । ହେଉ ହେଲା ଏବେ, ସେ ନ ବୁଝୁ । ତୁ ତ ବୁଝିଲୁ ।

 

ମୋ ପ୍ରତି ଅପାର ଉକ୍ତ ଅନ୍ତରାଳରେ ଅବଶ୍ୟ ବ୍ୟଙ୍ଗ ଥିଲା । ହେଲେ ସେଥିକି ମୁଁ କିଛି ପ୍ରତ୍ୟୁତ୍ତର ଦେଇ ନ ଥିଲି । ଥରେ କ୍ଷୀର ଭାଣ୍ଡରେ ମୁହଁ ଲାଗିଗଲେ ବିରାଡ଼ି ଯେମିତି ହୁଏ, ମୁଁ ସେମିତି ହେଉଥିଲି ଅଞ୍ଜନାଙ୍କ ପାଖରେ । ତାଙ୍କ ଅଭାବ ମୋତେ ବିବ୍ରତ କରୁଥିଲା । ତାଙ୍କର ମଧୁ ମୋ ସ୍ୱପ୍ନତନୁରେ ଭରି ଦେଉଥିଲା ନିଶିତନ୍ଦ୍ରାର ଅଳସ ।

 

ମୁଁ ଲୁଚି ଲୁଚି ଅଞ୍ଜନାଙ୍କୁ ଦେଖା କରିବାର କ୍ରମ କଲି । ଅଞ୍ଜନା ବୁଝି ପାରିଲେ । କହିଲେ, ବିନୋଦ ତୁମ ପ୍ରେମର ୠଣ ମୁଁ ଏ ଜନ୍ମରେ ପରିଶୋଧ କରି ପାରିଲି ନାହିଁ । ଆସନ୍ତା ଜନ୍ମରେ ଯଦି ମନର ଏକନିଷ୍ଠତା ଠିକ୍‍ ଥାଏ, ତେବେ ଦୁହିଁଙ୍କର ମିଳନ ହେବ । ସେ ମିଳନରେ କାହାରି ବାଧାବିଘ୍ନ କିମ୍ୱା ଆକ୍ଷେପ ନ ଥିବ ।

 

ଅଞ୍ଜନାଙ୍କୁ ମୁଁ ଆଶ୍ୱସ୍ତ ହେବାକୁ କହି ଆସିଥିଲି । ହେଲେ ସେ ମୋ ଉପଦେଶକୁ ରକ୍ଷା କରିବା ଅବସ୍ଥାରେ ଆଉ ନ ଥିଲେ ।

 

ତହିଁ ଆରଦିନ ରାତି ପାହି ସକାଳ ହେଲା ବେଳକୁ ମୁଁ ଦେଖିଲି ଅଞ୍ଜନା ଆଉ ନାହାନ୍ତି । ତାଙ୍କ ପାଖରେ କାନ୍ତା ଦଣ୍ଡାୟମାନ ହୋଇ ଭୋ ଭୋ କାନ୍ଦୁଛି । ଗୌରସୁନ୍ଦର ଅନୁପସ୍ଥିତ ! ସେଇ ସମୟରେ ପଡ଼ୋଶୀମାନଙ୍କ ସହ ମୁଁ ପ୍ରବେଶ କରି ସବୁ ଦେଖିଲି ।

 

ଅଞ୍ଜନା ଚିରଦିନ ପାଇଁ ବିଦାୟ ନେଇଛନ୍ତି । ଆଉ କାହା ପାଇଁ ହେଉ ନ ହେଉ, ମୋ ପାଇଁ ତାଙ୍କ ମୃତ୍ୟୁ ଯନ୍ତ୍ରଣା ଅତି ଦୁଃଖଦାୟକ ହୋଇ ଉଠିଲା ।

 

ଅଞ୍ଜନା ବିଷ ଖାଇ ଆତ୍ମହତ୍ୟା କଲେ । ଗୌରସୁନ୍ଦର ସମ୍ବାଦ ପାଇ ଆସିଲେ । ତାଙ୍କ ଉପସ୍ଥିତିରେ ଅଞ୍ଜନାଙ୍କ ହସ୍ତାଙ୍କିତ ପତ୍ର ଖୋଲାଯାଇ ପାଠ କରାଯାଇଥିଲା । ସେଇ ମୃତ୍ୟୁରେ ସେ ନିଜକୁ ନିଜେ ଦାୟୀ କରି ଯାଇଥିଲେ । ତେଣୁ ତାହା ତଦନ୍ତ ହେବାର ଅଭିଯୋଗ ଉଠୁ ନ ଥିଲା ।

 

ତା’ପରେ ସମସ୍ତେ ବିଭିନ୍ନ ମତ ପ୍ରଦାନ କରି ଅପସରି ଗଲା ପରେ ଏକୁଟିଆ ମୁଁ ଗୌରସୁନ୍ଦରଙ୍କ ସମକ୍ଷରେ କାନ୍ତାକୁ କୁଣ୍ଢେଇ ପକେଇ କହିଥିଲି, ତୋ ବୋଉ କୁଆଡ଼େ ଗଲା କାନ୍ତା-? ଆଉ କ’ଣ ବୋଉ ପିଆନୋ ବଜେଇବ ନାହିଁ ?

 

ମୋ ଶୋକାର୍ତ୍ତ ସଂଳାପର ବାଣ ବିଦାରି ପକେଇଥିଲା ଗୌରସୁନ୍ଦରଙ୍କ ପ୍ରାଣକୁ । ସେ ପିଲାଙ୍କ ଭଳି କାନ୍ଦି କହି ଉଠିଥିଲେ, ଯେଉଁ ସନ୍ତାନର ମା ନାହିଁ ତା’ର ଆଉ କିଏ ସାହା !

 

ଶବର ଚିତାଗ୍ନି ଚରିତ୍ରହୀନତାର ବାଛ ବିଚାର କରୁ ନଥିଲା ବୋଧହୁଏ ।

 

ଜୀବନ ଥିଲା ବଞ୍ଚିଥିବା ଲୋକଙ୍କ ପ୍ରତି ଏଇ ପ୍ରଶ୍ନବାଚକର ବନ୍ଧନୀ ଭିତରେ ।

 

।। ୪ ।।

 

ବୟସର ଯୌବନରେ ଯେଉଁ ଜୁଆର ଉଠେ, ତାହା ଅସ୍ଥିର କରି ପକାଏ ପ୍ରତ୍ୟେକଙ୍କୁ । ମନ, ଜ୍ଞାନ କେତେବେଳେ ଯେ କ’ଣ ହୁଏ, କିଛି କହି ହୁଏ ନାହିଁ । ରମେଶର ଶରୀରରେ ଯୌବନ ଶିହରିତ ହୋଇ ଉଠିଛି । ଉତ୍ତୁଳା ବୟସ ନଇଁଗଲେ ଆଉ ଉପଭୋଗ କରିବାକୁ ମନ ବଳିବ କେମିତି ! ତାରି ସାଙ୍ଗ ବିନୋଦ ବିବାହ କରିଛି । ଖାଲି ବିବାହ କରି ନାହିଁ, ସେ ଯେଉଁଭଳି ପ୍ରେମ କରିବା ପରେ ଏକ ନହୁଲୀ ବୟସୀର ସ୍ୱାମୀ ସାଜିଛି ତାହା କ୍ୱଚିତ୍‌ ପୁରୁଷଙ୍କ ଭାଗ୍ୟରେ ଏ ଦେଶରେ ଘଟିଥାଏ ।

କାନ୍ତା ?

ଓଃ, ତା’ ଯୌବନର ଚାହାଣିରେ ସେ ଯେଉଁ ମାଦକତା !

ଇସ୍‌, କି ଅଶ୍ଳୀଳ ପୁଲକ ସୃଷ୍ଟି କରୁଛି ରମେଶର ତନୁ ମନରେ !

କାନ୍ତାକୁ ଉପଭୋଗ କରିବା ତା’ ଲକ୍ଷ୍ୟ । ତା’ ନହେଲେ ସେ ତୃପ୍ତିରେ ଦିନ ବିତେଇ ପାରିବ ନାହିଁ । ବିନୋଦ ଯେହେତୁ ପ୍ରେମ ପଥରେ ପଥୁକି ହୋଇ ସାରିଛି ତା’ ବିବାହ ପୂର୍ବରୁ, ତାକୁ ସେମିତି ହେବାକୁ ହେବ ।

ସେଦିନ ବିନୋଦ କାନ୍ତାକୁ ବୁଲେଇ ଆଣିଥିଲା ରମେଶ କ୍ୱାଟରକୁ । କ୍ୱାଟରରେ କେହି ନଥିଲେ । କାନ୍ତା ହସି ହସି କହିଲା, ରମେଶ ବାବୁ, ବିବାହ କରି ସାଥୀଟିଏ ଆଣିଲେ ଏଇ କ୍ୱାଟର ହସି ଉଠନ୍ତା ନାହିଁ ? ନିର୍ଜନତା କ’ଣ ଆପଣଙ୍କୁ ଏତେ ଆନନ୍ଦ ଦେଇ ପାରୁଛି ?

ରମେଶ କିଛି ନ କହୁଣୁ ବିନୋଦ କଥା ମାଡ଼ି କହି ପକେଇଥିଲା, ମନେରଖ କାନ୍ତା, ରମେଶର ବିବାହ କରିବା ଭାର ତୋ ଉପରେ । ତୋତେ ମୁଁ ଯେପରି ବିବାହ କଲି, ରମେଶ ଭାଗ୍ୟରେ ଯେମିତି ସେପରି ନ ଜୁଟେ ।

 

ବିନୋଦର କଥା ଶୁଣି କାନ୍ତା ମୁହଁର ସରସତା ଲିଭି ଯାଇଥିଲା । ସେ ଆଉ ମୁହୂର୍ତ୍ତେ ସେଠାରେ ରହିବାକୁ ଇଚ୍ଛା ନ କରି ବିନୋଦ ସହ ଫେରି ଆସିଥିଲେ ।

 

କାନ୍ତାର ଗନ୍ତବ୍ୟ ପଥକୁ ଚାହିଁ ରମେଶ ଭାବିଥିଲା ଏଇ କାନ୍ତା ଅଭିମାନ କରୁଛି ବିବାହର ଆଭିଜାତ୍ୟ ଉପରେ । ହେଲେ ବିବାହ କରି ନାରୀ ଯେବେ ତା’ ଚରିତ୍ରକୁ ଭ୍ରଷ୍ଟ କରିଦିଏ, ତେବେ ତା’ ଜନ୍ମର ଗୌରବ ସାର୍ଥକ ହେଲା କେଉଁବାଟେ ?

 

ଏଇ କାନ୍ତାକୁ ସେ ବିନୋଦର ସହଧର୍ମିଣୀ ହେତୁ ଭାଉଜ ଡାକୁଛି । ତାକୁ ସମ୍ମାନ ଦେଇ ଆସୁଛି । ହେଲେ କାନ୍ତା ପ୍ରତି ତା’ ମନର ବନ୍ଧ ଭାଙ୍ଗି ଯେଉଁଦିନ ପ୍ରଣୟ ସ୍ରୋତ ମାଡ଼ିଯିବ, ସେଇ ଦିନ ସେ ଠିକ୍‌ ଜାଣିବ ଯେ ନାରୀ ଯଦି ଚହଲିବାକୁ ବସେ, ତେବେ ନିମିଷେ ସମୟ ଲାଗିବ ନାହିଁ । ସେଇ ପରିସ୍ଥିତିରେ ପଡ଼ି ଅଞ୍ଜନାଙ୍କ ଜୀବନାବସାନ ଅପ୍ରତ୍ୟାଶିତ ଭାବେ ଘଟିଗଲା ।

 

ଅଞ୍ଜନା ବିଷ ଖାଇ ଆତ୍ମହତ୍ୟା କଲେ । ସେଥିପାଇଁ ସେ କାହାକୁ ଦାୟୀ କରିଗଲେ ନାହିଁ । କିନ୍ତୁ ରମେଶ କୁହେ ଯେ ସେ ଦାୟୀ କରିବ ସେଇ ଅଖ୍ୟାତନାମା ପୁରୁଷଙ୍କୁ ଯାହାଙ୍କୁ କି ପୋଲିସ୍‌ ପାଗଳ କହି ଛାଡ଼ି ଦେଇଥିଲେ ।

 

ବିନୋଦ ଜାଣିଲା ନାହିଁ ଯେ ସେ କିଏ । ଆଉ ଏବେ ତା’ର ଜାଣିବା ଉଚିତ ନୁହେଁ । ହୁଏତ ରମେଶ ତାକୁ ତା’ ବିବାହ ପୂର୍ବରୁ କହିଦେଇ ଥିଲେ ହୋଇଥାନ୍ତା । କିନ୍ତୁ ସେ ପେଟରେ ଲୁଚେଇ ରଖିଥିଲା । ସେଇ ଲୋକର ନାଁ ପ୍ରକାଶ କରିଥିଲେ ରମେଶକୁ ବହୁତ ଲଜ୍ଜା ଲାଗିଥାନ୍ତା ସେଦିନ । କିନ୍ତୁ ଆଜି ସେ କହିବାକୁ ବାଧ୍ୟ ହେଉଛି । ସତ୍ୟ କେତେଦିନ ଧରି ଲୁଚି ରହି ପାରିବ କହନି ?

 

ସେ ପାଗଳ ଯେ ହୁଅନ୍ତୁ ନା କାହିଁକି ସେଇ ସମୟରେ ସେ ଥିଲେ ଜଣେ ଉଦୀୟମାନ ଯୁବକ । ନାଁ ତାଙ୍କର ଅମରେଶ ।

 

‘ଶୁଣନ୍ତୁ, ଅମରେଶ ହେଉଛନ୍ତି ମୋ ପିତା । ଅଞ୍ଜନାଙ୍କ ବାପା ତ୍ରିନାଥ ପଟ୍ଟନାୟକ ଯେଉଁ ସହରରେ ରହୁଥାନ୍ତି, ସେଠି ଅମରେଶ ଅଧ୍ୟୟନ ପରେ ଚାକିରି କରୁଥାନ୍ତି । ବ୍ୟବସାୟରେ ଦୁଇ ବର୍ଷ ନିଜକୁ ନିୟୋଜିତ କରି ବିଫଳ ହେବା ପରେ ସେଇ ଚାକିରି ଥିଲା ତାଙ୍କ ପକ୍ଷେ ନୂତନ । ଅମରେଶ ଏକୁଟିଆ ଘରଭଡ଼ା କରି ରହୁଥିଲେ । ଅବଶ୍ୟ ସେ ସେତେବେଳକୁ ବିବାହ କରି ତାଙ୍କ ଔରସରୁ ମୁଁ ଜନ୍ମ ଗ୍ରହଣ କରି ସାରିଥିଲି । ମୁଁ ପିଲା ଥିଲି ମାନେ ମୋତେ ହୋଇଥିଲା ବୟସ ନଅ-। ମୁଁ ପଢ଼ୁଥିଲି ଚତୁର୍ଥ ଶ୍ରେଣୀରେ । ବାପାଙ୍କର ବୋଉ ସେ ପର୍ଯ୍ୟନ୍ତ ବଞ୍ଚିଥିଲେ । ସେ ଥିଲେ ବିଧବା-। ଆମ ମଫସଲ ଘରେ ବୋଉ ମା ଓ ମୁଁ ରହୁଥିଲୁ । ସହରକୁ କେବେ କେମିତି ଆମେ ଗଲେ, ବାପା ଆମକୁ ମୋଟେ ଦୁଇ ତିନି ଦିନ ପାଖରେ ରଖି ବିଦା କରି ଦିଅନ୍ତି । ମୋ ବୋଉକୁ ବାପା ସୁଖ ପାଆନ୍ତି ନାହିଁ ବୋଲି ମୁଁ ମା ଇଙ୍ଗିତରୁ ବୁଝିପାରେ ।

 

ହେଲେ ମୋର ତ ସେତେଦୂର ପର୍ଯ୍ୟନ୍ତ ଜ୍ଞାନ ନ ଥିଲା ଯେ ଭଲ ପାଇବା କ’ଣ, ତେଣୁ ମୁଁ ବାପାଙ୍କୁ ବା ଆକ୍ଷେପ କରିଥାନ୍ତି କାହିଁକି ? ତେବେ ବାପା ଯେ ମୋତେ ସ୍ନେହ କରନ୍ତି ତାହା ମୁଁ ଅନୁଭବ କରୁଥିଲି ।

 

ବାପା ଭଲ ଗୀତ ଗାଇ ଜାଣିଥିଲେ । ତାଙ୍କ କଣ୍ଠସ୍ୱର ଆକୃଷ୍ଟ କରୁଥିଲା ବହୁ ଶ୍ରୋତାଙ୍କୁ-। ଏମିତି ଦିନେ ସମୟ ଆସିଲା ଗାୟକ ରୂପେ ବାପାଙ୍କର ଖ୍ୟାତି ପ୍ରତିଷ୍ଠା ଲାଭକଲା । ସେ ସୁଯୋଗ ପାଇଲେ ରେଡ଼ିଓରେ ତାଙ୍କ କଣ୍ଠ ପ୍ରଦାନ କରିବାରେ ।

 

ଯେଉଁ ନାରୀମାନେ ତାଙ୍କ କଣ୍ଠର ବିପୁଳ ପ୍ରଶଂସା କରୁଥିଲେ, ସେମାନେ ଅନୁରୋଧ କରୁଥିଲେ ପୁନରାୟ ତାଙ୍କୁ ସେଇ ସଂଗୀତ ଗାଇବାକୁ । ଫଳରେ ସେ ତରୁଣୀମାନଙ୍କର ଅତି ପ୍ରିୟଭାଜନ ହୋଇ ପଡ଼ିଲେ ।

 

ବାପା ରହୁଥିଲେ ସେଇ ଆଡ଼ଭୋକେଟ୍‌ ଶ୍ରୀଯୁକ୍ତ ତ୍ରିନାଥ ପଟ୍ଟନାୟକଙ୍କ ଘର ପାଖରେ ବୋଲି ଶ୍ରୋତାମାନେ ଅନୁସନ୍ଧାନ କରି ସେଇଠି ଆସି ତାଙ୍କୁ ବଧାଇ ଜଣାଇ ଯାଉଥିଲେ ! ରେଡ଼ିଓରେ ଗୀତ ପ୍ରଚାର ନ ହେବା ପର୍ଯ୍ୟନ୍ତ ତ୍ରିନାଥ ବାବୁ କିମ୍ବା ଅଞ୍ଜନା କେହି ପିତା ଅମରେଶଙ୍କୁ ଜାଣିବାରେ ଇଚ୍ଛୁକ ନ ଥିଲେ । କିନ୍ତୁ ସେଇ ପ୍ରଚାର ହେବା ପରେ ପରେ ସେମାନେ ତାଙ୍କୁ ଜାଣିଲେ-। ସେତେବେଳକୁ ଅଞ୍ଜନା ବିବାହ କରି ସାରିଥାନ୍ତି ଗୌରସୁନ୍ଦରଙ୍କୁ ! ବିବାହ ପରେ ସେ କେତେଦିନ ଯାଇଁ ତାଙ୍କ ବାପାଙ୍କ ପାଖରେ ରହୁଥିଲେ ।

 

ଜୀବନରେ ସେଇ ଅନୁଭବର ଦିନ ଆସିଲା ଅଞ୍ଜନାଙ୍କ ପକ୍ଷରେ । ଝରକା ଖୋଲି ବାପା ଗୀତ ଗାଉଥିଲେ ବାହାରକୁ ଚାହିଁ । ସେହି ସମୟରେ ଅଞ୍ଜନା ପିଆନୋ ବାଦନ କରୁଥାନ୍ତି । ତାଙ୍କ ପିଆନୋର ଝଙ୍କାର ଅପେକ୍ଷା ବାପାଙ୍କ କଣ୍ଠ ଲହର ଏତେ ସୁଶ୍ରାବ୍ୟ ହୋଇ ଉଠିଲା ଯେ ଅଞ୍ଜନା ସେଥିରେ ଅତ୍ୟନ୍ତ ବିବ୍ରତ ହୋଇ ପଡ଼ିଲେ । ସେଇ ଦିନତମାମ ସେ ଆଉ କିଛି କାହାକୁ କହି ପାରିଲେ ନାହିଁ ।

ଅଦିନ ମଧ୍ୟାହ୍ନ

 

ତହିଁ ଆରଦିନ ପୁଣି ଯେତେବେଳେ ସେ ଶୁଣିବାକୁ ପାଇଲେ ସେଇ ଉର୍ଜ୍ୱସ୍ୱଳ କଣ୍ଠର ରାଗିଣୀ, ସେତେବେଳେ ସେ ଅଥୟ ହୋଇ ଉଠିଲେ । ନିଜକୁ ଗୌରସୁନ୍ଦରଙ୍କର ଗୌରବାନ୍ୱିତ ପତ୍ନୀ ବୋଲି ଭୁଲି ସେ ଯାଇଁ ଅପ୍ରତ୍ୟାଶିତ ଭାବେ ଆକ୍ଷେପ କଲେ ବାପାଙ୍କୁ ।

 

ବହୁଦିନ ଧରି ବାପା ଅଞ୍ଜନାଙ୍କୁ ଦେଖି ଆସୁଥିଲେ । ଆଉ ସେ ଯେ ଆଡ଼ଭୋକେଟ୍‌ ତ୍ରିନାଥ ପଟ୍ଟନାୟକଙ୍କ କନ୍ୟା ତାହା ମଧ୍ୟ ଜାଣି ଆସୁଥିଲେ । ହେଲେ ତାଙ୍କ ପ୍ରତି ସେ କୌଣସି ଦିନକ ପାଇଁ ସୁଦ୍ଧା ମନରେ ଆସକ୍ତି ପ୍ରକାଶ କରୁ ନ ଥିଲେ । ଆଡ଼ଭୋକେଟ୍‌ଙ୍କ ଆତ୍ମମର୍ଯ୍ୟାଦାକୁ କ୍ଷୁଣ୍ଣ କରି ସେ ବା ସେତେଦୂର ସାହସ କରନ୍ତେ କାହିଁକି ? ତା’ଛଡ଼ା ବାପା ସେତେବେଳେ ତ ଅବିବାହିତ ନ ଥିଲେ, ତେଣୁ ବାସନା ତାଙ୍କ ମନରେ ଉତ୍‌କ୍ଷିପ୍ତ ହୋଇ ଉଠୁଥାନ୍ତା ବା କେମିତି !

 

ଅବଶ୍ୟ ସେ ଆଧୁନିକ ଗୀତ ଗାଇବାରେ ପ୍ରିୟ ଥିଲେ । ସେଗୁଡ଼ିକ ସବୁ ବିରହ, ବିଚ୍ଛେଦ ଆଉ ପ୍ରଣୟର ଭାବ ବହନ କରି ଲହରାୟିତ କରୁଥିଲା ବାୟୁମଣ୍ଡଳକୁ । ତେବେ ସେଥିପାଇଁ ଯେ ସେ ଅନ୍ୟ ଗୋଟିଏ ତରୁଣୀକୁ ହଠାତ୍‌ ଭଲ ପାଇ ବସିବେ, ସେପରି କୌଣସି ଯୁକ୍ତି ନାହିଁ ।

 

ବରଂ ସେଇ ଦୁର୍ବଳତା ପ୍ରଥମେ ନାରୀ ମନରେ ସ୍ଥାନ ପାଇ ପାରେ । ଅଞ୍ଜନା ସେଇ ଦିନ ବାପାଙ୍କୁ ପ୍ରଥମେ ସାକ୍ଷାତ କରି ନିଜ ଠାରେ ଥିବା ସତୀତ୍ୱର ସବଳତାକୁ ହରାଇ ବସିଲେ । ସେ ଦେଖିଲେ ଯେ ବାପା ହେଉଛନ୍ତି ଜଣେ ସୁଠାମ, ସୁନ୍ଦର ଯୁବକ । ବୟସର ଅଗ୍ରଲେଖ ବାପାଙ୍କ ଶରୀରକୁ ମୋଟେ ସଙ୍କୁଚିତ କରି ପାରି ନ ଥିଲା । ଯଦିଓ ତାଙ୍କୁ ସେତେବେଳେ ବତିଶ ବର୍ଷ ବୟସ ହୋଇଥିଲା, ତଥାପି ଯେ କୌଣସି ଲୋକ କଳନା କରୁଥିଲେ ଯେ ସେ ହେଉଛନ୍ତି ପଚିଶ ବର୍ଷର ।

 

ଅଞ୍ଜନା ସାକ୍ଷାତ କରିଥିଲେ ବାପାଙ୍କୁ ଗୀତ ବୋଲିବା ସମୟରେ । ସେଇ ଗୀତର ମର୍ମ ଯାହା ଥାଉ ବା ନ ଥାଉ, ତାହା ଯେ ଏକ ପଣୟଧର୍ମୀ ମୂର୍ଚ୍ଛନା ଥିଲା, ଶ୍ରୋତାମାନେ ସ୍ମରଣ ରଖିଥିଲେ ନିଶ୍ଚୟ ସ୍ୱୀକାର କରିବେ । ‘ତୁମେ ଆସ ବା ନ ଆସ ମୁଁ କରିଥାଏ ତୁମରି ପ୍ରତୀକ୍ଷା’ ଗୀତଟିର ଥିଲା ପ୍ରାରମ୍ଭ ବାକ୍ୟ, ଯେଉଁ ସମୟରେ କି ଅଞ୍ଜନା ଠିକ୍‌ ଆସି ବାପାଙ୍କ କକ୍ଷରେ ପାଦ ଦେଇଥିଲେ ।

 

କିନ୍ତୁ ବାପା ତାଙ୍କ ଆସିବା ପ୍ରତି ସଚେତନ ନ ଥିଲେ । ସ୍ୱର ଲମ୍ବେଇ ଏତେଦୂର ସେ ଗୀତ ଛାଡ଼ିଥିଲେ ଯେ ଯାହା ଫଳରେ କି କେଉଁଠି ଅଟକି ଯିବାର ପ୍ରଶ୍ନ ଉଠୁ ନ ଥିଲା । କେତେ ମିନିଟ୍‌ ପାଇଁ ଅଞ୍ଜନା ବିଭୋର ହୋଇ ତାହା ଶୁଣିଲେ । ତା’ପରେ ମନକୁ ସେ କ’ଣ ବିଚାରିଲେ କେଜାଣି ହଠାତ୍‌ ବାପାଙ୍କ ନାଁ ଧରି ଡାକିଦେଲେ ।

 

ଅମରେଶ ବାବୁ ?

 

କିଏ ?

 

ଗୀତ ଛାଡ଼ି ହୋଇଗଲା କଣ୍ଠରୁ ।

 

ବାପା ତଟସ୍ଥ ହୋଇ ପଚାରିଲେ ଆପଣଙ୍କର କ’ଣ ମୋ ପାଖରେ କିଛି କାମ ଥିଲା ?

 

ହଁ ।

 

ଅବଶ୍ୟ ଅଞ୍ଜନା ମନରେ କ୍ରୋଧ ବହି ଆସିଥିଲେ ବାପାଙ୍କୁ ଅପମାନ ଦେଇ ଯିବାକୁ । କିନ୍ତୁ ସେ ଯେ ବାପାଙ୍କ ବ୍ୟବହାରରେ ଆକୃଷ୍ଟ ହୋଇ ଏତେଶୀଘ୍ର ନିଜକୁ ଭୁଲିଯିବେ, ତାହା ସେ ବିଶ୍ୱାସ କରି ପାରିଲେ ନାହିଁ ।

 

ଅଞ୍ଜନା କହିଲେ ଅମରେଶ ବାବୁ, ଆପଣ ଜଣେ ପ୍ରଥମ ଶ୍ରେଣୀୟ ରେଡ଼ିଓ କଣ୍ଠଶିଳ୍ପୀ ହୋଇଥିବା ଶୁଣି ମୁଁ ଅତ୍ୟନ୍ତ ଖୁସି । ସେଥିପାଇଁ ଆପଣଙ୍କୁ କି ପ୍ରକାରର ବଧାଇ ଜଣାଇବି ତାହା ମୁଁ ଜାଣିପାରୁ ନାହିଁ ।

 

ବାପା ହସି ଦେଇଥିଲେ । କହିଲେ, ମୋ ଭଳି ଜଣେ ସାମାନ୍ୟ ଲୋକକୁ ଏତେଟା କୃତଜ୍ଞତାରେ ଆପ୍ୟାୟିତ କରିବା ଠିକ୍‌ ନୁହେଁ । ଈଶ୍ୱରଙ୍କ ପ୍ରସାଦରୁ ମୁଁ ଯେଉଁ ଗୀତ ବୋଲି ପାରୁଛି, ସେଇଟା ତ ଦୁନିଆରେ ଏତେ ବଡ଼ ବିଜୟ ନୁହେଁ ।

 

ତାହା ଶୁଣି ଅଞ୍ଜନାଙ୍କ ମୁହଁରେ ସରଳତାର ହାସ୍ୟରେଖା ଉକୁଟି ଉଠିଥିଲା । ସେ କହିଲେ, ମଣିଷ ପକ୍ଷରେ ପ୍ରତ୍ୟେକ ଜିନିଷ ବିଜୟ ପୁଣି ପରାଜୟ । ଲକ୍ଷ୍ୟ ଠିକ୍‌ ରଖି ଚାଲିଲେ ସେ ଯେଉଁ ଫଳ ପାଏ ତାହା ବିଜୟ ବୋଲି ମନେ କରିବାକୁ ହେବ ।

 

ଅଞ୍ଜନାଙ୍କ ଯୁକ୍ତି ବାପା ସମର୍ଥନ କରୁଥିଲେ । କିନ୍ତୁ ସେଥିପାଇଁ ତାଙ୍କୁ ସେ ପ୍ରଶଂସା କରି ପାରିଲେ ନାହିଁ ।

 

ଅଞ୍ଜନାଙ୍କ ଦୃଷ୍ଟି କକ୍ଷର ଟେବୁଲ ଉପରେ ପଡ଼ିଯିବା କ୍ଷଣି ସେ ଦେଖିଲେ ଯେ ସେଠାରେ ଗୋଟିଏ ବଂଶୀ ଥୁଆ ହୋଇଛି । ତେଣୁ ତାଙ୍କ ମନରେ କୌତୂହଳ ବିଶେଷ ଭାବେ ସୃଷ୍ଟି ହେଲା । ସେ ପଚାରିଲେ, ଆପଣ ବଂଶୀ ବଜେଇ ଜାଣନ୍ତି କି ଅମରେଶ ବାବୁ ?

 

ବାପା ସମ୍ମତି ଜଣାଇଥିଲେ ।

 

ତା’ପରେ ଅଞ୍ଜନା କିଛି କହିବେ ବୋଲି ଭାବି କହି ପାରିଲେ ନାହିଁ । ଅନ୍ତରରେ ତାଙ୍କର କି ଉଦବେଳନ ସୃଷ୍ଟି ହେଲା କେଜାଣି ସେ ତତ୍‌କ୍ଷଣାତ୍‌ ମନକୁ ଦୁଃଖ କରି ପକାଇଲେ । ତେବେ ବାପାଙ୍କ ପାଖରେ ସେ ଯେତେବେଳେ ବସିଛନ୍ତି ତାଙ୍କୁ କିଛି ଲୁଚାଇ ରଖି ପାରିବେ ବା କେମିତି !

 

ତଥାପି ମୁହଁ ଶୁଖେଇ ସେ କହି ଉଠିଲେ, ସେମିତି ଯଦି ସେ ହୋଇଥାନ୍ତେ, ମୁଁ ସବୁବେଳେ ହିଁ ତାଙ୍କରି ପାଖରେ ରହିବାକୁ ସୁଖ ମଣନ୍ତି । ସେ ସେମିତି ନୁହନ୍ତି । ସେ ମୋ କ୍ଷୁଧାର ଅତୃପ୍ତ ତୀର୍ଥ । ଯେଉଁଠିକି ମୋ ମାନସିକ ସୌରଭ ବିବର୍ଣ୍ଣ, ଗନ୍ଧହରା ହୋଇ ଅକାରଣେ ଉଡ଼ି ଯାଉଛି ।

 

ଅଞ୍ଜନାଙ୍କ କଥାରେ ବାପାଙ୍କ ମୁଖମଣ୍ଡଳରେ ଚିନ୍ତାର ଛାଇ ଘୋଟି ଆସିଥିଲା । ସେ ପଚାରିଥିଲେ, ଆପଣଙ୍କ ସ୍ୱାମୀଙ୍କ କଥା କହୁଛନ୍ତି ନା ଅନ୍ୟ କାହା କଥା ?

 

ଅଞ୍ଜନା ମୁଣ୍ଡ ଟୁଙ୍ଗାରି ଦେଇଥିଲେ । ବାପାଙ୍କ ଅନ୍ତର ପାତ୍ରରେ ଆପଣା ମନକୁ ପରଶି ଦେବା ଆଶାରେ ତାଙ୍କ ମନ୍ତବ୍ୟ ଥିଲା କାହିଁ କେତେ ପ୍ରକାରର ।

ସ୍ତ୍ରୀମାନେ ସ୍ୱାମୀ ଚାହାନ୍ତି କେବଳ ଗୃହିଣୀ ସାଜିବା ଦୃଷ୍ଟିରୁ ନୁହେଁ । ସେମାନଙ୍କ ପାଇଁ ସ୍ୱାମୀଙ୍କ ବନ୍ଧନ ସବୁ କିଛି ଗୌରବ ତଥା ମନୋରଞ୍ଜନର ଆଧାର ।

ଅଞ୍ଜନା ନୂଆ ବିବାହ କରି ଯେତେ ଯେତ ସମୟ ଗୌରସୁନ୍ଦରଙ୍କ ନିକଟରେ କଟେଇ ଦେଇ ଆସିଥିଲେ, ସବୁବେଳେ ସେ ଦେଖି ପାରୁଥିଲେ ତାଙ୍କ ମନରେ କଂକ୍ରିଟ୍‌ର ସ୍ତର । ସେଠି ଆବଷ୍ଟ୍ରାକ୍‌ଟର ଆବରଣ ନିସ୍ତରଙ୍ଗ ।

ଗୌରସୁନ୍ଦର କୁହନ୍ତି ଦେଶ ପ୍ଲାନ ପ୍ରୋଗ୍ରାମରେ ଆଗଉଥିବାବେଳେ ତୁମର ଏ ଜଡ଼ ପିଆନୋ ଓ ତା’ ଝଙ୍କାରର ମୂଲ୍ୟ କ’ଣ ? ତୁମେ ସେ ସବୁ ଛାଡ଼ି ଯଦି ମନକୁ ଅନ୍ୟତ୍ର ନିବେଶ କରି ପାରନ୍ତ, ତା’ହେଲେ ଦେଖନ୍ତ କେତେଦୂର ତୁମେ ଆଗେଇ ପାରିଛ ଏଇ ସଭ୍ୟତାର ପ୍ରଗତି ପଥରେ ।

ଯୁକ୍ତିଟି ଅଞ୍ଜନାଙ୍କୁ କୁଆଡ଼େ ଭଲ ଲାଗି ନ ଥିଲା । ସେ ମନେ ମନେ ବିରକ୍ତି ପ୍ରକାଶ କରିଥିଲେ । ସେଦିନ ଗୌରସୁନ୍ଦରଙ୍କୁ ସେ ଆଉ କିଛି କହି ପାରିଲେ ନାହିଁ । ନୂଆ ବିବାହିତା ହେତୁ ନିଜକୁ ସଂଯତ କରିନେଲେ ସେ । କିନ୍ତୁ ପରେ ସେ ସେଇକଥା ବାରମ୍ବାର ଗୌରସୁନ୍ଦରଙ୍କଠାରୁ ଶୁଣି ବଡ଼ ବିବ୍ରତ ହୋଇ ପଡ଼ିଲେ । ଫଳରେ ତାଙ୍କୁ ମୁହଁ ଖୋଲିବାକୁ ସାହସ ମିଳିଲା । ବେଶି ବେଶି ତାଙ୍କୁ ବିଭ୍ରାନ୍ତ କରିବା ପାଇଁ ସେ ପିଆନୋ ବାଦନ କଲେ । ସମୟଜ୍ଞାନ ତାଙ୍କଠାରେ ଅତି ତୁଚ୍ଛ ହୋଇଗଲା ।

ଅଞ୍ଜନାଙ୍କ ଦାମ୍ପତ୍ୟ ଜୀବନର ଆଦ୍ୟ ଆସରଗୁଡ଼ିକ ସଂକ୍ରାମିତ ହୋଇ ପଡ଼ିଲା ମନର ବ୍ୟବଧାନ ନେଇ । ଅଞ୍ଜନା ଖୁବ୍‌ କମ୍‌ ସମୟ ଇଚ୍ଛା କଲେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ।

 

ଏଇ ଭିତିରି ରହସ୍ୟ ଅଞ୍ଜନାଙ୍କ ପିତା ତ୍ରିନାଥ ପଟ୍ଟନାୟକଙ୍କ କର୍ଣ୍ଣକୁ ଗଲା । ସେ ଝିଅ କିମ୍ବା ଜୁଆଇଁ କାହାର ପକ୍ଷ ସମର୍ଥନ ନ କରି ନିରପେକ୍ଷ ଭାବେ ସେ ଦୁହିଁଙ୍କ ମନର ବ୍ୟବଧାନକୁ ଦୂର କରିବା ପାଇଁ ଚେଷ୍ଟିତ ହେଲେ ।

 

ତାଙ୍କର ତ ଓକିଲ ବୁଦ୍ଧି; ତେଣୁ ସେ ଝିଅକୁ ଖୋଲାଖୋଲି ଭାବେ ଗୌରସୁନ୍ଦରଙ୍କ ସମ୍ବନ୍ଧରେ ଅନେକ ପ୍ରଶ୍ନ ପଚାରିଥିଲେ । ଅଞ୍ଜନା ନିଃସଙ୍କୋଚ ମନରେ ଗୌରବାବୁଙ୍କ ରୁକ୍ଷ ବ୍ୟବହାରକୁ ବ୍ୟକ୍ତ କରି ଦେଇଥିଲେ । କେବଳ ଲୁଚାଇ ରଖିଥିଲେ ନବ ଦମ୍ପତିଙ୍କ ମଧ୍ୟରେ ଥିବା ମିଥୁନ ମତିକୁ । କନ୍ୟା ହିସାବରେ ଅଞ୍ଜନା ବା ତାଙ୍କ ପିତାଙ୍କୁ ତାହା କହିଥାନ୍ତେ କିପରି ? ଏପରିକି ଗୌରସୁନ୍ଦର ମୁହଁ ଖୋଲି କହିପାରି ନ ଥିଲେ । ତାଙ୍କୁ ଲଜ୍ଜା ଲାଗିଥିଲା । ଶ୍ୱଶୁର ହୋଇ ଜୁଆଇଁଙ୍କୁ ବା ସେ କଥା ଏ ଦୁନିଆରେ କିଏ ପଚାରେ ।

 

ତ୍ରିନାଥ ବାବୁ ଦୁହିଁଙ୍କ ପକ୍ଷରୁ ଅଲଗା ଅଲଗା ମତ ସଂଗ୍ରହ କରିଥିଲେ । ସେଥିରେ ସେ ଝିଅକୁ ଯେତିକି ନିର୍ଭୁଲ ଭାବରେ ଅନୁଧ୍ୟାନ କରୁଥିଲେ, ଜୁଆଇଁଙ୍କୁ ମଧ୍ୟ ସେତିକି କରିବାକୁ ବାଧ୍ୟ ହୋଇଥିଲେ ।

 

ଯୁକ୍ତି ଯେ ଦୁନିଆରେ ପତ୍ନୀ ହୋଇ ଖାଲି ଜୀବନକୁ ମନୋରଞ୍ଜନରେ ନିବେଶ କରିବା ଆଦୌ ବାଞ୍ଛନୀୟ ନୁହେଁ । ଦୁନିଆରେ ଏପରି ସ୍ତ୍ରୀ ନାହାନ୍ତି ଯେଉଁମାନେ କି ଅନ୍ୟ କୌଣସି କର୍ମରେ ଆତ୍ମନିୟୋଗ ନ କରୁଛନ୍ତି ।

 

ହଁ, ଏମିତି କହି ହୋଇପାରେ ଯେ ଜୀବନରେ ଯୌବନ ହେଉଛି କେତେକାଂଶରେ ଉପଭୋଗର ସମୟ । ତାହାକୁ ନୀରସ ଶୁଷ୍କ ଭାବେ ବିତାଇ ଦିଆଯିବା ଅସୁନ୍ଦର କଥା । ସେଇଥିପାଇଁ ଅଞ୍ଜନାଙ୍କ ପିଆନୋ ବାଦନ ଯଥାର୍ଥରେ ଠିକ୍‌ ବୋଲି ଧରି ନିଆଯାଇପାରେ ।

 

ଆଡ଼ଭୋକେଟ୍‌ ତ୍ରିନାଥ ପଟ୍ଟନାୟକ ଏହି ଦୁଇ ଭିତ୍ତି ଉପରେ ଗୌରସୁନ୍ଦର ଓ ଅଞ୍ଜନାଙ୍କ ମନୋମାଳିନ୍ୟକୁ ତୁଟାଇବା ପାଇଁ ସଫଳ ହେଲେ ସିନା, କିନ୍ତୁ ସ୍ୱାମୀ ସ୍ତ୍ରୀ ଭାବେ ସେ ଦୁହିଁଙ୍କ ମନ ଭିତରେ ଯେଉଁ ଫାଙ୍କ ରହିଗଲା ତାକୁ ସଜାଡ଼ି ହେବ କେମିତି ?

 

ଗୌର ଅଞ୍ଜନାଙ୍କ ମିଥୁନ ବିଳାସ ନିର୍ଜନରେ ନିରାଶାର ବିଳାପ ପ୍ରକାଶ କଲା ।

 

ଅଞ୍ଜନା କହିଲେ ବାପା, ମୋତେ ତୁମ ପାଖରେ କିଛିଦିନ ନେଇ ରଖ । ତା’ ନ ହେଲେ ମୋ ମନ ସ୍ଥିର ରହିବ ନାହିଁ ।

 

ତ୍ରିନାଥ ପଟ୍ଟନାୟକ ଝିଅର କଥାକୁ ଅବଜ୍ଞା କରି ପାରିଲେ ନାହିଁ । ତାରି ସୁଖ ଦେଖିବା ପାଇଁ ସେ ଯେହେତୁ ସ୍ୱର୍ଗତଃ ପତ୍ନୀ ତିଳୋତ୍ତମାଙ୍କ ପ୍ରତିଶ୍ରୁତି ନିକଟରେ ଶପଥ କରି ଆସିଛନ୍ତି, ସେଥିପ୍ରତି ଅବହେଳା କଲେ, ଈଶ୍ୱରଙ୍କ ଆଇନ୍‌ ଦରବାରରେ ସେ ଦ୍ରୋହୀ ହେବେ ନାହିଁକି ? ଅଞ୍ଜନାଙ୍କ ମନ ପାଇଁ ତ୍ରିନାଥବାବୁ ଆଇନ୍‌ର ଖିଲାପ କରିବାକୁ ବାଧ୍ୟ ହେଉଥିଲେ । ଗୌରସୁନ୍ଦର ତାହା ଜାଣି ମଧ୍ୟ ତାଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହେବା ଆଶଙ୍କାରେ ତାଙ୍କୁ ଆକ୍ଷେପ କରୁ ନ ଥିଲେ ।

 

ଗୌରସୁନ୍ଦରଙ୍କ ପ୍ରକୃତି ହେଲା ସେ କହି ଜାଣନ୍ତି ଯେତିକି, ସହି ଜାଣନ୍ତି ସେତିକି । ତେବେ ଅନ୍ୟାୟକୁ ବ୍ୟଙ୍ଗୋକ୍ତି ନ କରି ସେ ଛାଡ଼ନ୍ତି ନାହିଁ । ତେବେ କାନ୍ତା ଜନ୍ମ ନ ହେବା ପର୍ଯ୍ୟନ୍ତ ତାଙ୍କ ନବଦମ୍ପତିର ସୁରମ୍ୟ ଉପତ୍ୟକାରେ ମନୋମାଳିନ୍ୟର ବନ୍ୟା ପ୍ଳାବନ ଲାଗି ରହିଥାଏ । ତାରି ମଧ୍ୟରେ କେତେବେଳେ ଯେ ତାହା ଛାଡ଼େ, ସେ କଥା ତାଙ୍କ ମିଥୁନର ଉପକୂଳ କହି ପାରୁଥିଲା ।

 

ସେଥିପ୍ରତି ମୋ ବାପା ଜାଣିବାକୁ ସେତେ ବ୍ୟଗ୍ର ନ ଥିଲେ । ଅଞ୍ଜନା ସେଇଠୁ କଥା ଢୋକି ରହିଯିବାରୁ ବାପା କହିଲେ, ଆପଣ ସୁଖୀ ହୋଇ ପାରି ନାହାନ୍ତି ବୋଲି କେହି ଲୋକ ଦେଖିଲେ ବାଶ୍ୱାସ ଯିବେ ନାହିଁ । କାରଣ ଆପଣଙ୍କଠାରେ ଚଞ୍ଚଳତା ଅଛି, ମୁହଁରେ ହସ ଅଛି, ଆଉ ପାରିପାଟୀରେ ଉଚ୍ଚକ୍‌କିତ ଫେସନ ଅଛି । ଆପଣଙ୍କ ଜୀବନ ଦାରିଦ୍ର୍ୟର ପାଣିରେ ଗାର ନୁହେଁ । ତାହା ସଉକର ସଭ୍ୟତା ଲାଗି ସୃଷ୍ଟି ।

 

ତାହା ଶୁଣି ଅଞ୍ଜନା ମନ ଦୁଃଖ କରିଥିଲେ । ସେ କହିଲେ, ଅମରେଶ ବାବୁ, ଆପଣ ଥରେ ମୋ ପରିସ୍ଥିତି ବୁଝି ସାରିଲେ, ତା’ପରେ ମୋତେ ଯାହା କହିବେ ସେଥିପାଇଁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ ହେବି ।

 

ଏତେଦୂର ମୁଁ ପରିଶ୍ରାନ୍ତ ହୋଇ ନ ଥିଲେ ଆପଣଙ୍କୁ ମୋ ସ୍ୱାମୀ ସମ୍ୱନ୍ଧରେ ଖୋଲାଖୋଲି ଭାବେ ମୁଁ କିଛି କହି ନ ଥାନ୍ତି । ଶୀତଳ ଛାୟା ଆଶାରେ ତାପକ୍ଳିଷ୍ଟ ପଥିକ ଗ୍ରୀଷ୍ମକୁ ଘୃଣା କରିବା ସ୍ୱାଭାବିକ ନୁହେଁ କି ?

 

ଅଞ୍ଜନାଙ୍କ ପାଟିରୁ କଥା ଛଡ଼େଇ ନେଇ ବାପା କହିଥିଲେ, ଶୀତର ଥଣ୍ଡାରେ ପ୍ରକମ୍ପିତ ହୋଇ ଉଠିଲେ ତନୁ ସେହି ଗ୍ରୀଷ୍ମକୁ ଆଦର କରିଥାଏ ତ ?

 

ଅଞ୍ଜନା ବିଚଳିତ ହୋଇ ପଡ଼ିଲେ । ତାଙ୍କ ପାଟିରୁ ଆଉ କଥା ସ୍ଫୁରିଲା ନାହିଁ । ସେ ଫେରି ଆସିବାକୁ ଇଚ୍ଛା କରି ଶେଷଥର ପାଇଁ ବାପାଙ୍କୁ ଛଳନାର ଇନ୍ଦ୍ରିୟ ଜାଲରେ ଆଚ୍ଛନ୍ନ କରିବାକୁ କହିଥିଲେ ଆପଣ କଣ୍ଠଶିଳ୍ପୀ । ରୂପଶିଳ୍ପୀ, କିମ୍ୱା ମନଶିଳ୍ପୀ ନୁହନ୍ତି । ସେଥିପାଇଁ ଆପଣଙ୍କୁ ଆସି ମୋ ଜୀବନ କାହାଣୀରେ ବିଚଳିତ କରିବା ଠିକ୍‌ ହେଲା ନାହିଁ ।

 

ଫେରିଯିବାକୁ ଉଦ୍ୟତ ହେଉଥିବା ବେଳେ ବାପା କାହିଁକି କେଜାଣି ଦୁର୍ବଳ ହୋଇ ପଡ଼ିଲେ । ଅଞ୍ଜନା ବୋଲି ଆହ୍ୱାନ ତାଙ୍କ ପାଟିରୁ ସ୍ୱତଃ ସ୍ଫୁର୍ତ୍ତ ହୋଇ ବାହାରି ଆସିଲା । ଅଞ୍ଜନା ଅଟକି ଗଲେ । ମୁହଁରୁ ତାଙ୍କର ଛୁଟିଲା ହସର ସ୍ରୋତ । ସେ କହିଲେ, ଏମିତି ଅଭିନୟକୁ ମୁଁ ଖୁବ୍‌ ଖୁସି ପାଏ ଅବିନାଶ ବାବୁ । ସ୍ୱାମୀ ହିସାବରେ ଦିନେ ଯଦି ସେ ମୋତେ ସେପରି ଆହ୍ୱାନରେ ମଧୁ ସ୍ୱର ଲେପନ କରିଥାନ୍ତେ ତା’ହେଲେ ମୁଁ କେତେ ଆଶ୍ୱସ୍ତ ହୋଇ ନ ଥାନ୍ତି କହିଲେ ?

 

ପତ୍ନୀ ହେଲା ବୋଲି ଯେ ନାରୀ ତା’ ସ୍ୱାମୀର ସମସ୍ତ କଟୁକ୍ତି ସହ୍ୟ କରି ଚାଲୁଥିବ ତାହା କେମିତି କଥା ! ଆପଣ ସ୍ୱାମୀ ହୋଇଥାନ୍ତୁ ବା ନାହିଁ, ଟିକେ ଏକଥା ବିଚାର କରି ଦେଖିଲେ-?

 

ଅଞ୍ଜନାଙ୍କ କଥାରେ ବିବ୍ରତ ହେବାକୁ ପଡ଼ିଥିଲା ବାପାଙ୍କୁ । ସେ ବି ତାଙ୍କ ବିଗତ ଦିନକୁ କେତେକାଂଶରେ ସୂଚନା ଦେବାକୁ ବସିଲେ । ତା’ ନହେଲେ ଅଞ୍ଜନା ଖୁସି ହୋଇ ଫେରିବେ ନାହିଁ-

 

ବାପା କହିଲେ, ବସନ୍ତୁ ଅଞ୍ଜନା ଦେବୀ । କଥା ଶୁଣିବ ପରା ।

 

ମୁଁ ଅମରେଶ !

 

ଅଞ୍ଜନା ବସି କଥା ଶୁଣିଲେ ।

 

କଥା ଶୁଣିବାର ଅଭ୍ୟାସ ଯାହାର ଥାଏ, ସେ ଯେମିତି ପ୍ରଥମେ ହଁ ମାରେ, ଅଞ୍ଜନା ସେମିତି ହଁ ମାରୁଥିଲେ ।

 

ବାପା ଆରମ୍ଭ କରିଥିଲେ ।

 

ଶୁଣନ୍ତୁ–

 

ମୁଁ ।

 

ବ୍ରାହ୍ମଣ କୁଳରେ ମୋର ଜନ୍ମ ।

 

ଆପଣଙ୍କ ଜାତିର ଝିଅଟିଏ ବୋଉକୁ ମୋର ମାଉସୀ ମାଉସୀ ଡାକି ଆମ ଘରକୁ ଯା ଆସ କରୁଥିଲା । ସେତେବେଳେ ବୋଉ ବାପା ରହୁଥିଲେ ଏଇ ସହରରେ । ବାପାଙ୍କର ମୁଁ ବଡ଼ ପୁଅ ନୁହେଁ । ମୋ ଉପରେ ଆଉ ଜଣେ ବଡ଼ ଥିଲେ । ତାଙ୍କ ନାଁ ଥିଲା ମହେଶ ।

 

ମହେଶ ମୋଠାରୁ ମାତ୍ର ଦୁଇ ବର୍ଷ ବଡ଼ ଥିଲେ ହେଁ ମୁଁ ତାଙ୍କ ଅପେକ୍ଷା ଚେହେରାରେ ବଡ଼ ଦେଖା ଯାଉଥିଲି । ବୋଉ ଆମର ନନାଙ୍କୁ ଦେଖେଇ କହୁଥିଲା, ଷଠି ଗୋସେଇଁ କାଇଁ ତୋତେ ସାନ କଲେ ନେଇଁରେ ମହିଆ । ତୁ ତ ଯେମିତି ଦେଖା ଯାଉଛୁ ଅମିଆଠାଉଁ ସାତ ସାନ ।

 

ବୋଉ କଥାରେ ମୁଁ ହସି ଦେଇଥିଲି । ଆଉ ନନା ମନ ଦୁଃଖ କରି ଚାଲି ଯାଇଥିଲେ ବାପାଙ୍କ ପାଖରେ ଫେରାଦ ହେବାକୁ । ବାପା ତାଙ୍କୁ ଆଶ୍ୱାସନା ଦେଲେ ହେଁ ମନ ତାଙ୍କର ମୋଟେ ବୁଝି ନ ଥିଲା ।

 

ସେଇ ଯେଉଁ ଝିଅଟି ପଡ଼ିଶା ହିସାବରେ ଆମ ଘରକୁ ଯା ଆସ କରେ, ସେ ଏକଥା ଶୁଣି ନ ହସି ରହିପାରେ ନାହିଁ । ନନାଙ୍କୁ କହେ ତମ ପଟରେ ମୁଁ ଅଛି ମହେଶ ଭାଇ । କିଛି ଦୁଃଖ କର ନାହିଁ । ତମକୁ ସଭିଏଁ ନାପସନ୍ଦ କଲେ ହେଁ ମୁଁ ପସନ୍ଦ କରିବି ।

 

ସେତେବେଳେ ନନାଙ୍କୁ ବୟସ ହୋଇଥିଲା ଆଠ, ମୋତେ ସାତ । ଆଉ ସେଇ ଝିଅକୁ ଛଅ । ସମସ୍ତେ କଥା କହି ପାରୁଥିଲୁ ।

 

ସେ ଝିଅର ନାମ ଥିଲା ତମାଳ । ନନାଙ୍କ ସାଙ୍ଗରେ ମୋର ଯେତେବେଳେ ଝଗଡ଼ା ଲାଗୁଥିଲା ତମାଳ ଖତେଇହୋଇ ମୋତେ ଚିଡ଼ଉଥିଲା । ମୁଁ ରାଗିଯାଇ ତମାଳକୁ ମାରିଲେ ନନାଖପା ହୋଇ ଯାଉଥିଲେ । ଏମିତି ପରସ୍ପର ମାଡ଼ଗୋଳରେ ରତ ହେଲେ, ବାପା ଭାରି ରାଗି ଯାଆନ୍ତି । ତମାଳ ଅପର ଘରର ଝିଅ ହେତୁ ଶଙ୍କି ଯାଏ । ଏପରିକି ଦିନେ ଦୁଇଦିନ ପର୍ଯ୍ୟନ୍ତ ମୋଟେ ଆମ ଦୁଆର ମାଡ଼େ ନାହିଁ ।

 

ସେଥିଲାଗି ଦୁଃଖ କରନ୍ତି ନନା । ତାଙ୍କ ଧୂଳିଖେଳ ଅସମ୍ପୂର୍ଣ୍ଣ ରୁହେ ତାରି ଅଭାବରେ । ମୁଁ ମୋର ଅନ୍ୟ ସାଥୀମାନଙ୍କ ସହିତ ଖେଳି ଖୁସି ପାଏ । କ୍ରମେ ଅନୁକ୍ରମେ ଆମ ଧୂଳିଖେଳ ବୟସର ଦିନ ଶେଷ ହୋଇ ଆସିଲା । ନନା ଓ ମୁଁ ଗୋଟିଏ ସ୍କୁଲରେ ପଢ଼ିଲୁ । ଆଉ ତମାଳ ପଢ଼ିଲା ବାଳିକା ସ୍କୁଲରେ । ତଥାପି ତମାଳ ପ୍ରତି ବୋଉର ସ୍ନେହ କାହିଁକି ଏତେ ପ୍ରଗାଢ଼ ହୋଇ ଉଠିଥାଏ କେଜାଣି, ସେ ତାକୁ ଦିନେ ନ ଦେଖିଲେ ବାଇଆଣୀଙ୍କ ପରି ହୁଏ । ମୁଁ ମନେ ମନେ ଚିନ୍ତା କରି ସେ କଥା କେତେ ଏବେ ପେଟରେ ଲୁଚେଇ ରଖିବି । ବାଧ୍ୟ ହୋଇ ବୋଉକୁ କହିଦିଏ ।

 

ତମାଳ କରଣ ଘରର ଝିଅ । ତାକୁ ତୁ ଆମ ସାଙ୍ଗରେ ଖାଇବା ପିଇବାକୁ ଦେଉଛୁ କେମିତି ? ବୋଉ ମତେ ଗାଳିଦିଏ । କୁହେ, ଜାତିକୁ ଧରି ବସିଲେ ସ୍ନେହ ମମତାକୁ ହରେଇ ବସିବାକୁ ପଡ଼ିବରେ ବାପ । ତମାଳ ମୋ ହୃଦୟକୁ କେତେ ଭଳିରେ ବାନ୍ଧି ରଖିଛି ଦେଖିଲୁ ?

 

ମୁଁ ମୁହଁ ଫୁଲେଇ କହେ, କାଇଁ ଏକା ତୋ ହୃଦୟକୁ, ନନାଙ୍କର ? ତହୁଁ ବୋଉ ତା’ ମୁହଁରେ ହସ ଖେଳାଇ କହେ ପାଗଳଟା । ତୋତେ କିଏ କାହିଁକି ବିଜୁଳି ନ କଲାରେ । ତେବେ ମୋ ମନରେ ଯେ ଅଭିମାନ ପୁଞ୍ଜୀଭୂତ ହୋଇ ନ ରହେ, ତା’ ନୁହେଁ । ମୁଁ ମୁହଁ ଲଦି ଦେଖେଇ ଶିଖେଇ ତମାଳକୁ ନାନାଦି କଥା କହିଥାଏ । ସେଥିପ୍ରତି ସେ ଯାହା ମୋତେ ଗାଳି ଦେବାର ମଧ୍ୟ ଦିଏ ।

 

ଏ ସବୁ ଥିଲା କିଶୋର ସମୟର ଭେଳିକି । କିନ୍ତୁ ଯେତେବେଳେ ଦେହକୁ ଆମର ଛୁଇଁ ଆସିଲା ଯୌବନ, ସେତେବେଳେ ଆମେ ବ୍ୟବହାରର ମର୍ମ ଅନୁଭବ କଲୁ । ଆମ ଭିତରୁ ଆଗେ ଯୌବନ ପ୍ରାପ୍ତ ହେଲା ତମାଳ । ତା’ ମନ ଭିତରେ ବାସନା ଜାଗିଲା । କାମନା ଖେଳିଲା । ସେ ଲାଗି ଆସିଲା ନନାଙ୍କ ଦେହକୁ ।

 

ନନା କିଛି ବୁଝିପାରିଲେ ନାହିଁ । ତମାଳ ତାଙ୍କୁ ନିର୍ଜନକୁ ଡାକିନେଇ ଯିବା ମୁଁ ଅନେକ ଥର ଲକ୍ଷ୍ୟ କରିଛି । ଆଉ ତାହାକୁ ବାଲ୍ୟକାଳର ଧୂଳିଖେଳ ଭାବି ମୁଁ ସେହିପରି ନୀରବ ରହି ଆସିଛି । ହେଲେ ଯେତେବେଳେ ନନା ଓ ମୁଁ ଉଭୟ ବଡ଼ ହୋଇଗଲୁ, ଶିହରଣର ତାତ୍ପର୍ଯ୍ୟ ବୁଝିଲୁ, ବସନ୍ତର ଅର୍ଥ କଲୁ, ସେତେବେଳେ ତମାଳ ମୋ ଆଖି ଆଗରେ କୁହୁକ ସୃଷ୍ଟି କଲା ।

 

ସେ କଣ୍ଠସ୍ୱର ମେଲି ଗୀତ ଗାଇବାକୁ ଆରମ୍ଭ କଲା । ଫଳରେ ନନା ତାକୁ ହିଁ ପ୍ରେମ କରି ବସିଲେ ଓ ଏହା ଘଟିଲା ଲୋକଲୋଚନର ଅଗୋଚରରେ ! ଏଣୁ ମୁଁ ମନେ ମନେ ଈର୍ଷା ବହିଲି । ଭାବିଲି, ତମାଳ ମୋର ହେବା ଉଚିତ ଥିଲା ।

 

ତେବେ କେମିତି ସେ ମୋ ଆୟତ୍ତକୁ ଆସିବ ସେଇ ଉପାୟ ମୁଁ ଚିନ୍ତା କଲି । ତମାଳ ଗୀତ ବୋଲୁଛି । ତା’ କଣ୍ଠ ସ୍ୱରରେ ପ୍ରତ୍ୟେକେ ବିମୋହିତ ହୋଇ ପଡ଼ୁଛନ୍ତି । ସେମିତି ମୁଁ ଯଦି ବୋଲି ପାରନ୍ତି...

 

ମୁଁ ମୋ ପ୍ରାରବ୍‌ଧ ଅନ୍ତରର ଉପକୂଳରୁ ନୀରବରେ ନିର୍ଜନରେ ଲହର ସୃଷ୍ଟି କରିବାକୁ ପ୍ରଥମେ ଚେଷ୍ଟାକଲି ଓ କ୍ରମଶଃ ତାହା ଢେଉ ଭାଙ୍ଗି ମୋ କଣ୍ଠ ତଟିନୀରେ ଉଛୁଳିବାକୁ ବସିଲା ।

 

ତମାଳ ଦେଖିଲା । ଶୁଣିଲା, ମୁଁ ଗୀତ ଗାଉଛି । ମୂର୍ଚ୍ଛନାର ତାଳେ ତାଳେ ପ୍ରକମ୍ପିତ ହୋଇ ଉଠିଲା ମୋ ଶରୀର । ଉତ୍ତେଜନା ପୁଲକି ଉଠିଲା । ବିମୂର୍ତ୍ତ ହେଲା ମନ ।

 

ଆଃ......

ତମାଳ ମୋତେ କହିଲା, ସତରେ ଅମୁ ଭାଇ, ତୁମକୁ ଏମିତି ଗୀତ ବୋଲି ଆସେ ! ତା’ହେଲେ ତୁମେ ମୋର ଠିକ୍‌ ପ୍ରତିଦ୍ୱନ୍ଦ୍ୱୀ ହୋଇଗଲ ।

ତମାଳର ସେଇତକ କଥା ମୋତେ ସେଦିନ ପ୍ରେମର ପ୍ରଥମ ପରଶ ବୋଲି ଜଣାଯାଇ ଥିଲା । ଭାବିଥିଲି ସେ ଯେବେ ଦିଗ ମୋଡ଼ି କରି ମୋ ଆଡ଼କୁ ଲାଗି ଆସନ୍ତା, ତେବେ ମୁଁ ତାକୁ ଜାତି ଗୋତ୍ର ନ ମାନି ବିବାହ କରି ପକାନ୍ତି ।

ସ୍କୁଲରେ ସଙ୍ଗୀତ ପ୍ରତିଯୋଗିତା ହୁଏ । ସେଥିରେ ଅନେକ ପ୍ରତିଯୋଗୀ ଭାଗ ନିଅନ୍ତି । ତମାଳ ଭାଗ ନେବା ଦେଖି ମୋ ମନରେ ଉତ୍ସାହ ଜାଗିଲା । ମୁଁ ମଧ୍ୟ ଭାଗ ନେଲି ।

ତମାଳ ଯେମିତି ଆଧୁନିକ ଗୀତ ବୋଲି ସମସ୍ତଙ୍କୁ ଆକୃଷ୍ଟି କଲା, ମୁଁ ମଧ୍ୟ ସେମିତି କଲି-। ତମାଳ ଗୀତର ଭାବ ଥିଲା ମିଳନ । ଆଉ ମୋ ଗୀତର ଲକ୍ଷ୍ୟ ଥିଲା ବିରହ । ସେଇ ଦୁଇଟି ଗୀତର ବାଖ୍ୟା କରି ସମସ୍ତେ କହିଲେ, ଯାହାହେଉ ଏଇ ଯେଉଁ ଇଣ୍ଟର-ସ୍କୁଲ ଗୀତ ପ୍ରତିଯୋଗିତା ହୋଇଗଲା ତା’ର ଫଳ ଯେମିତି ଇଣ୍ଟର-ମ୍ୟାରେଜକୁ ବ୍ୟାପୃତ ରୁହେ ।

ବୋଧହୁଏ ତାହା ଆମ ଦୁହିଁଙ୍କୁ ଲକ୍ଷ୍ୟ କରି କୁହାଗଲା ବୋଲି ମୁଁ ବୁଝିନେଲି । ସେଇ ଅନୁମାନରେ ଯେ ମୋ ପ୍ରାଣରେ ପୁଲକ କିଭଳି ପୁଲକିତ ହୋଇ ଉଠିଲା ତାହା ମୁଁ ଆଜି ବାଖ୍ୟା କରି ପାରୁନାହିଁ । ହେଲେ ତମାଳର ମନକୁ ତ ବୁଝିବାକୁ ହେବ !

ତମାଳ ବୁଝୁ ନ ବୁଝୁ ନନା ଆଗେ ବୁଝି ଯାଇଥିଲେ । ନିର୍ଜନରେ ସେ ତାକୁ ବିବାହ କରିନେବାର ସ୍ୱର ଉତ୍ତୋଳନ କରିଥିବାର ସମ୍ୱାଦ ମୁଁ ପାଇଛି । ଆଉ ସେ ଖବର ମଧ୍ୟ ବାପା ବୋଉଙ୍କ କର୍ଣ୍ଣଗୋଚର ନ ହୋଇଛି ବୋଲି କଥା ନାହିଁ ।

ବାପା ଶୁଣି ନନାଙ୍କୁ ତାଗିଦ୍‌ କରିଥିଲେ । ନାଲି ଆଖି ଦେଖାଇଥିଲେ । ଆଉ ବୋଉର ଦୋଷ ଦେଇ ତମାଳକୁ ସେ ଘରକୁ ଆସିବା ମନା କରି ଦେଇଥିଲେ ।

ସେଇ ଦିନଠାରୁ ତମାଳ ଜୀବନର ପ୍ରଣୟ ପକ୍ଷ ଛିଡ଼ିବାକୁ ଲାଗିଲା । ସେ ନନାଙ୍କୁ କିଛି ନ କହିପାରି ମତେ ଅତି ଦୁଃଖରେ କହିବାକୁ ଲାଗିଲା ଅମୁ ଭାଇ, ବାପାଙ୍କ ରୁକ୍ଷତା କ’ଣ ଏଇଆ ବୁଝିଲା ଯେ, ଭଲପାଇବାର ଭୂମିକା ଉପରେ କେବଳ ବିବାହ କରାଯାଇଥାଏ ?

ତମାଳ ମୋତେ ଏତକ କହିଦେବା ଫଳରେ ମୁଁ କ’ଣ ଯେ ଦେଇ ତା’ ମନକୁ ତୋଷିବି ଭାବି ପାରିଲି ନାହିଁ । କିନ୍ତୁ ମନେ ମନେ କଳ୍ପନା କରିଥିଲି, ତମାଳକୁ ମୁଁ ନନାଙ୍କ ହାତରୁ ଛଡ଼ାଇ ଆଣିପାରିବି । ମୋ ଗୀତର ଲହର ସେଥିପାଇଁ ମୋତେ ସାହାଯ୍ୟ କରିବ ।

ଫଳ କିନ୍ତୁ ଅନ୍ୟ ଦିଗରେ ଫଳିବାକୁ ଗଲା । ନନା ତମାଳକୁ ବିବାହ କରିବା ପାଇଁ ଦୃଢ଼ ସଂକଳ୍ପ ହୋଇ ତାଙ୍କ ମତ ପ୍ରକାଶ କରନ୍ତେ ବାପା ବୋଉ ଅନେକ ପରିମାଣରେ ଅସନ୍ତୁଷ୍ଟ ହେଲେ-। ହେଲେ ତାଙ୍କ ମିଳନ ପାଇଁ ବିହି ତାଙ୍କୁ ସାହାଯ୍ୟ ହେଲା ।

ନନା ସ୍ୱେଚ୍ଛାଚାରୀଭାବେ ତମାଳକୁ ବିବାହ କରି ବାପା ବୋଉଙ୍କଠାରୁ ପୃଥକ୍‍ ହୋଇଗଲେ । ସେତେବେଳକୁ ନନା କଲେଜ ପଢ଼ା ଶେଷ କରି ଚାକିରି କଲେଣି । ତମାଳ ମାଟ୍ରିକ୍‌ ପାସ୍‌କରି ଘରେ ରହିଥାଏ । ଆଉ ମୋର ହୋଇଥାଏ ବି.ଏ.ର ଶେଷ ବର୍ଷ । ସେ ଦୁହେଁ ବିବାହ କଲେ ମନ୍ଦିରରେ ଦେବୀଙ୍କୁ ସାକ୍ଷୀ ରଖି । ମାଳା ଅଦଳ ବଦଳ କରି । ସେ ଲାଗି ପୁରୋହିତର ମନ୍ତ୍ର ଉଚ୍ଚାରଣ ଦରକାର ହେଲା ନାହିଁ । ଅନ୍ୟ କାହାର ମନ୍ତବ୍ୟକୁ ଅପେକ୍ଷା କରାଗଲା ନାହିଁ ।

ତମାଳ ସହିତ ନନା ଅନ୍ୟ ସ୍ଥାନରେ ରହି କାଳତିପାତ କଲେ ଓ ମୋ ମନରେ ସଦାସର୍ବଦା ତାଙ୍କ ବିଚ୍ଛିନ୍ନତା ଘୋର ଦୁଃଖ ସୃଷ୍ଟି କରୁଥିଲା । ମୁଁ ବିରହର ସଙ୍ଗୀତ ଗାନ କରିବାରେ ଲାଗିଲି । ନନାଙ୍କ ଘରକୁ ଲୁଚି ଲୁଚି ଯାଇ ତମାଳ ମନକୁ ଆକୃଷ୍ଟ କରିବାର ଚେଷ୍ଟାକଲି । ତାକୁ ସନ୍ତ୍ୱନା ଦେଲି, ବାପା ବୋଉଙ୍କୁ ଯେ କୌଣସି ପ୍ରକାରେ ହେଉ ମୁଁ ମଙ୍ଗେଇ ଦେଲେ ସେମାନେ ତୁମ ଦୁହିଁଙ୍କୁ ଏଠାରୁ ନେଇଯିବେ ।

 

ତମାଳ ପାଖକୁ ଯିବାରେ ନନାଙ୍କ ମନରେ କିଛି ସନ୍ଦେହ ଉପୁଜୁ ନ ଥିଲା । ବରଂ ସେ ମୋତେ ବୁଝିବାକୁ ଚେଷ୍ଟା କରୁଥିଲେ ଯେ, ମୁଁ କେତେଦୂର ତାଙ୍କୁ ଭଲ ଚକ୍ଷୁରେ ଦେଖିପାରୁଛି । ଦିନେ ନନାଙ୍କୁ ପ୍ଲିଜ୍‌ କରିବାକୁ ଯାଇଁ ତମାଳ ସମ୍ମୁଖରେ ମୁଁ କହିଥିଲି, ଜାତିପ୍ରଥା କିଛି ନୁହେଁ । ସେ ସବୁ ଅନ୍ଧବିଶ୍ୱାସର ଚାଲ । ମଣିଷକୁ ମଣିଷ ଖାଲରେ ପକାଇ ଦେବାଲାଗି ସଭ୍ୟତାଠାରୁ ବିଚ୍ଛିନ୍ନ କରିବାର ଉଦ୍ଦେଶ୍ୟ ହେଉଛି ସେଇ ଆଭିମୁଖ୍ୟ ।

 

ନନା ମୋ କଥାକୁ ସମର୍ଥନ କରିଥିଲେ । ଆଉ କହିଥିଲେ ହଇରେ ଅମୁ, ତୁ ତ ଏତେଥର ଆମ ଘରକୁ ଯା ଆସ କରୁଛୁଁ ଦିନେ ହେଲେ ତମାଳକୁ ନୂଆବୋଉ ବୋଲି ଡାକିଲୁ ନାହିଁ ତ !

 

ତାଙ୍କ କଥାରେ ମୁଁ ହସି ଦେଇଥିଲି ଓ ମୋ ହସିବା ସଙ୍ଗେ ସଙ୍ଗେ ତମାଳ ମଧ୍ୟ ହସି ଉଠିଥିଲା ।

 

ଏମିତି ନନା ଓ ତମାଳଙ୍କର ମୁଁ ପ୍ରିୟଭାଜନ ହୋଇ ପଡ଼ିଲି । କିନ୍ତୁ ଦିନ ଆସିଲା । ମୋର ଗତାଗତ ସମ୍ୱନ୍ଧରେ ବାପା ବୋଉ ଅବଗତ ହେଲେ । ବୋଉ ଯଦିଓ ସ୍ନେହ, ମମତା ଦୃଷ୍ଟିରୁ ମୋତେ କିଛି କହିଲା ନାହିଁ, ବାପା ରାଗି ଗର୍ଜି ଉଠିଥିଲେ । ଆଉ ତାଗିତ୍‌ କରି ମୋତେ କହିଥିଲେ ଯେ, ମୁଁ ଯଦି କୌଣସି ମୁହୂର୍ତ୍ତକ ପାଇଁ ନନାଙ୍କ ଦୁଆରେ ପାଦ ଦେଇଛି, ତା’ହେଲେ ମୋତେ ମଧ୍ୟ ସମଦଶା ଭୋଗିବାକୁ ପଡ଼ିବ ।

 

ତାହା ଶୁଣି ମୁଁ ଡରିଗଲି । ବାପା ବୋଉ ବୃଦ୍ଧ ବୟସରେ ଆମମାନଙ୍କୁ ତ୍ୟଜ୍ୟ କରି ଯେ କି ଅଶାନ୍ତି ଭୋଗିବେ ତାହା ମୁଁ ମର୍ମେ ମର୍ମେ ଅନୁଭବ କରିନେଲି ।

 

ମନ ମାରି ତାଙ୍କରି ପାଖରେ ପଡ଼ି ରହିଲି । ମୋର ବି.ଏ. ପରୀକ୍ଷା ସରିଗଲା । ବାପା ମୋର ଅଜ୍ଞାତରେ ମୋ ପାଇଁ ବାହାଘର ଠିକ୍‌ କରିଦେଲେ । ବିଭାଘର ମାତ୍ର ଦଶଦିନ ଥାଏ । ମୋତେ ଯେତେବେଳେ ବିବାହ କରିବାକୁ କୁହାଗଲା ସେତେବେଳେ ମୁଁ ବେକାର ବୋଲି ଯୁକ୍ତି ଦର୍ଶାଇଥିଲି ।

 

କିନ୍ତୁ ମୋ ଯୁକ୍ତିକୁ ବାପା ଖଣ୍ଡନ କରି ଦେଇଥିଲେ । ତାଙ୍କ ଉଦ୍ଦେଶ୍ୟ ମୋତେ ବିବାହ କରିଦେଲେ ମୁଁ କାବୁ ହୋଇଯିବି । ଫଳରେ ମୋ ମତି ଆଉ ତମାଳ ଆଡ଼କୁ ଯିବ ନାହିଁ । ତେଣୁ ସେ କହିଲେ, ବୁଝିଲୁ ଅମିଆ । ମୋତେ ଆଉ ତୁ ସେ ବେକାରିଆ ଯୁକ୍ତି ଦେଖାନା । ପାଠ ପଢ଼ି ତୁ ଯୋଉ ଚାକିରି ଖଣ୍ଡିଏ କରିବୁ, ସେଥିରେ କ’ଣ କରି ପକେଇବୁ ଶୁଣେ । ମୁଁ ସାମାନ୍ୟ ମୋହରିର ହୋଇ ଯାହା କମେଇ ରଖିଛି, ସେଗୁଡ଼ାକ କ’ଣ ହବ କି ? ସିଏ ତ ଛତରଖିଆଙ୍କ ଭଳିଆ ପର ଜାତିରେ ଗଲା । ବାକି ତୁ ଗୋଟିଏ ବୋଲି ପୁଅ । ସେଇ ଧନକୁ ନେଇ ସହରରେ ଦୋକାନ ବ୍ୟବସାୟ କଲେ କ’ଣ ହେବ ନାହିଁ ?

 

ମୁଁ ଆଉ କିଛି କହିଲି ନାହିଁ । କଳେ ବଳେ କଉଶଳେ ବାପା ଯେ ମୋତେ ବିବାହ କରାଇବା ପାଇଁ ନିଶ୍ଚିନ୍ତ ତାହା ମୁଁ ଜାଣିନେଲି । ବିବାହ ପାଇଁ ଏକରକମ ମୋର ସମ୍ମତି ରହିଲା ସତ, କିନ୍ତୁ ଝିଅକୁ ପସନ୍ଦ କରିବାକୁ ମୁଁ ଗଲି ନାହିଁ ।

 

ମୋର ବିବାହ ହୋଇଗଲା । ସୁଦୂର ମଫସଲର କାଞ୍ଚନ ନାମ୍ନୀ ଯୁବତୀ ସହ ମୋ ପରିଣୟ ଶୁଭେ ଶୁଭେ ସରିଗଲା । ସେଇ ବିଭାଘରେ ବିଶେଷ ଭଦ୍ରବ୍ୟକ୍ତି କିମ୍ୱା ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଏପରିକି ନନା ଆଉ ନୂଆବୋଉଙ୍କୁ ମଧ୍ୟ ଡକରା ହେଲା ନାହିଁ । ବାପାଙ୍କୁ କେତେ ଅନୁନୟଭରା କଣ୍ଠରେ ବୋଉ କହିଥିଲା ଯେ, ତାଙ୍କୁ ବିଭାଘରରେ ଆଣ । ସେ ଟିକେ ଅମୁର ଦୋଳମୁକୁଟ ଦେଖି ଯାଆନ୍ତୁ । ହେଲେ ସିଧା ସିଧା ବାପା ତାହା ପ୍ରତ୍ୟାଖ୍ୟାନ କରି ବସିଥିଲେ । ତାଙ୍କ ରାଗଜର୍ଜରିତ ପାଟିରୁ ବାହାରି ପଡ଼ିଥିଲା, ଅଜାତିଆଙ୍କୁ ଆଣି ଘରେ ପୂରେଇବି-? ମୁଁ ବଞ୍ଚିଥିବା ଯାଏ ତାହା କଦାପି ହେବ ନାହିଁ ମହୀ ବୋଉ । ମୋ ଯିଦି ଯାହା, ମାଟିରେ ମିଶିଲା ଯାଏ ତାହା ରହିଥିବ ।

 

ସତକୁ ସତ ତାହାହିଁ ହୋଇଥିଲା । ମୋ ବିଭାଘରଠାରୁ ନନା ଆଉ ନୂଆବୋଉ ସବୁ ଦିନ ପର୍ଯ୍ୟନ୍ତ ଆମଠାରୁ ବିଚ୍ଛିନ୍ନ ହୋଇଗଲେ । କାଞ୍ଚନକୁ ନେଇ ମୁଁ ମୋ ନୂଆ ଘରଦ୍ୱାର ଆରମ୍ଭ କଲି ।

 

ଆମଠାରୁ ଦୂରେଇ ରହି ଯେ ନାନା ଓ ତମାଳଙ୍କ ଜୀବନରେ ଅଭ୍ୟୁଦୟ ଦେଖାଗଲା ନାହିଁ, ତା’ ନୁହେଁ । ସେମାନେ ଭିନ୍ନ ଗତି ନେଇ ଜୀବନର ଗତିକୁ ମୁଖର କରି ବସିଲେ । ନନାଙ୍କ ଚାକିରି ସାଙ୍ଗକୁ ତମାଳର ଗୀତ । ରେଡ଼ିଓରେ ଆଧୁନିକ ଗୀତର କଣ୍ଠ ଦାନ କରି ତମାଳ ନିଜର ପ୍ରଶସ୍ତି ପରିବର୍ଦ୍ଧନ କରିଦେଲା ।

 

ତା’ ଗୀତର ପ୍ରଚାର ଶୁଣି ବୋଉ ଓ କାଞ୍ଚନକୁ ଦେଖେଇ ବାପା କହିଲେ, ଶୁଣୁଚ ମହୀବୋଉ, ତୁମ ଗୁଣମଣି ବୋହୂଙ୍କ ପ୍ରଶଂସା ! ଛି, ଛି, ଛି । କି ଅଲାଜୁକ ଏ କାଳ ହେଲା କେଜାଣି ସ୍ତ୍ରୀ ଜାତିଟା ପଦାକୁ ବାହାରି ସବୁ ସତ୍ୟାନାଶ କରି ଥୋଇଲେ । ଏଇଥିରେ ତୁମେ ସେଇ ତମାଳର ପକ୍ଷ ନେଉଥିଲ ?

 

ବୋଉ ବା ତାଙ୍କ କଥା ଉପରେ କି ମନ୍ତବ୍ୟ ଦେବାକୁ ସାହସ କରିଥାନ୍ତା ? ସେ କାଞ୍ଚନ ଆଡ଼କୁ ମୁହଁ କରି ଦେଇଥିଲା ! ଆଉ ଅନେକ ସମୟରେ ସେ ମୋ ସ୍ତ୍ରୀକୁ ଲୁଚେଇ ଛପେଇ କହୁ ଥିବାର ମୁଁ ଶୁଣିଛି ଯେ, ମା ପାଖରେ ଦୁନିଆରେ ସନ୍ତାନର ସ୍ନେହ ବଡ଼ । ଅନ୍ୟ ସବୁକୁ ସେ ତୁଚ୍ଛ କରିଦେଇ ବସେ । ଜାତି ଗୋତ୍ର ତା’ ଆଗରେ ଗୋଟାଏ କ’ଣ ?

 

ବୋଉ ନାରୀ ହିସାବରେ ତାହା ବୁଝି ଥିଲା । କାରଣ ସେ ସନ୍ତାନକୁ ଜନମ ଦେବାର ମର୍ମ ବୁଝେ । ଅଥଚ ବାପା ତାହା ବୁଝନ୍ତି ନାହିଁ । କାରଣ ସେ ପରା ବାପା ! ପଥର । ଶାସନକାରୀ ଦ୍ରବ୍ୟ । ମମତାକୁ ସେ କେବଳ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ନେଇ ତୁଳି ଜାଣନ୍ତି ।

 

ତମାଳ ଲାଗି ବୋଉ ଯାହା ଅନୁଭବ କରୁଥିଲା, ସେଇ ପରିମାଣରେ କାଞ୍ଚନ କ’ଣ ଅନୁଭବ କରିପାରେ ତାହା ପରୀକ୍ଷା କରିବାକୁ ମୁଁ ଚାହିଁଥିଲି । ମୋ ମାନସ ପ୍ରତୀକ୍ଷାର ନଦୀତୀରରେ ବସି ସେଥିଲାଗି ମୁଁ ବହୁ ନିର୍ଜନତାର ଉପାସନା କରି ଚାଲିଲି । ଭାବିଥିଲି ସେଇ ଉଦ୍ଦେଶ୍ୟରେ ସେ ମୋର ସ୍ତ୍ରୀ ହିସାବରେ ମୋତେ ସନ୍ଦେହ କରିପାରେ କିମ୍ବା ନିଃସନ୍ଦେହର ବେଳାଭୂଇଁ ଉପରେ ମୋ ପ୍ରତି ଖୁସିର ସ୍ୱାତନ୍ତ୍ର୍ୟ ଜାହିର କରିପାରେ ।

 

ପ୍ରକୃତରେ କାଞ୍ଚନ ମୋତେ ସନ୍ଦେହ କରି ପାରୁ ନ ଥିଲା । ତମାଳର ପ୍ରଶଂସା ଗାନ କରିବାରେ ସେ କେବଳ ଟାହୁଲି କରୁଥିଲା, ହଁ ଗୋ, ସେ ତମର କେମିତିଆ କଳ ଗାଉଣା ନୂଆବୋଉ । ତାଙ୍କ ପା’ ତଳିକୁ କିଏ ସରି ହେବ ମ !

 

କାଞ୍ଚନ ସହିତ ମୁଁ ସେଇଠି ଅଟକିଯାଇ ନ ଥିଲି । ମୋର ସ୍ଫୁର୍ତ୍ତ ମନ ମୋ ନିଜସ୍ୱ ସଙ୍ଗୀତର ଲହରରେ ଫୁଲି ଉଠିଥିଲା । ତାହା ଶୁଣି କାଞ୍ଚନ କହିଲା ବାଃ କି ସୁମଧୁର ତୁମ କଣ୍ଠ ମ ! କୋଇଲିକୁ ତ ତୁମେ ହରେଇ ଦେଇ ବସିବ !

 

ମୁଁ ସେତେବେଳେ କାଞ୍ଚନକୁ କ’ଣ କହିଥିଲି ଜାଣ ?

 

ମୁଁ କହିଥିଲି, ପ୍ରତିଯୋଗିତାର ମନ ନେଇ ମୁଁ ଗୀତ ଗାଇ ଶିଖି ନ ଥିଲି । ମୋତେ ସେଇ ନୂଆବୋଉ ପ୍ରତିଯୋଗୀ ହେବାର ଇଶାରା ଦେଇଗଲେ । ଥରେ ଯେବେ ମୁଁ ରେଡ଼ିଓରେ କଣ୍ଠଶିଳ୍ପୀର ଆସନ ପାଆନ୍ତି ନା, ତା’ହେଲେ ମୋତେ ଭବିଷ୍ୟତରେ ଏକ ବିଶିଷ୍ଟ ଗାୟକ ରୂପେ ଏ ଦେଶ ଜାଣି ଯାଆନ୍ତା !

 

କିନ୍ତୁ ସେଥିପ୍ରତି ମୋତେ କାଞ୍ଚନ ଉତ୍ସାହିତ କରି ନ ଥିଲା । ସେ କହିଥିଲା, ଛି, ବାପା ବୋଉ ଯେଉଁ କଥାକୁ ଅସନ୍ତୁଷ୍ଟ ତୁମେ ସେଇକଥା କରି ବସିବ କେମିତି !

 

ହଁ, ତୁମେ କହିବ ତୁମେ ପୁରୁଷ ପୁଅ ସେଥିରେ କୋଉ ପାତକ ଲାଗି ଯାଉଛି କି ? ହେଲେ ବାପା ବୋଉଙ୍କ ପୁରୁଣାକାଳିଆ ଅନ୍ଧବିଶ୍ୱାସ ତ ତାହା ବୁଝୁ ନାହିଁ । ଧରି ପାରୁ ନାହିଁ । ସେତିକି ଭାଙ୍ଗି ବସିଲେ ସେମାନେ ଦୁଃଖ କରିବେ ।

 

ମୁଁ ଅବଜ୍ଞା କରି ନ ଥିଲି କାଞ୍ଚନ କଥାକୁ । କେବଳ ସେତିକି ନୁହେଁ ତା’ର ସରଳ ମନରେ ଯାହା ଆସିଥିଲା ସେ ମୋତେ ରାତି ରାତି ଧରି ତାହା କହି କହି ଚାଲିଥିଲା ।

 

ସେ ହେଉଛି ମଫସଲର ଝିଅ । ତେଣୁ ଏଇ ସହରର ମଣିଷଗୁଡ଼ାଙ୍କୁ ବାପା ବୋଉଙ୍କ ଚକ୍ଷୁରେ ହିଁ ଦେଖି ବସୁଥିଲା । ମୋତେ ସେ କହୁଥିଲା, ହଇଓ ତମର ପରା ମଫସଲରେ ଘରଦ୍ୱାର, ଜମି ବାଡ଼ି ସବୁ ଅଛି । ତେମେ କାଇଁ ସେଠି ନ ରହି ଏ ସହରରେ ପଡ଼ି ରହିଛ କହିଲ ?

 

ମୁଁ କହିଥିଲି କାଇଁ, ତୋତେ କ’ଣ ଏଠେଇଁ ଭଲ ଲାଗୁ ନାହିଁ କି ? ଏ ସହରରେ ସିନେମା ଅଛି, ଥିଏଟର ଅଛି । ସର୍କସ ଆସୁଛି । କେତେ ଯାତ୍ରୀ ଆସୁଛନ୍ତି, ଯାଉଛନ୍ତି । ତୋତେ ସେ ସବୁ କ’ଣ ଆନନ୍ଦ ଦେଉନାହିଁ ?

 

କାଞ୍ଚନ କହିଥିଲା ନା । ଏଠାରେ ଦେଖିବା ଚାହିଁବାରେ ବି ତୃପ୍ତି ନାହିଁ । ଲୋକେ ମଦ ଖାଉଛନ୍ତି । ବେଶ୍ୟା ବାଡ଼ିକୁ ଯାଉଛନ୍ତି । ନାରୀକୁ ନିର୍ଯ୍ୟାତନା ଦେଉଛନ୍ତି । ଭକ୍ତିଭାବ, ସରଳତା ଏଠି ଜମା ନାହିଁ । ଫେସନ କେଉଁଠୁ ମାଡ଼ି ଆସୁଛି କେଜାଣି ସଭ୍ୟତା ବୋଲି କହି ସମସ୍ତଙ୍କୁ ଗ୍ରାସି ଯାଉଛି । ସେଥିରେ ଶାନ୍ତି କାହୁଁ ଆସିବ ।

 

କାଞ୍ଚନ ଯାହା ହୃଦୟଙ୍ଗମ କରୁଥିଲା ତାହା କହୁଥିଲା । ତା’ କହିବା ବି ବେଳ ଜାଣି ବାପା ବୋଉଙ୍କ କାନକୁ ଗଲା । ସହରର ସଭ୍ୟତା ବିଷ । ଶାନ୍ତି ନାହିଁ । ତେଣୁ ବଞ୍ଚିବାରେ ସୁଆଦ ଆସିବ କୁଆଡ଼ୁ !

 

ବୋଉ ବାପାଙ୍କୁ କହିଲା ଯେ ସେ କାଞ୍ଚନ ସହିତ ମଫସଲରେ ଯାଇ ରହିବ । ସହରରେ ପଡ଼ି ପଡ଼ି ସେ ଅଣନିଶ୍ୱାସୀ ହୋଇ ଗଲାଣି ।

 

ବାପା ସେଥିରେ ମଙ୍ଗି ଯାଇଥିଲେ ଓ ନିଜେ ସେମାନଙ୍କ ସହ ଯାଇ ଘର ଦ୍ୱାର ସଜାଡ଼ି ଦେଇଥିଲେ । ହେଲେ ମୋ ପାଇଁ କି କିନାରା ହେବ ସେଥିପାଇଁ ଅବଶ୍ୟ କାଞ୍ଚନ ବ୍ୟସ୍ତ ଥିଲା । ସେ ସମର୍ଥନରେ ନ ଥିଲା ଯେ ମୁଁ ଦୋକାନ ବାଣିଜ୍ୟ କରି ସହରରେ ରୁହେ ବୋଲି ।

 

ସେଥିରେ ମୁଁ ସମ୍ମତ ହୋଇ ନ ଥିଲି । ମୋତେ ସହର ଜୀବନ ଯେତିକି ଆକର୍ଷଣ କରୁ ନ ଥିଲା, ବେଶି ଆକର୍ଷଣ କରୁଥିଲା ତମାଳର ବ୍ୟବଧାନ । ତମାଳ ପାଇଁ ମୁଁ ଦୂରକୁ ଉପଲବ୍ଧି କରୁଥିଲି । ତା’ ଛାଇ ମୋର ଦରକାର । ସେଇ ଟିକକରେ ମୁଁ ଯଦି କଳ୍ପନାର ପରଶ ପାଏ, ତେବେ ସେଇଥିରେ ମନକୁ ଧନ୍ୟ କରୁଥିବି । ବାପା ବୋଉ, କାଞ୍ଚନ ପ୍ରତ୍ୟେକ ଯାହା ବିଶ୍ଳେଷଣ କରୁ ଥାଆନ୍ତୁ ପଛେ ।

 

ସେଇ ଯୁକ୍ତି ଓ ଟଣା ଓଟରା ଅନେକ ଦିନ ବିତିଗଲା । ମୁଁ ସହର ମଫସଲ ହେବାରେ ସେମାନେ ଆଉ ଅଭିଯୋଗ କରି ନ ଥିଲେ । ତା’ପରେ ବାପାଙ୍କ କାଳ ଆସି ପୂରିଲା । ସେଇ ମଫସଲରେ ସେ ଆଖି ବୁଜିଲେ ।

 

ମଲାବେଳକୁ ବାପା ଅନୁତାପ କରିଥିଲେ ନନାଙ୍କ ପାଇଁ । ନନାଙ୍କୁ ଦେଖିବା ପାଇଁ ସେ ଇଚ୍ଛା କରୁଛନ୍ତି କି ବୋଲି ବୋଉ ଓ ମୁଁ ପଚାରିବାରେ ସେ ନାସ୍ତି କରିଥିଲେ ହେଁ ତାଙ୍କ ମନୋଭାବରୁ ସ୍ୱୀକୃତି ଥିବାର ମୁଁ ଅନୁମାନ କରୁଥିଲି । ହେଲେ ନନାଙ୍କୁ ସେତେବେଳେ ଖବର ଦେଇ ହୋଇ ନ ଥିଲା । କାରଣ ସେ ତମାଳ ସହ କଲିକତା ପରିଭ୍ରମଣରେ ଯାଇଥିଲେ ।

 

ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମୟରେ ନନା ଗାଁକୁ ଯାଇଥିଲେ । ହେଲେ ପଡ଼ୋଶୀମାନଙ୍କର ଅଭିଯୋଗ ହେତୁ ସେ ସେଥିରେ ଯୋଗଦେଇ ନ ଥିଲେ । ଅଭିମାନରେ ତାଙ୍କୁ ଫେରିବାକୁ ପଡ଼ିଥିଲା । ଯାହାହେଉ ନନାଙ୍କ ଜୀବନକୁ ଯେ ତମାଳର ସାଥିତ୍ୱ ଏକ ଅପୂର୍ବ ରଙ୍ଗରେ ବିମୋହିତ କରୁଥିଲା, ତାହା ଅନୁଭବ କରିବାକୁ ବାକି ରହିଲା ନାହିଁ ମୋ ମନରେ ।

 

ମୁଁ କାଞ୍ଚନକୁ ମୋ ମନର ଭାଷାରେ ପ୍ରକାଶିତ କରିବାକୁ ଅନେକବାର ଚେଷ୍ଟା କରୁଥିଲି-। ରାତି ରାତି ଭରି କେତେ କଳ୍ପନାର ମଧୁ ରାତି ଆପେ ଆପେ ସୃଷ୍ଟି କରି ପକାଉଥିଲି । କାଞ୍ଚନ ଯେବେ ତମାଳ ପରି ହୋଇଯାଆନ୍ତା, ତେବେ ଆଉ ଅବଶୋଷ କ’ଣ ରୁହନ୍ତା ?

 

କିନ୍ତୁ କେହି କ’ଣ କାହା ଭଳି ହୋଇପାରେ ? କାଞ୍ଚନ ଯିଏ ତମାଳ ସିଏ ନୁହେଁ । ତା’ ରଙ୍ଗ ସ୍ୱତନ୍ତ୍ର । ତା’ ରଙ୍ଗରେ ପ୍ରକୃତିର ମାନଚିତ୍ର ସ୍ୱତଃ ବିରଚିତ ହୋଇ ସାରିଛି । ତେଣୁ ମୁଁ କାଞ୍ଚନର ରଙ୍ଗରେ ଭୁଲି ପାରିଲି ନାହିଁ । ବିଭୋର ହୋଇ ରସିଲି ନାହିଁ ତା’ ମନକୁ ।

 

ଏମିତି ଅନେକ ଦିନ, ଅନେକ ମାସ ଓ ବର୍ଷ ବିତିବାରେ ଲାଗିଲା । ସେ ମଧ୍ୟରେ ମୋର ଦୁଇ ଝିଅ ପରେ ଗୋଟିଏ ପୁଅ ହୋଇ ସାରିଥାଏ । ଲୋକେ ଜାଣିବାକୁ କାଞ୍ଚନ ଓ ମୋ ମନ ମଧ୍ୟରେ କୌଣସି ବ୍ୟବଧାନ ନ ଥାଏ । କାରଣ ସନ୍ତାନ ସନ୍ତତି ସେ ସନ୍ଦେହ ମୋଚନ କରୁଥାନ୍ତି । କିନ୍ତୁ ଯେଉଁ କେତେକ କଳା ନିଶିଥିନୀର କକ୍ଷରେ କାଞ୍ଚନ ସହ ମୁଁ ମିଶ୍ରିତ ହୋଇଥାଏ, ସେତେବେଳେ ଶୁଣିବାକୁ ପାଏ, ସତ କହିଲ ସହରରେ ରହିବାର ଆଗ୍ରହ ଏତେ କାହିଁ ତୁମର ବଢ଼ି ଯାଉଛି ? ତୁମକୁ କିଏ ସେଠି କିମିଆ କଲାଣି ନା କ’ଣ ?

 

କାଞ୍ଚନର କଣ୍ଠରୁ ସେଇ ସେତକ ଦରଦ ଝରି ପଡ଼େ ମୋ ଉଦ୍ଦେଶ୍ୟରେ । ମୋଠାରୁ ସେ ଉତ୍ତର ଖୋଜେ ! ସେ ଉତ୍ତରରେ ଯେମିତି ସେ ନିରାଶା ନ ହେବ ତାହାହିଁ ମୁଁ ପରିପୂରଣ କରିବା ପାଇଁ ଚେଷ୍ଟା କରେ ।

 

କିନ୍ତୁ ସେତେବେଳେ ମୋତେ କିଭଳି ଅନୁଭୂତ ହୁଏ ଜାଣ ? ମୁଁ ନିଜକୁ ନିଜେ ଗୌଣ ଭାବେ କାଞ୍ଚନ ନିକଟରେ । ନହଜି ହଜେଇବାରେ ଅନୁଭବ କରେ । ଆଉ ନ ଖୋଜି ଖୋଜିବାର ଲାଳସା ବଢ଼ିଯାଏ ।

 

ଯେତେହେଲେ କାଞ୍ଚନ ତ ନାରୀ । ତମାଳର ଯୌବନ ଯାହା, ତା’ର କ’ଣ ସେଇଆ ନୁହେଁ ? ତେବେ ତୃପ୍ତିର ଗୋଟାଏ ଅଲଗା ମନ ଅଛି ପରା ! ସେଇଟା କ’ଣ କେହି କାହାକୁ କହିଥାନ୍ତି ?

 

କାଞ୍ଚନ କହିଲା, ଦୋକାନ କରିଥିଲ ସ୍ୱାଧୀନ ମନ ନେଇ । ତାକୁ ଭାଙ୍ଗି ଏ ଯେଉଁ ପରାଧୀନତାର ଚାକିରି କଲ ସେ ସବୁ ମୋତେ ଫାଙ୍କି ମାରିବା ପାଇଁ । ମୋତେ ମଫସଲରେ ଚାଷ ବାସ ବୁଝିବା ପାଇଁ ନିର୍ଦ୍ଦେଶ ଦେଇ ତୁମେ ତୁମର ସହର ବଜାରରେ ମଜ୍ଜା ମାରୁଥାଅ ।

 

ସତେରେ ଏକା କାଞ୍ଚନ କଥା ମୋ ଲାଗି ଠିକ୍ ଥିଲା । ସହରରେ ମୁଁ ବେପରୁଆ ଜୀବନ ଅତିବାହିତ କରୁଥିଲି । ମୋ ମନେ ମନେ ଛନ୍ଦ ଆସୁଥିଲା ସଙ୍ଗୀତର । ରାଗ ଆସୁଥିଲା ସ୍ୱରର । ମୁଁ କହୁଥିଲି କାଞ୍ଚନ ଦୂରରେ ରହୁ । ସେ ତା’ ମାତୃତ୍ୱର ତୀର୍ଥରେ ନିତି ଅବଗାହନ କରି ତୃପ୍ତି ଲାଭକରୁ । କାଞ୍ଚନକୁ ସହାୟ ହୋଇ ଅନେକ ଦିନ ପର୍ଯ୍ୟନ୍ତ ମୋ ବୋଉ ବଞ୍ଚି ରହିଲା ।

 

ବୋଉ ମଲାବେଳେ ଯେଉଁ କଥା କହିଗଲା ଯେ ମୋତେ କାଞ୍ଚନ ଲାଗିଲା, ତାହା ମୁଁ ମର୍ମାନୁଭୂତିରେ ବିଶ୍ଳେଷଣ କରି ବସୁଥିଲି । ତମାଳକୁ ଲକ୍ଷ୍ୟ କରି ତାହା ନ ଥିଲା ତ ?

 

ବୋଉ ବଞ୍ଚିଥିବା ବେଳେ ତମାଳ ମୋତେ ଅନେକ ଥର ଦୁଃଖପ୍ଳିଷ୍ଟ ସ୍ୱରରେ କହିଛି ଅମୁଭାଇ, ତମ ବୋଉଙ୍କୁ ମୁଁ ଡାକିବା ସ୍ତରକୁ ଆସି ସୁଦ୍ଧା ସେଇ ଡାକ ଡାକି ପାରିଲି ନାହିଁ ? ସେ କ’ଣ ସବୁଦିନ ପାଇଁ ମୋର ସେମିତି ମାଉସୀ ହୋଇ ରହିଗଲେ ?

 

ପ୍ରକୃତରେ ମୁଁ ସେଇ ସବୁ ତନଖି ଭାବିବାରେ ଦେଖୁଥିଲି ଯେ ତମାଳର ହୃଦୟ ଏକ ପ୍ରଶାନ୍ତ ସାଗର । ଯେଉଁଠି କି ତରଙ୍ଗର ଉଚ୍ଚାଟ ନାହିଁ । ଅଛି ଶାନ୍ତ ମୂର୍ଚ୍ଛନା । ଯାହାକି ମନର ଉପକୂଳରେ ବାରମ୍ୱାର ପିଟି ହୋଇଗଲେ ହେଁ କଦାପି ଆଘାତ ଲାଗେ ନା ।

 

ଆଶ୍ଚର୍ଯ୍ୟ !

 

ମୁଁ ତମାଳର କଣ୍ଠସ୍ୱର ରେଡ଼ିଓରେ ଶୁଣିବା ପରେ ଅନେକ ତନ୍ଦ୍ରାର ସ୍ୱପ୍ନକୁ ଅଙ୍ଗେ ଲିଭେଇଲି । ଫଳରେ ସ୍ୱତଃ ହ୍ରାସ ପାଇଲା ମୋର ମନ କାଞ୍ଚନର ମଧୁ ପାଖୁଡ଼ାରୁ । କିନ୍ତୁ ତମାଳକୁ ପାଇବା ମୋର ବ୍ୟର୍ଥତାରେ ପରିଣତ ହୋଇଗଲା । ମୋ ଜନକର ବୟସ ସଙ୍ଗେ ନନା ମଧ୍ୟ ତମାଳ ତରଫରୁ ଠିକ୍‌ ସେତିକି କିମ୍ୱା ତଦୂର୍ଦ୍ଧ୍ୱ ସନ୍ତାନଙ୍କର ପିତା ହୋଇ ସାରିଥିଲେ । ଅବଶେଷରେ ମୋତେ ନୀରବ ରହିବାକୁ ହିଁ ପଡ଼ିଲା । ମୋ ଦେହର ଅନେକ ଶର୍ବରୀ ଅମାବାସ୍ୟାର ଅପମାନରେ ସଙ୍ଗୀତର ନିଷ୍ଫଳ ଚିଟାଉ ଲେଖି ବସିଲା ଚନ୍ଦ୍ରମା ପାଖକୁ । ‘ବୟସ ବଢ଼ିଯାଏ ସିନା, କିନ୍ତୁ ତୁମେ ବଢ଼ନା କି ସେ ବଢ଼େନା, ଚକୋରୀ ପାଇଁ ଝରେ ନିଶି, ମୋଟେ ଏ ଶତାବ୍ଦୀ ସରେନା ବିତେନା ।’

 

ମୁଁ ଏଇ ଗୀତଟି ଅନେକ ଥର ଅନେକ ଭଙ୍ଗୀରେ ଗାଇବାକୁ ଲାଗିଲି । ତାହା ଶୁଣି ମୋର ସହକର୍ମୀମାନେ ମୋତେ ରେଡ଼ିଓରେ ସେଇ ଗୀତ ଗାଇବାକୁ ବାଧ୍ୟ କଲେ ! ତେଣୁ ମୁଁ ସେମାନଙ୍କ ଅନୁରୋଧକୁ ପ୍ରତ୍ୟାଖାନ କରି ପାରିଲି ନାହିଁ । ସେଇ ଗୀତକୁ ଜୀବନରେ ମୁଁ ପ୍ରଥମ ଓ ଶେଷ ଭାବି ଜୀବନ ଯାତ୍ରାରେ ଛପି ରହିଗଲି । ମନର ଖେଳନାକୁ ହଜେଇ ଦେବାକୁ ପଡ଼ିବ । ପଡ଼ୁ, ଚିନ୍ତା କ’ଣ ?

 

କିଛିଦିନ ଗତ ହୁଅନ୍ତେ ମୁଁ ଶୁଣିଲି ଯେ ମୋ ଗୀତ ଲାଗି ମୋତେ ଆଞ୍ଚଳିକ କଣ୍ଠ ସଙ୍ଗୀତ ଉତ୍ସବ ତରଫରୁ ଏକ ପୁରସ୍କାର ମିଳିଛି । ତାହା ଅଭିନନ୍ଦନ ସ୍ୱରୂପ ପ୍ରଥମେ ଏକ କାର୍ଡ଼ରେ ଆସିଛି । ସେଇ ସମ୍ୱାଦରେ ମୁଁ ଆତ୍ମହରା ହୋଇ ପଡ଼ିଲି ଓ ସଙ୍ଗେ ସଙ୍ଗେ ତାହା ଜଣେଇ ଦେବା ପାଇଁ ମୁଁ ଗଲି ତମାଳ ପାଖକୁ ।

 

ଅତି ଆଗ୍ରହରେ ତମାଳ ନିକଟକୁ ଧାଇଁ ଯାଇଥିଲି । ହେଲେ ମୋତେ ଫେରିବାକୁ ହେଲା ନିରାଶାର ଦହନରେ । ତମାଳ ସେଠି ନ ଥିଲା । ତା’ ରହିବା ଘର ଦୁଆର ମୁହଁ ଆଡ଼କୁ ଉତ୍ସୁକର ଦୃଷ୍ଟି ନିକ୍ଷେପ କରି ମୁଁ ଦେଖିଲି ଯେ କାନ୍ଥକୁ ଲାଗି ଏକ ‘ଟୁ ଲେଟ୍‌’ର ଘୋଷଣାପତ୍ର ଝୁଲୁଛି । ତମାଳ ଓ ନନା ସେଠାରେ ଆଉ ନାହାନ୍ତି । ଅନ୍ୟ ଜିଲାକୁ ବଦଳି ହୋଇଯିବା ପରେ ସେଇ ଘରଟି ଭଡ଼ା ଲାଗିବାର ଉଦ୍ଦେଶ୍ୟରେ ଅଛି ବୋଲି ଲୋକେ ମୋତେ କହିଲେ ।

 

ମୁଁ ଫେରି ଆସିଥିଲି । ଉନ୍ନିଦ୍ର ମଧୁପର ମନ ନେଇ ପ୍ରଣୟର ମଧୁ ସଂଗ୍ରହ କରିବାର ଲକ୍ଷ୍ୟ ମୋର ସେଇଦିନଠାରୁ ଭ୍ରଷ୍ଟ ହୋଇଗଲା । ମୁଁ ଭାବିଲି ସେମିତି ଗୁଞ୍ଜନର ଅଭିସାର କରି ଲାଭ କ’ଣ ? ଖାଲି ନିଷ୍ଫଳ ଅଭିମାନ ସାର ହେବ ସିନା !

 

ତେଣୁ ମୋ ଅତୀତ ଆପେ ଆପେ ରୁଦ୍ଧ ହୋଇଗଲା । ମୁଁ ଅଟକି ଗଲି ସେଇଠି ।

 

।। ୫ ।।

 

ଅମରେଶ କହିଲେ ମୋର ଆଉ ବ୍ୟକ୍ତିଗତ ଭାବେ କିଛି କହିବାର ନାହିଁ । ଅଙ୍ଗେ ଲିଭେଇଥିବା କଥା କହି ରହିଲି । ହେଲା ।

ତହୁଁ ଅଞ୍ଜନା ଉଠି ବସି ପ୍ରକୃତିସ୍ଥ ହେଲେ । ବାପାଙ୍କଠାରୁ ସେଇଭଳି ଏକ ଖଣ୍ଡ ଜୀବନକାହାଣୀ ଶୁଣି ସେ ଖୁବ୍‌ ପ୍ରଶଂସା କରିବାରେ ଲାଗିଲେ । ପୁଣି ସେଇ ସାଙ୍ଗେ ସାଙ୍ଗେ କହିଲେ, ଲାଜକୁଳୀ ଲତାକୁ ଯେତେ ଆସ୍ତେ ଆସ୍ତେ ଛୁଇଁବ, ସେତେ ଭଲ ଲାଗେ ଉପଲବ୍‌ଧି କରିବାକୁ; ସେଇଭଳି ମୁଁ ହେବାକୁ ଚାହେଁ । ମୋତେ ଆପଣ ଯଦି ଥରେ ପରୀକ୍ଷା କରନ୍ତେ...

ବାପା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ଅଞ୍ଜନା ବିବାହିତା ନାରୀ ହୋଇ ଏମିତି କ’ଣ କହିବାକୁ ଚାହୁଁଛନ୍ତି ?

ବାପା ନିଜକୁ ନିଜେ ପ୍ରଶ୍ନ କରୁଥିଲେ । ତାଙ୍କ ବିସ୍ମୟ ଦୃଷ୍ଟିଭଙ୍ଗୀରେ ଉତ୍ତରର ଅପେକ୍ଷା ଦେଖି ଅଞ୍ଜନା କହି ଉଠିଥିଲେ, ସତେରେ ଅମେରେଶ ବାବୁ, ମୁଁ ଏଇ ମୁହୂର୍ତ୍ତରେ ଗଛ ଭଳି ବଳ୍‌କଳ ଛଡ଼େଇବାକୁ ଚାହେଁ । ଜୀବନର ସୃଷ୍ଟି ଆନନ୍ଦ ପାଇଁ, ସୁଖ ପାଇଁ । ସେ ଯଦି ସେତିକିରୁ ବଞ୍ଚିତ ହେଲା ତେବେ ସେ ଜୀବନ ଥାଇ ଲାଭ କ’ଣ ?

ଧନ ଥିଲେ ଏ ଦୁନିଆରେ ମର୍ଯ୍ୟାଦା ଆସୁଛି ସତ, କିନ୍ତୁ ସେଠି ପ୍ରେମର ସ୍ଥାନକୁ କିଏ ବଡ଼ କରୁଛି କହିଲେ ? ଧନ ପାଇଁ ଏ ଦୁନିଆଟା ଦିନେ ନା ଦିନେ ସମ୍ପୂର୍ଣ୍ଣ ଜଡ଼ବାଦରେ ପରିଣତ ହୋଇଯିବ, ମନକୁ କେହି ପଚାରିବେ ନାହିଁ ।

ଗୌରସୁନ୍ଦର ଏସ୍‌.ଡି.ଓ. । ଦରମା ଭଲ ରୋଜଗାର କରୁଛନ୍ତି । ଅବସ୍ଥା ଅନୁସାରେ ସମ୍ମାନ ମଧ୍ୟ ପାଉଛନ୍ତି । କିନ୍ତୁ ପ୍ରଣୟର ମନକୁ ଉଚ୍ଚକିତ କରିବାରେ ତାଙ୍କ ଆଭିମୁଖ୍ୟ କେତେ ଊଣା କହିଲେ ?

 

ଅଞ୍ଜନାଙ୍କ ଯୁକ୍ତିକୁ ବାପା ବୁଝୁଥିଲେ । ସେ କହିଲେ, ଗୌରସୁନ୍ଦର ଆପଣଙ୍କ ପ୍ରତି ଯେଉଁ ଅବହେଳା ଦେଖାଉଛନ୍ତି, ସେଥିରେ ଆପଣ ଭାଙ୍ଗି ପଡ଼ିଛନ୍ତି । କିନ୍ତୁ ସେ କେବେହେଲେ ନ୍ୟୂନ ମନୋବୃତ୍ତି ଦେଖାଇ ନାହାନ୍ତି । ହୁଏତ ଏମିତି ହୋଇପାରେ ସ୍ୱାମୀ ହିସାବରେ ସେ ରୁଗ୍‌ଣ ହୋଇ ପାରିଥାନ୍ତି । କିନ୍ତୁ ପୁରୁଷ ରୂପେ ସେ ଦୃଢ଼ ଏବଂ ସଚ୍ଚୋଟ ।

 

ଅଞ୍ଜନା ପୁଣି କହିଲେ, ଆପଣ ଦେଖନ୍ତୁ ଅମରେଶ ବାବୁ, ରେଡ଼ିଓରେ ଏକ ପ୍ରଥମ ଶ୍ରେଣୀୟ କଣ୍ଠଶିଳ୍ପୀ ଭାବେ ଏଇ ଅଳ୍ପ ଦିନ ଭିତରେ ଆପଣଙ୍କର ଯେଉଁ ଖ୍ୟାତି ବୃଦ୍ଧି ପାଇଛି, ତାହା କ’ଣ ଗୌରସୁନ୍ଦରଙ୍କ ସମ୍ମାନଠାରୁ ଯଥେଷ୍ଟ ଉଚ୍ଚରେ ନୁହେଁ ?

 

ବାପାଙ୍କୁ ସେ ତାହାହିଁ କହିବାର ଉଦ୍ଦେଶ୍ୟ ଥିଲା ଯେ, ସେ ତାଙ୍କୁ ଜଣେ ପ୍ରେମମୟ ପୁରୁଷ ବୋଲି ଅନୁମାନ କରୁଥିଲେ । ଜଣେ ବ୍ୟକ୍ତି ରସଶିକ୍ତ ନ ହେଲେ ଗୀତ ଗାଇ ପାରେ ନା । ସେ ପ୍ରବୃତ୍ତି ଅବଶ୍ୟ ଈଶ୍ୱର ପ୍ରଦତ୍ତ । ହେଲେ କାମନାର କୁହୁକ ପୁରରେ ଯେଉଁ ମନ ବୋଲି ଜୀବନର ଲାଲସା ଅଛି, ତାହାକୁ ଶରୀରର ପ୍ରକାର ଭେଦରେ ଅର୍ଥ ବିନ୍ୟାସ କରାଯାଇ ପାରିବ କେମିତି ?

 

ବାପାଙ୍କ ଡାଏରୀରେ ସେଇ ଗୀତଟି ଲେଖା ହୋଇଥିଲା । ‘‘ରାଧିକେ ତୁହ୍ନେ ବାଂଶରୀ ଚୁରାୟା....’’ ଏଇ ଗୀତର ମର୍ମ ନୁହେଁ ଯେ ଅଞ୍ଜନା ତାଙ୍କର ବଂଶୀ ଚୋରୀ କରି ସେଇ ସମୟରେ ନେଇ ଯାଇଥିଲେ ବୋଲି । ସେ ନେଇଥିଲେ ତାଙ୍କ ମନ ହରଣ କରି । ତାଙ୍କ ହୃଦୟକୁ ଦିଗଭ୍ରଷ୍ଟ କରିଦେଇ ଯାଇଥିଲେ ।

 

ଅଞ୍ଜନା ଯେତେବେଳେ ସେଇ ଦିନର ଦୀର୍ଘ କଥୋପକଥନର ଅବ୍ୟାହତି ପରେ ବିଦାୟ ନେବାକୁ ବସିଲା, ସେତେବେଳେ ବାପା ତାଙ୍କୁ ନିମନ୍ତ୍ରଣ ଦେଇଥିଲେ ଅବାଧରେ ତାଙ୍କ ସହ ଆସି ଆଳାପ କରିଯିବାକୁ । ସେଥିପାଇଁ ସେ ଆଉ ଭୁଲ୍‍ ଠିକ୍‌ର ବିଚାର କରି ବସିଲେ ନାହିଁ ।

 

ଅଞ୍ଜନାଙ୍କ ପ୍ରେମ ମନୋନୟନ ପତ୍ରରେ ବାପା ହେଲେ ପ୍ରଥମ ଚିଟାଉ । ବାପା ଗୀତ ବୋଲି ତାଙ୍କ ମନକୁ ବଶ କରି ଦେଲେ । ପୁଣି ବଂଶୀ ଫୁଙ୍କି କାନକୁ ବଧିର କରିଦେଲେ । ଅଞ୍ଜନା ପାଗଳ ହୋଇଗଲେ । ସେ ଯେମିତି ଦେଖି ପାରିଲେ ଯେ, ବାପାଙ୍କ ଛଡ଼ା ଦୁନିଆରେ ତାଙ୍କର ଆଉ ରାହା ନାହିଁ ।

 

ମୁହଁ ଖୋଲି ସେ ବାପାଙ୍କୁ କହିଲେ, ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ ତମାଳ ଅପେକ୍ଷା ମୁଁ ବେଶି ଆପଣଙ୍କ ମନର ହୋଇଗଲିଣି ବୋଲି ଅନୁଭବ କରୁଛି । ମୋତେ ଆପଣ ସବୁଦିନ ପାଇଁ ନିଜର କରି ରଖିବାକୁ କେତେଦିନ ବିଳମ୍ୱ ଅଛି କହିଲେ ?

 

ବାପା ସ୍ତମ୍ଭୀଭୂତ ହୋଇ ଯାଇଥିଲେ । ମନରେ ତାଙ୍କର ଯୌବନର ଆସକ୍ତି ବିଦ୍ରୋହ ପ୍ରକାଶ କରିଥିଲେ । ଅଞ୍ଜନାଙ୍କଠାରେ ଦେହ ଲୋଭର ପିପାସା ତା’ହେଲେ ଏତେଦୂର ବ୍ୟଥିତ ହୋଇ ଉଠିଛି ?

 

ପରୀକ୍ଷାସୂତ୍ରରେ ବାପା ଦିନେ ଏକାନ୍ତ ନିର୍ଜନରେ ତାଙ୍କୁ କୋଳକୁ ଆଉଜାଇ ଆଣିଥିଲେ-। ଅନାୟାସରେ ସେ ଢଳି ପଡ଼ିଥିଲେ । ଖାଲି ସେତିକି ନୁହେଁ, ଉତ୍ତେଜିତ ତାଙ୍କ ଶରୀର ଭିତରୁ ଉଷ୍ମମନ ବହିର୍ଗତ ହୋଇ ଆଲିଙ୍ଗନ କରି ପକାଇଥିଲା ।

 

ବାପାଙ୍କ ଦେହରୁ ସଂଯମତାର ବନ୍ଧ ଭାଙ୍ଗି ଅସଂଯମତାର ସୁଅ ଛୁଟିଥିଲା । ପ୍ରତିଦିନ ସେଇ ସୁଅ ମୁହଁରେ ପତର ଭଳି ଭାସି ଚାଲିବାକୁ ପାଗଳ ହୋଇ ଉଠିଲା ସେ ଦୁହିଁଙ୍କ ମନ ।

 

ସେମାନଙ୍କ ଗୋପନ ପ୍ରଣୟ କୌଣସି ଲୋକଲୋଚନର ସନ୍ଦେହକୁ ଆସୁ ନ ଥିଲା ସତ; ମାତ୍ର ଅଞ୍ଜନାଙ୍କ ବାପା ତ୍ରିନାଥ ପଟ୍ଟନାୟକ ବେଳେ ବେଳେ ସନ୍ଦେହ କରିବାକୁ ଲାଗୁଥିଲେ ।

 

ସେଇ ଆଶଙ୍କାର ବଶବର୍ତ୍ତୀ ହୋଇ ଅଞ୍ଜନାଙ୍କୁ ଗୌରସୁନ୍ଦରଙ୍କ ପାଖକୁ ପଠାଇ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଅଞ୍ଜନା ତାହା ଜାଣିପାରି ତାଙ୍କ ଉଦ୍ଦେଶ୍ୟକୁ ଅନ୍ୟ କାରଣ ଦେଖାଇ ପଣ୍ଡ କରି ଦେଇଥିଲେ ।

 

ବାପା ସେ ସମ୍ୱାଦ ଅଞ୍ଜନାଙ୍କ ମନରୁ ଲକ୍ଷ୍ୟକରି ତାଙ୍କୁ ସେହି ଅପକର୍ମରେ ଅଗ୍ରସର ହେବାକୁ ବାରଣ କରିଥିଲେ । କିନ୍ତୁ ଫଳ କିଛି ହେଲା ନାହିଁ । ସେ ବ୍ୟସ୍ତ ବିବ୍ରତ କରି ପକାଇଲେ ବାପାଙ୍କୁ । ବାପାଙ୍କ ସରଳ ମନ ତାଙ୍କ ଭ୍ରଷ୍ଟ ଚରିତ୍ରର ଗତିପଥରେ ଏତେଦୂର କାବୁ ହୋଇଯାଇଥିଲା ଯେ, ସେ ସ୍ୱାଧୀନ ମନୋବୃତ୍ତି ନେଇ ଯାହା କରିବାକୁ ଚାହୁଁଥିଲେ ତାହା ହୋଇ ପାରିଲା ନାହିଁ ।

 

ଅବଶେଷରେ ଅଞ୍ଜନା ସେଇ ଫାଶଟି ବସେଇଲେ । ଦିନକର ତାଙ୍କ ବାପା ଘରେ ଉପସ୍ଥିତ ନ ଥାନ୍ତି । ଏକୁଟିଆ ଚାକର ଟୋକା ଥାଏ । ସେ ନିମନ୍ତ୍ରଣ କଲେ ବାପାଙ୍କୁ । ବାପା ଗଲେ-। ସାଙ୍ଗରେ ନେଇଥାନ୍ତି ତାଙ୍କ ପ୍ରିୟ ବଂଶୀକୁ ।

 

ତାହା ଦେଖି ସେ କହିଲେ, ବାଃ ଆପଣ ଠିକ୍‌ ମନକୁ ବୁଝିପାରନ୍ତି । ଦେଖନ୍ତୁ ଆଜି ବଡ଼ ଶୁଭ ତିଥି । ଚାରିଆଡ଼େ ବାହାଘରର ଉତ୍ସବ ଲାଗି ରହିଛି । ଚାଲନ୍ତୁ ଏହି ପିଆନୋ ଓ ଆପଣଙ୍କର ବଂଶୀକୁ ବିବାହ କରିଦେବା । ନିର୍ଜୀବ ହେଲେଓ ସେମାନଙ୍କର ତ ପୁଣି ମନ ଅଛି ?

 

ବାପା ହସି ଦେଇଥିଲେ । ଆଉ ସେ ତାଙ୍କୁ ଉଦ୍ଦେଶ୍ୟ ନ ପଚାରି ତାହାହିଁ କରି ବସିଲେ-। ଦେବୀ ମନ୍ଦିରରେ ଫୁଲମାଳା ଦୁଇଟି ପୂଜା ହୋଇ ଆସି ସେଇ ବଂଶୀ ଓ ପିଆନୋକୁ ପିନ୍ଧାଇ ଦିଆ ହୋଇଥିଲା ।

 

ତା’ପରେ ବାପାଙ୍କ ପ୍ରଫୁଲ୍ଲ ବଦନକୁ ନିରୀକ୍ଷଣ କରି ଅଞ୍ଜନା କହି ଉଠିଥିଲେ । ଏଇ ବିବାହ ହିଁ ଆମ ଦୁହିଁଙ୍କ ବିବାହ ସଙ୍ଗେ ସମାନ । ଇଚ୍ଛା କଲେ ଏଣିକି ମୁଁ ଗୌରସୁନ୍ଦରଙ୍କୁ ଛାଡ଼ପତ୍ର ଦେଇ ଆପଣଙ୍କର ହୋଇଯିବି ।

 

ସେଇସବୁ କଥାରେ ବାପା କେବଳ ଭଳିଯିବା ବ୍ୟତୀତ ଗଭୀର ଦୃଷ୍ଟିଭଙ୍ଗୀ ନେଇ କିଛି ଚିନ୍ତା କରୁନଥିଲେ । ଦିନୁ ଦିନ ଘରେ ବୋଉ ଓ ମୁଁ ତାଙ୍କର ଅନ୍ତର ହୋଇ ଯିବାକୁ ବସିଲୁ ! ବୋଉ ଯେତେ ଆସି ବାପାଙ୍କୁ କହିଲା ଯେ ଥରେ ମଫସଲ ଚାଲ, ବାପା ସେଥିରେ ମୋଟେ ରାଜି ହେଲେ ନାହିଁ ।

 

ବରଂ କହିଲେ, ଘରେ ମୋର କି କାମ ଅଛି ? ପୁଅ, ଝିଅଙ୍କ ପାଠ ପଢ଼ିବା ଦାୟିତ୍ୱ ତୁମର । ମୁଁ କେବଳ ଟଙ୍କା ପଠାଇ ଦେଉଥିବି ।

 

ତାଙ୍କ ମୁହଁ ଉପରେ ବୋଉ କିଛି ଯୁକ୍ତି କରିପାରେ ନାହିଁ ବୋଲି ତାକୁ ନିରାଶାରେ ସେଦିନ ଫେରି ଆସିବାକୁ ପଡ଼ିଥିଲା । ପୁଣି ସବୁଦିନ ପାଇଁ ତା’ ଯୌବନର ସୁଖଭୋଗ ଉପରେ ଭଟ୍ଟା ପଡ଼ିଥିଲା ସେଇ ଦିନଠାରୁ ।

 

ଇତ୍ୟବସରରେ ଅଞ୍ଜନାଙ୍କୁ ଗୌରସୁନ୍ଦର ଆସି ନେଇଗଲେ । କିନ୍ତୁ ଗଲାବେଳେ ଗୋପନରେ ଅଞ୍ଜନା ବାପାଙ୍କୁ ସାକ୍ଷାତ କରିଥିଲେ ଓ କହି ଯାଇଥିଲେ ଯେ, ସେ ଚିରଦିନ ପାଇଁ ତାଙ୍କର ହୋଇ ରହିଲେ । ଖୁବ୍‌ ଶୀଘ୍ର ସେ ଫେରି ଆସିବେ ବୋଲି ବାପାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଗଲେ ।

 

କିନ୍ତୁ କାହିଁ ? ସେ ଫେରିଲେ ନାହିଁ । ତାଙ୍କ ନିଷ୍ଫଳ ବାହୁଡ଼ା ପ୍ରତି ନିରାଶାର ପ୍ରତୀକ୍ଷା ପୋଷଣ କରି ମାସ, ବର୍ଷ ବିତିଗଲା । ତାଙ୍କରି ଉଦ୍ଦେଶ୍ୟରେ ଅନେକ ଗୀତ ରଚନା କରି ବାପା ରେଡ଼ିଓରେ କଣ୍ଠଦାନ କଲେ ।

 

ହେଲେ ଅଞ୍ଜନାଙ୍କ ମନରେ ତା’ର କୌଣସି ପ୍ରଭାବ ପଡ଼ିଲା ନାହିଁ । ଏଣେ ଗୌରସୁନ୍ଦରଙ୍କ ଘରେ ସେ ଅନ୍ୟାନ୍ୟ ସହଯୋଗୀ ବନ୍ଧୁମାନଙ୍କର ଆକର୍ଷଣରେ ନିଜକୁ ଭୁଲାଇବାକୁ ଲାଗିଲେ ।

 

ସେଇ ସମ୍ୱାଦ ଯାଇ ବାଜିଲା ବାପାଙ୍କ କାନରେ । ବାପା ଅନୁତାପ କଲେ । ମନେ ମନେ ଭାବି ବିଳାପ କରିବାକୁ ଲାଗିଲେ । ତମାଳ ଯାଇଥିଲା, କିଛି ଦୁଃଖ ନ ଥିଲା । ଶେଷରେ ଅଞ୍ଜନା ପାଖରେ ନିଜର ଚରିତ୍ରକୁ ବଳି ଦେଇ ସେ ମଧ୍ୟ ଚିତାକାଟି ଚାଲିଗଲେ ?

 

ଦିନରାତି ସେଇ ଭାବନା ବାପାଙ୍କ ଶରୀରକୁ କ୍ଷୀଣ କରିବା ସଙ୍ଗେ ସଙ୍ଗେ ମନକୁ ଭାରାକ୍ରାନ୍ତ କରି ରଖିଲା । ସେ ପ୍ରଳାପ କରିବାକୁ ଲାଗିଲେ । ରେଡ଼ିଓରେ ଗୀତ ଦେବା ବନ୍ଦ ହୋଇଗଲା ।

 

ଫଳରେ ଜାଣୁ ଜାଣୁ ସେ ହରାଇ ବସିଲେ ତାଙ୍କ ଅର୍ଜିତ ଚାକିରି ଖଣ୍ଡିକ । ମନରେ ଚୈତନାଶୂନ୍ୟ ହୋଇ ପଡ଼ିଲାବେଳେ ତାଙ୍କ ପ୍ରିୟ ବଂଶୀ ଖଣ୍ଡକ ହେଲା ତାଙ୍କର ସାଥୀ । ସେ ତାକୁ ଧରି ଅଞ୍ଜନା ପାଖକୁ ଗଲେ ।

 

ହେଲେ ବିସ୍ମିତ ହେବାକୁ ପଡ଼ିଲା ଯେ, ଅଞ୍ଜନା ବାପାଙ୍କୁ ଚିହ୍ନି ପାରିଲେ ନାହିଁ । ବାପାଙ୍କ ମୁହଁରେ ଦାଢ଼ି ବଢ଼ି ଯାଇଥିଲା । ମଥାର କେଶ ତେଲ ବିହୁନେ ଫୁର୍‌ଫୁର୍‌ ଉଡ଼ୁଥିଲା । କିନ୍ତୁ ହାତରୁ ସେ ବଂଶୀ ଖଣ୍ଡକୁ ଛାଡ଼ି ନଥିଲେ । ତାକୁ ଦେଖେଇ କହିଲେ, ଏଇ ପରା ତୁମ ପିଆନୋର ସ୍ୱାମୀ ! ତୁମେ ଏହାକୁ ଚିହ୍ନି ପାରୁ ନାହଁ ? ସ୍ତ୍ରୀ କ’ଣ କେବେ ତା’ ପ୍ରିୟ ସ୍ୱାମୀକୁ ଭୁଲିଯାଇ ପାରେ ?

 

ସେତେବେଳେ ଅଞ୍ଜନା ହସି ଦେଇଥିଲେ । ଆଉ ତାଙ୍କ ମୁହଁର ସେଇ ହସରେ ଖେଳି ଯାଇଥିଲା ରୁକ୍ଷତାର ତରଙ୍ଗ । ସେ କର୍କଶ କଣ୍ଠରେ କହି ଉଠିଥିଲେ, ପାଗଳ ଯିଏ ସିଏ କେବେ ବାରଦୁଆର ବୁଲି ପରକୀୟାକୁ ସ୍ତ୍ରୀ ବୋଲି କୁହେ ନା ।

 

Get out ତୁମେ ବାହାରି ଯାଅ । ନଚେତ୍‌ ଚାକରଦ୍ୱାରା ମୋତେ ତୁମକୁ ବାହାର କରି ଦେବାକୁ ପଡ଼ିବ !

 

ସେହି ସମୟରେ ଗୌରସୁନ୍ଦର ଭିତରକୁ ପଶିଆସି ଦେଖି ନେଇଥିଲେ । ଆଉ ଅଞ୍ଜନାଙ୍କ କ୍ରୋଧରେ ଆରକ୍ତ ହୋଇ ଉଠିଥିବା ନୟନଯୁଗଳକୁ ଅନୁଧ୍ୟାନ କରି ବୁଝିନେଲେ ଯେ ସମ୍ମୁଖରେ ଦଣ୍ଡାୟମାନ ହୋଇଥିବା ପାଗଳ ସମ୍ପର୍କରେ କିଛି ନା କିଛି ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ।

 

ଗୌରସୁନ୍ଦର କାହାକୁ କିଛି କହିବା ପୂର୍ବରୁ ବାପା ତାଙ୍କ ହାତ ଧରି ପକାଇ ଅଶ୍ରୁପୂର୍ଣ୍ଣ ମୁଖରେ ଭାଷା ଫୁଟାଇ କହି ଉଠିଥିଲେ, ଆପଣ ମୋତେ ସାହାଯ୍ୟ କରନ୍ତୁ । ଏ ହେଉଛନ୍ତି ମୋର ପତ୍ନୀ । ମୋତେ ଫାଙ୍କି ଏଠାକୁ ଚାଲି ଆସି ପାଗଳ ବୋଲି ନାରାଜ ହୋଇ ଯିବାକୁ ବସିଛନ୍ତି । ଆପଣ କହିଲେ, ଆପଣ କ’ଣ କେଇଟା ଦିନର ଅନ୍ତର ପରେ ଆପଣଙ୍କ ସ୍ତ୍ରୀଙ୍କୁ ଏମିତି ଭୁଲି ଯାଇପାରିବେ ?

 

ଅଞ୍ଜନା ?

 

ଗୌରସୁନ୍ଦରଙ୍କ ପାଟିରୁ ସେଇ ତିନୋଟି ସ୍ୱର ବର୍ଣ୍ଣର ସମୁଚ୍ଚାରଣ ହେବା ସଙ୍ଗେ ସଙ୍ଗେ ଅଞ୍ଜନା କ’ଣ ଯେ କହିବାକୁ ଯାଉଥିଲେ, କହି ପାରିଲେ ନାହିଁ ! ସେ ସେଇଠି ଦଣ୍ଡାୟମାନ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ିଗଲେ ।

 

ତାହା ଦେଖି ବାପା ଖୁବ୍ ଜୋରରେ ହସର ଛଟା ମୁହଁରେ ଖେଳାଇ ମନ୍ତବ୍ୟ ପ୍ରକାଶ କରି କହିଥିଲେ, ଦେଖିଲେ ଭଗବାନଙ୍କ ଇଚ୍ଛା କେଡ଼େ ସୁନ୍ଦର । ସେ ଚାହୁଁଥିଲେ ବୋଧହୁଏ ମୋ ପରି ଜଣେ ପାଗଳ ଅସହାୟକୁ ସଶକ୍ତି ପ୍ରମାଣ ଜରିଆରେ ମୁକ୍ତି ଦେବାକୁ ।

 

ତାହାହିଁ ମୁଁ ଚାହୁଁଥିଲି !

 

ମୋ ପୁରୁଷାକାରକୁ ସୃଷ୍ଟିକର୍ତ୍ତା ଯେବେ ଏଇ ମୁହୂର୍ତ୍ତରେ ମୋଠାରୁ କାଢ଼ି ନିଅନ୍ତେ ତା’ହେଲେ ମୁଁ ନିଜକୁ ନିଜେ ଏଇଭଳି ଜଣେ ରହସ୍ୟମୟୀ ନାରୀ ରୂପେ ଅକ୍ଳେଶରେ ତିଆରି କରି ପାରନ୍ତି ।

 

ହିଃ...ହିଃ....ହିଃ.....

 

ପାଗଳ ମୁଁ.... ନା ଏ ଦୁନିଆ ?

 

ଏତକ କହି ବାପା ଫେରି ଯାଉଥିବା ବେଳେ ଗୌରସୁନ୍ଦର ତାଙ୍କ ଚଲାପଥ ଆଡ଼କୁ ଚାହିଁ ଆଖିରୁ ଲୁହ ନିଗାଡ଼ିବାକୁ ଚେଷ୍ଟା କରୁଥିଲେ ।

 

ତା’ପରେ ଅଞ୍ଜନାଙ୍କ ମୁହଁରେ ଶୀତଳ ଜଳ ସିଞ୍ଚି ତାଙ୍କୁ ଚେତନା ସ୍ତରକୁ ଆଣିଲା ବେଳେ ଆପଣା ଅନ୍ତରରେ ଥିବା ଗୋପନ ମନକୁ ସେ ଇଙ୍ଗିତ କରୁଥିଲେ, ସତେ, ସେଭଳି ଲୋକ ତ ପାଗଳ ହୋଇପାରେ ନା । ମିଛରେ ତାକୁ ଆତ୍ମବିସ୍ମୃତ ବୋଲି ଆକ୍ଷେପ କରାଯାଉଛି ସିନା ।

 

ସେ ଯେ ସତ୍ୟ, ନିରାଟ ସତ୍ୟ । ପାଗଳର ପ୍ରଳାପ କେବେ ଅନ୍ୟଥା ହେବ ନାହିଁ ।

 

ସେତିକିବେଳକୁ ଅଞ୍ଜନା ଆଖି ଖୋଲି ଆସୁଥିଲେ ଆସ୍ତେ ଆସ୍ତେ ।

 

କାନ୍ତାର ପ୍ରଣୟୋକ୍ତି

।। ୬ ।।

 

ପ୍ରେମ ?

 

ଯାହାର ଗଭୀରତାକୁ କେହି ଏ ପର୍ଯ୍ୟନ୍ତ ମାପିପାରି ନାହାନ୍ତି ତାକୁ ହିଁ ଆପଣ ଧରିବାକୁ ପାଗଳ ହୋଇ ପଡ଼ୁଛନ୍ତି ? ବଡ଼ ଦୁଃସାହସିକ ଲୋକ ଆପଣ ? କାନ୍ତା ମୁହଁରୁ ଏତକ ଶୁଣି ମୁରୁକିହସା ଦେଇଥିଲା ସୁରେଶ ।

 

କାନ୍ତା ଜାଣିବାକୁ ପାଇଛି ଯେ ତା’ସ୍ୱାମୀ ବିନୋଦ ଭଲ ପାଉଥିଲା ତା’ ମାମୀକୁ । କିନ୍ତୁ ସେ ଭଲ ପାଇବା ଯେ କେଉଁ ଧରଣର ତାହା ସେ ମୋଟେ ଜାଣିବାକୁ ପାଇ ନାହିଁ । ଯେତେବେଳେ ବିନୋଦକୁ ଅନ୍ଧାର ଘରେ ପାଖରେ ଶୋଇଥିବା ବେଳେ ଚୁମୁଟିଛି ଯେ ସତ କୁହ ମାମୀକୁ କାହିଁକି ତୁମେ ଏତେ ଭଲ ପାଉଥିଲ; ତାହା ସେ ମୋଟେ କହି ନାହିଁ । ବରଂ ଯୁକ୍ତି କରିଛି ଯେ ମାମୀ ଓ ତା’ ବୟସର ସୀମା ପରିସୀମାରେ କେତେ ଦୂରତା ତାହା ଭାବି ଦେଖିବା ଉଚିତ ।

 

କାନ୍ତା ଅବିଶ୍ୱାସ କରିବାର ଖିଅ ଖୋଜି ପାଇ ନାହିଁ ବିନୋଦ ପାଖରେ । ବିନୋଦ ଦେହରେ ରାଶି ରାଶି ଯୌବନକୁ ଆପଣା ଅଙ୍ଗରେ ପ୍ରକ୍ଷାଳନ କରି ସେ ଭାବିଛି ପ୍ରେମ ଅପେକ୍ଷା ମିଥୁନ ବିଳାସ ଯଥେଷ୍ଟ ସୁଖପ୍ରଦ । ସେତିକ ଉପଲବ୍ଧି କରି ହିଁ ସେ ସ୍ୱର୍ଗର ଚରମ ଆନନ୍ଦ ଲାଭ କରୁଛି । ପ୍ରେମ କାହିଁକି ବା ଦରକାର ହେବ ।

 

ସୁରେଶ କହୁଛି ଭଲ ପାଇବା କୁଆଡ଼େ ପ୍ରେମ । ଯୁବକ ଯୁବତୀ ଗୋପନରେ ଭାବ ଲଗେଇ ବସିଲେ ତାହାହିଁ ସାର୍ଥକ ହୋଇଥାଏ ।

 

ଏଇ କଥା ଉପରେ ସେଦିନ ସୁରେଶ କାନ୍ତାକୁ କହିଲା, ଜାଣିଲ ଭାଉଜ, ଏଣିକି ମୁଁ ତମ ଘରକୁ ଆସିବାକୁ ଭୟ କରୁଛି । କାରଣ ବିନୋଦ ସହ ମୋର ବନ୍ଧୁତା ଅଲଗା କଥା । ସେଥିପ୍ରତି କାହାର ସନ୍ଦେହ, ଅବିଶ୍ୱାସର ପ୍ରଶ୍ନ ଉଠୁ ନ ଥିଲା । କିନ୍ତୁ ତୁମ ଆସିବା ପରେ ଏ ଘରକୁ ପଦକ୍ଷେପ ନେବାରେ ମୋତେ ଯେମିତି କେହି ପଛକୁ ଟାଣି ଟାଣି ନେଇ ଯାଉଛି । ମୁଁ ଅନୁଭବ କରୁଛି ମୋ ଜୀବନର ବେପରୁଆ ଇଲାଷ୍ଟିକ୍‌ ତାରକୁ ଆଉ ଯେତେ ଟାଣିଲେ ତାହା ଆଉ ସଂପ୍ରସାରିତ ହେବ ନାହିଁ ।

 

କାନ୍ତା କହିଲା, ଓ ଆପଣ ଏଇ ପ୍ରେମ କଥାକୁ ଡରୁଛନ୍ତି ! କିନ୍ତୁ ମୁଁ କାହିଁ କେଜାଣି ଭାରି ଫ୍ରି ହୋଇ ଯାଉଛି । ଭାବୁଛି ପ୍ରେମ ନ ଥିଲେ ଦୁନିଆଟା ନିଶ୍ଚିନ୍ତ ଭାବେ ଅଚଳ ହୋଇ ପଡ଼ୁଥାନ୍ତା । ମୋ ପାଇଁ ପ୍ରେମ କିଛି ହେଲା ନାହିଁ ବୋଲି ମୁଁ ଆପଣଙ୍କ ନିକଟରେ ମନକୁ ସଫେଇ ଦେବାକୁ ବସିଛି ସିନା !

 

କାରଣ ଆପଣ ଜାଣୁଛନ୍ତି ଯେ ମୋ ବୟସ ଖୁବ୍‌ ଅଳ୍ପ । ମାତ୍ର ତେର । ଏହି ବୟସରେ ଝିଅମାନେ ଯେଉଁଠି ଫ୍ରକ୍‌ ପ୍ୟାଣ୍ଟ ପିନ୍ଧି ଖେଳ ଖେଳୁଛନ୍ତି, ମୁଁ ସେଠି ସ୍ତ୍ରୀ ସାଜି ଆସିଲି । ଶରୀର ଭେଦରେ ଯେ ଏତେ ରୋମାନସ୍‌ ଥାଏ, ତାହା ମୋତେ ଆଦୌ ଜଣା ନ ଥିଲା । ଆପଣଙ୍କ ବନ୍ଧୁ ଅର୍ଥାତ୍‌ ମୋର ସ୍ୱାମୀ ବିନୋଦ ବାବୁ ହେଲେ ମୋ ଜୀବନର ପ୍ରଥମ ଜ୍ଞାନଦାତା ।

 

ମଧୁରାତିର ପ୍ରଥମ ସାକ୍ଷାତରେ ସେ ମୋ ଦେହରେ ଅଳସ ଭାଙ୍ଗିବା ବାହାନାରେ ସମସ୍ତ ପ୍ରଳୟ ସୃଷ୍ଟି କରି ବସିଲେ । ମୁଁ କହିଲି ସେ ସବୁ କ’ଣ ହେଉଛି ନ କହିଲେ ଏ କକ୍ଷ ତ୍ୟାଗ କରି ମୁଁ ଚାଲିଯିବି । ସେ କିଛି ନ କହି ଖାଲି ମୁରୁକି ହସା ଦେଇ ହସିଲେ । ଆଉ ମୋତେ ନୀରବ ରହିବାର ନିର୍ଦ୍ଦେଶ ଦେଇ କହିଲେ, ତୁ ଏକଲୟରେ ସବୁ ଅନୁଭବ କରି ଯା । ଆଉ ଦେଖି ଯା । ଆଖି ଖୋଲିଗଲାଠାରୁ ବଳେ ଶିଖି ଯୋଗ ବିୟୋଗ କରି ପାରିବୁ ?

 

ମନେପଡ଼ିଗଲା ମୋର ବର୍ଷକ ତଳର କଥା । ସେତେବେଳେ ମୁଁ ହୋଇଥାଏ କିଶୋରୀ-। ଯୌବନ ଛୁଇଁବାର ଉତ୍ତେଜନା କିମ୍ୱା ପରଶ ମୋତେ କିଛି ବଶୀଭୂତ କରି ପାରୁ ନ ଥାଏ-। ମୋର ଭେଟ ହେଲା କାମକୂଳ ବାବୁଙ୍କ ଝିଅ ଇରା ସହିତ । ଇରାକୁ ବୟସ ହୋଇଥିଲା ଊଣେଇଶ୍‌-। ସେ ପର୍ଯ୍ୟନ୍ତ ସେ ବିବାହ କରି ନ ଥିଲା । ପଢ଼ୁଥିଲା କଲେଜରେ ।

 

ପଡ଼ୋଶୀ ହିସାବରେ ଇରା ମୋର ସାଥୀ ହୋଇଗଲା । ବାପା ମଧ୍ୟ ତା’ ସାଥିତ୍ୱକୁ ପ୍ରଶ୍ରୟ ଦେଉଥିଲେ । କାରଣ ସେତେବେଳକୁ ମୁଁ ମାତୃହରା ହୋଇ ସାରିଥିଲି ବୋଲି ବାପା ମୋତେ ସୁଖୀ କରିବାକୁ ସେଇ ଉଦ୍ଦେଶ୍ୟ ରଖୁଥିଲେ । ଯେ କୌଣସି ନାରୀ ମୋତେ ସ୍ନେହ, ଶ୍ରଦ୍ଧା କରି ବସିଲେ ଖୁସି ହୋଇ ଯାଉଥିଲେ ବାପା ।

 

ତେଣୁ ଇରାର ଗତି ମୋ ଚଲା ପଥରେ ମିଶିବାକୁ ଲାଗିଲା । ବେଳ ଏମିତି ଆସିଲା ଯେ ଇରା ଓ ମୁଁ ଉଭୟ ଏକ ସଙ୍ଗରେ ବୁଲିବାଠାରୁ ଆରମ୍ଭ କରି ଖାଇବା, ପିଇବା, ଶୋଇବା ବସିବାରେ ମଧ୍ୟ କୌଣସି ପାର୍ଥକ୍ୟ ରଖି ଚାଲିଲୁ ନାହିଁ ।

 

ତେବେ ତଫାତ୍‌ ଥିଲା ବୟସର ସୀମାରେଖା ମଧ୍ୟରେ । ଇରା ଯୌବନର ଊର୍ମିରେ ଲହଡ଼ି ଭାଙ୍ଗୁଥିଲା ବେଳେ ମୁଁ ଥିଲି ଠିକ୍‌ ଯୌବନର ନିମ୍ନ ଧାରରେ । କୈଶୋରର ସ୍ଥିରତା ମୋତେ ଚହଲେଇବା ସ୍ତରକୁ ଆସି ନ ଥିଲା । ତେବେ ଇରା ମୋତେ କେତେକ ସମୟରେ ବିସ୍ମିତ କରି ଦେଉଥିଲା । କହୁଥିଲା, ରାଜକୁମାରୀକୁ ପାଇବାକୁ ରାଜକୁମାର କେତେ କଷ୍ଟ ନ ସହିଲେ କହନି ?

ମୁଁ କୌତୁହଳୀ ହୋଇ ଉଠୁଥିଲି ଇରା ମୁହଁରୁ କାହାଣୀ ଶୁଣି । ରାଜକୁମାରୀ ନିଶ୍ଚିତ ଭାବେ ସୁନ୍ଦରୀ । ତାଙ୍କୁ ବିବାହ କରିବାକୁ ଦୁନିଆରେ ଏଡ଼େ ବଡ଼ ଧନୀ ଆଉ କିଏ ଅଛି ? ହେଲେ ତାଙ୍କଠାରୁ ସୁନ୍ଦରୀ କ’ଣ ଆଉ କେହି ନାହାନ୍ତି ଏ ଦୁନିଆରେ ?

ଇରା କହୁଥିଲା, ହୁଣ୍ଡୀଟା ତୁ । ବଡ଼ ହେଲେ ବଳେ ବୁଝି ଯିବୁ ଯେ ।

ମୁଁ ଚୁପ୍‌ ହୋଇ ଯାଉଥିଲି । ଇରା ଗପୁ ଥିଲା । ସୁନ୍ଦର ସୁନ୍ଦର କାହାଣୀ କହିବାକୁ ସେ ଖୁବ୍‌ ଭଲ ପାଏ । ହେଲେ ତା’ ମନ କ’ଣ କମ୍‌ ରସିକତାରେ ପୂରି ଉଠୁଥିଲା କି ? ମୋତେ କହିବ କାନ୍ତୁ ଲୋ, ଟିକେ ମୋ ପିଠିକି ତୋ ଆଙ୍ଗୁଠିରେ ସଲ ସଲ କଲୁ ?

ମୁଁ ତା’ର ଆଦେଶ ମାନିବାକୁ ବାଧ୍ୟ ହୁଏ । ସେ ବଡ଼ । ତେଣୁ ଛୋଟ ହିସାବରେ ମୁଁ ତାକୁ ଅବଜ୍ଞା କରି ବସୁଥାନ୍ତି କେତେକେ । ଅନ୍ଧାର କକ୍ଷରେ ତା’ ପିଠି, କାଖରେ ମୁଁ ସଲସଲ କରୁଥିଲି । ତାକୁ ଭାରି ଭଲ ଲାଗୁଥିଲା । ଯୌବନର ପରିକ୍ରମାରେ ବୟସର ଉଦ୍ଦୀପନା ଶକ୍ତି ବଢ଼ିଥାଏ । ଇରାକୁ ବୟସର ଆଳସ୍ୟରେ ତନ୍ଦ୍ରା ଲାଗି ଆସୁଥିଲା । ସେ ମୋ ହାତର ପରଶ ଉପଲବ୍ଧି କରି କହୁଥିଲା, ଏମିତି ସେ ଆସିବେ । ଅନ୍ଧାରର କ୍ରମ ଭଗ୍ନ କରି ସେ ମୋ ପାଖକୁ ଲାଗି ଆସି କହିବେ ଇରା ଭଲ ପାଇବାର ସ୍ୱତନ୍ତ୍ର ସୁଯୋଗ ଏହାଠାରୁ ବଳି ଦୁନିଆରେ ଆଉ କିଛି ନାହିଁ । ମୋତେ ତୁମେ ସ୍ୱୀକାର କରିବି ନା ?

ଇରା କଥାକୁ ମୁଁ ସେଦିନ କେମିତି କେମିତି ବୁଝୁଥିଲି । ବେଳେ ବେଳେ ବିରକ୍ତି ପାଇ କହୁଥିଲି, ତୁଟା କେତେ ବକବକୀ କିଲୋ । ସବୁବେଳେ ଖାଲି ସେଇକଥା କହି ହେଉଛୁ ସିଏ ଆସିବେ, ଭଲ ପାଇବେ, ପ୍ରେମ କରିବେ । କାଇଁ ସଫା କହୁନୁ ତୋର ଇଚ୍ଛା କ’ଣ । ସେଥିରେ କେହି କ’ଣ ବାଡ଼ବତା ଦେଉଛି ?

 

ଇରା ଶୁଣି ହସିଦିଏ । କହେ, କାଲି ସକାଳେ ତୋ ଦିହରେ ପକ୍ଷୀ ଲାଗିଲେ କେତେ ଘୂରି ବୁଲିବୁ ଗଗନ, ପବନ । ସେତେବେଳେ ମୁଁ ଦେଖି କହିବି ନାହିଁ କି ? ମୋତେ ତୁ ସଲସଲ କରୁଥା, କୁତୁକୁତୁ କରୁଥା ।

ତୋ ପୁରସ୍କାର ତୁ ଆପେ ଆପେ ପାଇଯିବୁ ଯେ, ଅନ୍ଧାର ଘରେ ଯେଉଁ ଗାଢ଼ ଅନ୍ଧାରର ପରଶ ମିଳିବ, ସେଇ ତୋ କାମନାରେ କେତେ ସୌଭାଗ୍ୟର ଜ୍ୟୋତି ଖେଳାଇ ବସିବ । ତୋ’ ଆଗାମୀ ଯୌବନର ଧୂସର ଅପରାହ୍ନରେ କେତେ ନଷ୍ଟ ସୂର୍ଯ୍ୟଙ୍କର ଅସ୍ତାଚଳକୁ ନିମନ୍ତ୍ରଣ କରି ଥୋଇ ଦେବ । ବ୍ୟସ୍ତ କାହିଁକି ହେଉଛୁ, ଟିକେ ଥୟ ଧରି ରହି ଯା ।

ଇରା କଥା ମୋତେ ଭାରୀ ଗୋଳମାଳିଆରେ ପକାଏ । ସେ ଆଡ଼େ କହୁଛି ଗୋଟିଏ କଥା, ସାଡ଼େ କରୁଛି ଅନ୍ୟ ଗୋଟିଏ କଥା । ମୋତେ କୋଳେଇ କରି ଖଟରେ ଶୋଇଥିଲା ବେଳେ ତା’ର ଯେଉଁ ଖୁଜୁବୁଜୁ ଢଙ୍ଗ ! ଏବେ ମନେ ପଡ଼ିଗଲେ ଭାରି ହସ ମାଡ଼େ ।

ଇରା ଯେଉଁଭଳି ଯୌବନର ଆଇନ୍‌ କାନୁନ୍‌ ଭାଙ୍ଗି ବସୁଥିଲା ମୋରି ଦେହ ସାଥିରେ ବାସ୍ତବିକ୍‌ ତାହା ଅବୈଧାନିକ । କାରଣ ମୋ ଦେହରେ ତ ଯୌବନର କୋର୍ଡ଼ ତିଆରି ସରି ନ ଥିଲା, ତେଣୁ ସେ ପ୍ରଶ୍ନ ଉଠୁଥିଲା କେଉଁଠୁ ?

ତେଣୁ ଇରା ହାତର ଦୁଷ୍ଟାମି ଏତେ ମୋତେ ଖରାପ ଲାଗୁଥିଲା ଯେ, ତାହା ଭାଷାରେ କହି ହେବ ନାହିଁ । ମୋ ଦେହରେ ତା’ ପାପୁଲିକୁ ସାଉଁଳେଇ ଆଣିବା ବେଳେ ମୋତେ ଉଲ୍ଲାସ ଜଣାଯାଉ ନ ଥିଲା । କିନ୍ତୁ ସେ ମନକୁ ମନ କହି ଯାଉଥିଲା, ଠିକ୍‌ ଖରାଦିନର ନଈ ପରି ଲୋ କାନ୍ତା । କିଶୋର ଅବସ୍ଥାରେ ସେମିତି ଦେହଟା ଥାଏ । ଜଳ ତରଙ୍ଗ ଲାଗିଲେ ନଈ ଯେମିତି ଚିକ୍‌ ଚିକ୍‌ କରେ ଯୌବନ ଲାଗିଲେ ବୟସର ଶରୀରଟା ସେମିତି ଚିକ୍‌ ଚିକ୍‌ କରିବାକୁ ଲାଗେ ।

 

ଇରା ଜୀବନ ବସନ୍ତରେ କିଛି ଦୁର୍ଘଟଣା ଘଟି ନ ଥିଲା ସତ, ମାତ୍ର ମନର ପକ୍ଷୀରାଜ ଘୋଡ଼ାରେ ଚଢ଼ି ସେ କାହିଁ କେତେଦୂର ଉଡ଼ି ବୁଲୁଥିଲା । ସେ ମତୁଆଲା ହୋଇ ଉଠୁଥିଲା । ଆଉ ଚାହୁଁଥିଲା ପ୍ରେମିକଟିଏ । ମୋର ବୟସ ଯେତେବେଳେ ବାର ବର୍ଷ, ମୁଁ ଶୁଣିଲି ଏଇ ପ୍ରେମିକ କଥା-

 

ଇରା କହୁଥିଲା, ତୁ ମୋଟେ ବୁଝି ପାରିବୁ ନାହିଁ ଲୋ କାନ୍ତା । ସ୍ୱାମୀ ଅପେକ୍ଷା ପ୍ରେମିକ କେଡ଼େ ସୁନ୍ଦର । ଯେଉଁ ଝିଅମାନେ ପ୍ରେମ କରି ଜାଣି ନାହାନ୍ତି, ସେମାନେ ବିବାହ କଲା ପରେ ଖାଲି ସ୍ୱାମୀମାନଙ୍କୁ ବଡ଼ କରି ଥୋଇଥାନ୍ତି । କିନ୍ତୁ ଯେଉଁମାନେ ଥରେ ଅଧେ ଗୋପନରେ ପ୍ରେମର ମଧୁ ଚୁପ୍‌ ଚୁପ୍‌ କରି ଚାଖିଥାନ୍ତି, ସେମାନେ ଚିରଦିନ ଯାଏ ତା’ର ମଜା ଭୁଲି ପାରନ୍ତି ନାହିଁ ।

 

ପ୍ରେମିକ ପାଖରେ ଅନୂଢ଼ା ବାଳିକାର ଯେଉଁ ହସ, ତା’ପାଇଁ ଯେଉଁ ଗୋପନ ଅଭିସାର, ତା’ ଉଦ୍ଦେଶ୍ୟରେ ଯେଉଁ ଇଶାରା, ସେ ସବୁ ମର୍ମେ ମର୍ମେ ଶିରା ପ୍ରଶିରା ମଧ୍ୟକୁ ଭେଦ କରି ଯାଇଥାଏ । ଇରା କହିଲା, ଜାଣିଲୁ ଲୋ କାନ୍ତା ଦିନେ ଦିନେ ମୁଁ ଏମିତି ସ୍ୱପ୍ନ ଦେଖେ, ଇଚ୍ଛା ହୁଏ ଘର ଦ୍ୱାର, ବାପ ମାଙ୍କୁ ଛାଡ଼ି ପଳେଇ ଯିବାକୁ । ତାଙ୍କରି ପାଖକୁ । ସେ କିଏ ଜାଣୁ ?

 

ପ୍ରେମିକ ।

 

ଅବଶ୍ୟ ଇରା କୌଣସି ଝିଅକୁ ପ୍ରେମ କରୁ ନ ଥିଲା । କିନ୍ତୁ ମନେ ମନେ କଳ୍ପନା କରୁଥିଲା । କହୁଥିଲା ଅମୁକ ସମୁକ ଯୁବକ ମୋର ପ୍ରେମିକ ହୋଇ ଯାଆନ୍ତେ କି, ମୁଁ ଖୁସିରେ ତାଙ୍କ ଦେହରେ ଲୋଟି ପଡ଼ନ୍ତି ।

 

ମୁଁ ଖାଲି ଶୁଣି ଶୁଣି ଇରା କଥାରେ ବିସ୍ମିତ ହୋଇ ପଡ଼ୁଥିଲି । ଭାବୁଥିଲି ପ୍ରେମ ଆଉ ଯୌବନ କେବଳ କ’ଣ ବଡ଼ ବଡ଼ ଝିଅ ପୁଅଙ୍କର ଇଚ୍ଛାଧୀନ ? ମନର କୌତୂହଳ ସମ୍ଭାଳି ନ ପାରି ତାହାହିଁ ପଚାରିବାରୁ ଇରା ମୋତେ ଗୋଟି ଗୋଟି କରି ବୁଝାଇ ଦେଇଥିଲା । ସେଥିରୁ କେତେକ ମୋ ଜ୍ଞାନ ଧରିପାରୁ ଥିଲେ ହେଁ, ଆଉ କେତେକ ସେମିତି ଅସ୍ପଷ୍ଟ ରହି ଯାଉଥିଲା ।

 

ମୋ ଦେହରେ ଯୌବନ ଛୁଇଁବାକୁ ଯେତିକି ଦିନ ନିକଟ ହୋଇ ଆସୁଥାଏ, ମୁଁ ସେତିକି ମାଡ଼ି ଚାଲିବାକୁ ଇଚ୍ଛା କରୁଥାଏ ସମୟର ରାସ୍ତା ଉପରେ । ଇରା ପାଖରେ ଶୋଇବାକୁ ମୋତେ ଭାରି ଭଲ ଲାଗେ । ତାକୁ କହେ ବେଶି ବେଶି ପ୍ରେମ କାହାଣୀ ଶୁଣେଇବାକୁ ।

 

ସେ ଗପି ଚାଲେ । କେଉଁଠି ଟିକେ ଅଟକି ନ ଯାଇ ଅନର୍ଗଳ ମୋ ଆଗରେ ତା’ ଆଖି ଦେଖା ଟୋକାଙ୍କ ସମ୍ବନ୍ଧରେ ଗପେ । କେଉଁ ଟୋକାର ନିଶ ଛୋଟ, କାହାର ମୁହଁ ଗୋଲ, କାହାର ବଳିଲା ବଳିଲା ବାହା, କିଏ ଡେଙ୍ଗା, କିଏ ଗେଡ଼ା, ସେ ସବୁ ବ୍ୟାଖ୍ୟା କଲାବେଳେ ମୋ ଦେହ ଉଲୁସି ଉଠେ ।

 

ଇରା ମୋ ଦେହରେ ହାତ ମାରି କୁହେ ଯୌବନ ପ୍ରବେଶ କରିବାର ଉପକ୍ରମ ଏଇଆ-। ମନକୁ କ’ଣ ସେତେବେଳେ କେହି ଥୟ କରି ପାରିବେ କି ?

 

ମୁଁ କହିଲି ଇରା ଅପା, ଯୌବନ ଦେହରେ ଲାଗିଲେ ଯଦି ବାହାଘର ସମ୍ବନ୍ଧର ଯୋଗାଡ଼ ଚାଲେ, ତେବେ ତୋ ବାହାଘର ପାଇଁ କାଇଁକି କିଛି ସ୍ୱର, ଶବ୍ଦ ଶୁଭୁ ନାହିଁ ?

 

ତାହା ଶୁଣି ସେ ମୁହଁ ଶୁଖେଇ ଦେଇ ବସେ । ସେ କଲେଜରେ ପଢ଼ୁଛି ବୋଲି ତା’ ବାପ ମା ସେଇ ପ୍ରଶ୍ନ ମୋଟେ ଉଠାଉ ନାହାନ୍ତି ସିନା, ହେଲେ ତା’ର ସେଇ ବିଳମ୍ବ ଦୃଷ୍ଟିରୁ ଇଚ୍ଛା ହେଉଥିଲା କେଉଁ ଜଣେ ଯୁବକକୁ ହେଲେ ସେ ଭଲ ପାଇ ବସିବ । ତା’ ଆଖି ଆଗରେ ଅନେକ ସୁନ୍ଦର ପୁରୁଷ ନାଚି ଉଠୁଥିଲେ । ଭଲ ପାଇବାରେ ତ କିଛି ବାଡ଼ବତା ନାହିଁ । ତେଣୁ ସେ ଲାଗି ଆସିଲା ଜଣେ ସୁଠାମ ସୁନ୍ଦର ଯୁବକଙ୍କ ସହ । ସେ ଆମ ଦେଶରେ ଜନ୍ମ ଗ୍ରହଣ କରିଥିଲେ ଓ ଖ୍ରୀଷ୍ଟିଆନ୍‌ ଧର୍ମରେ ଦୀକ୍ଷିତ ହୋଇ ସାରିଥିଲେ ।

 

ତାଙ୍କ ନାଁ ମନୋଜ୍‌ । ଇରା ଭଲ ପାଇ ବସିଲା ସେଇ ମନୋଜ ଡେଭିଡ୍‌ଙ୍କୁ । ଅନ୍ଧକାରର ନିଃସଙ୍ଗ କକ୍ଷରେ ପ୍ରଣୟର ପଶାପାଲି ଗଡ଼େଇ ଦେଲା ତାଙ୍କରି ଶରୀରରେ । ଦିନୁ ଦିନ ତାଙ୍କ ପ୍ରଣୟର ବୟସ ମଧ୍ୟ ବଢ଼ିବାକୁ ଲାଗିଲା ଓ ତାହା ଇରାର ବାପ ମାଆଙ୍କ କର୍ଣ୍ଣଗୋଚର ହେଲା ।

 

ପରସ୍ପରରେ ଯେମିତି ସମସ୍ତେ ଜାଣିବାକୁ ପାଇଲେ ଯେ ଇରା ଜୀବନରେ ଚରିତ୍ରର ସ୍ୱାସ୍ଥ୍ୟ ଭଙ୍ଗ ହେଲା ଜଣେ ଦୁଶ୍ଚରିତ୍ର ମଦ୍ୟପୀ ଯୁବକ ସହ, ତା’ର ବାପ ମା ଚେଷ୍ଟା କଲେ ତାକୁ ଶୀଘ୍ର ଅନ୍ୟତ୍ର ବିବାହ ଦେଇ ଦେବାକୁ । ତାହା ଶୁଣି ଇରା ଅଭିଯୋଗ କରିଥିଲା ଯେ ସେ ପଛେ ଆତ୍ମହତ୍ୟା କରିବ, କିନ୍ତୁ ତାଙ୍କ ବ୍ୟତୀତ ଆଉ କାହା ହାତ ଧରିବ ନାହିଁ ।

 

ଇରାକୁ ତା’ ବାପା ମନୋଜ ଡେଭିଡ୍‍ର କାହାଣୀ କହିଲେ ।

 

ମନୋଜ ଡେଭିଡ୍‍ ବୋଉକୁ ଭଲ ପାଇଲେ ।

 

ସେତେବେଳେ ତାଙ୍କୁ ହୋଇଥାଏ ଚବିଶ ବର୍ଷ ବୟସ ।

 

ବୋଉକୁ ମାତ୍ର ପଚିଶ ବର୍ଷ ।

 

ମନୋଜ୍‌ ଡେଭିଡ୍‍ ସେତେବେଳେ ଫିଲିମ୍‌ ଆକ୍ଟର ହେବେ ବୋଲି ନିଜକୁ ପ୍ରତ୍ୟେକ ସ୍ଥଳରେ ଆଡ଼୍‍ଭାଟାଇଜ୍‌ କରି ବୁଲୁଥାନ୍ତି ।

 

ବୋଉ ଦେଖିଲା ତାଙ୍କ ରୂପ, ଯୌବନ । ତାଙ୍କ କୃତ୍ରିମ ଫେସନରେ ଆକୃଷ୍ଟ ହେଇ ସେ ତାଙ୍କୁ ନିମନ୍ତ୍ରଣ କଲା ।

 

ମନୋଜ ଦେଖିଲେ ଜଣେ ପଦସ୍ଥ କର୍ମଚାରୀଙ୍କ ସ୍ତ୍ରୀ ତାଙ୍କ ପାଇଁ ଅଭିସାରଣୀ ହେବାକୁ ବସିଛନ୍ତି । ତେଣୁ ସେ ଅନାୟାସରେ ଆସି ବୋଉର ଆତିଥ୍ୟ ସ୍ୱୀକାର କରିନେଲେ ଓ ଧୀରେ ଧୀରେ ବୋଉର ପ୍ରଣୟସାଗରରେ ବୁଡ଼ି ରହିଲେ ।

 

ତେଣୁ ନିତିଦିନ ମନୋଜର ସ୍ମରଣ-ତୀର୍ଥ ହେଲା ବୋଉ । ଅଞ୍ଜନା ବୋଲି ଥରେ ସେ ଯେଉଁଦିନ ମୁହଁ ନ ଫିଟେଇ କହିଛନ୍ତି, ସେଦିନ ତାଙ୍କ ମନରେ ମୋଟେ ସ୍ଥିରତା ଆସୁ ନ ଥିଲା ।

 

ମନୋଜ ଅଞ୍ଜନାଙ୍କ ପ୍ରଣୟ ପକ୍ଷରେ ଦିନୁଦିନ ଉତ୍ତେଜନାର ଚନ୍ଦ୍ର ବଢ଼ିବାକୁ ଲାଗିଲା । କେହି ତାହା ଜାଣିବାକୁ ପାଇ ନ ଥିଲେ । ଗୋପନରେ ତାଙ୍କ ରାହାସ ଚାଲୁଥିଲା । କିନ୍ତୁ ସମୟ ଆସିଲା ଯେତେବେଳେ ସେ ଅଞ୍ଜନାଙ୍କୁ କହିଲେ ଯେ ସ୍ୱାମୀ ଗୌରସୁନ୍ଦରଙ୍କୁ ହତ୍ୟା କରି ସବୁଦିନ ପାଇଁ ତାଙ୍କ ପାଖକୁ ଚାଲିଯିବାକୁ, ସେତେବେଳେ ଅଞ୍ଜନା ଶିଥିଳ ହୋଇ ପଡ଼ିଲେ ।

 

ସ୍ୱାମୀଙ୍କୁ ସେ ହତ୍ୟା କରିବେ ? କାହିଁକି ? ସାମାନ୍ୟ ପରପୁରୁଷର ପ୍ରଲୋଭନରେ ସେ ତାହା କେବେହେଲେ କରି ପାରିବେ ନାହିଁ ! ମନୋଜ ଲୋଭ ଦେଖାଇଥିଲେ ଯେ ସେ ଯଦି ଫିଲିମରେ ହିରୋ ହୁଅନ୍ତି, ତେବେ ଅଞ୍ଜନାଙ୍କୁ ନିଶ୍ଚୟ ହିରୋଇନ୍‌ କରିବେ ।

 

ଅଞ୍ଜନା ସେଇ ଲୋଭରେ ପ୍ରଲୋଭିତା ହୋଇ ପଡ଼ିଥିଲେ, ମାତ୍ର ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ନାରାଜ ହୋଇଥିଲେ । ଫଳରେ ହିଂସା ମନୋବୃତ୍ତିରେ ମନୋଜ ଅଞ୍ଜନାଙ୍କ ସମ୍ବନ୍ଧୀୟ ଚରିତ୍ର ସ୍ଖଳନର କଥା ପରିପ୍ରକାଶ କରି ଦେଇଥିଲେ ।

 

ତହୁଁ ଗୌରସୁନ୍ଦର କ୍ରୋଧାଗ୍ନିରେ ଜଳି ଉଠନ୍ତେ ଅଞ୍ଜନା ଅନୁତାପରେ କ୍ଷମା ଚାହିଁଥିଲେ-। ଗୌରସୁନ୍ଦର ଦେଖିଲେ ସେ ଯଦି ଅଞ୍ଜନାଙ୍କୁ କ୍ଷମା ନ ଦେଉଛନ୍ତି, ତେବେ ଘଟଣା ବହୁ ଜଟିଳ ଆକାର ଧାରଣ କରିବ ଓ ତାହା ତାଙ୍କ ସମ୍ମାନ ପ୍ରତି ଅନେକ ଆଞ୍ଚ ଆଣିବ ।

ପୃଥିବୀ ଘୂରୁଛି । ତେଣୁ ମଣିଷ ଘୂରିବାକୁ ବାଧ୍ୟ । ସେଇ ନୀତିରେ ଅନୁସୃତ ମଣିଷ ପରିସ୍ଥିତିରେ ପଡ଼ି ସବୁ କରିପାରେ । ଗୌରସୁନ୍ଦର ଚାହିଁଲେ ଯେ ଅଞ୍ଜନାଙ୍କୁ ନେଇ ସେଠାରୁ ଯେ କୌଣସି ସ୍ଥାନକୁ ବଦଳି ହୋଇ ଯିବା ପାଇଁ ।

ଫଳରେ ତାହାହିଁ ହେଲା । ସେ ବଦଳି ହୋଇଗଲେ ଅନ୍ୟ ଏକ ସହରକୁ । ଅଞ୍ଜନାଙ୍କ କଳଙ୍କର କାହାଣୀ ଅତୀତର ପୃଷ୍ଠାରେ ଅବରୁଦ୍ଧ ହୋଇଗଲା ।

କିନ୍ତୁ ସେଇ ସହରର କର୍ମମୟ ଜୀବନ ଫର୍ଦ୍ଦରେ କାହାଣୀର ପୃଷ୍ଠା ଅଙ୍କନ କରୁ କରୁ, ଯେଉଁ ଦିନଠାରୁ ଅଞ୍ଜନାଙ୍କ ଶେଷ ନିଶ୍ୱାସ ବାୟୁମଣ୍ଡଳର ଅଭିଶପ୍ତ ଅନ୍ଧକାର ମଧ୍ୟରେ ମିଳାଇ ଗଲା, ସେ ଦିନ ଗୌରସୁନ୍ଦର ମର୍ମାହତ ହୋଇ ପଡ଼ିଲେ ।

ତାଙ୍କୁ ବହୁ ଶୁଭେଚ୍ଛୁ ବନ୍ଧୁ ଉପେଦଶ ଦେଇଥିଲେ ଯେ ସେ ପୁନର୍ବାର ବିବାହ କରନ୍ତୁ । ହେଲେ ସେ ଇଚ୍ଛା ପ୍ରକାଶ କଲେ ନାହିଁ । ଏଇ କାନ୍ତାକୁ ଚାହିଁ ସେ ତାଙ୍କ ଜୀବନ ସାଙ୍ଗ କରିବେ ବୋଲି ସ୍ଥିର କରି ନେଲେ ।

ପରେ ପରେ ତାଙ୍କ ଜୀବନର ଦୁର୍ଦ୍ଦିନ ସାୟାହ୍ନରେ ଇରାର ପରିବାର ଦେଖା ଦେଲେ । ଇରାକୁ ସେମାନେ ମୋ ସହିତ ମିଳାମିଶା କରିବା ସଙ୍ଗେ ସଙ୍ଗେ ବାପାଙ୍କ ମନକୁ ମଧ୍ୟ ପରିବର୍ତ୍ତନ ଲାଗି ପ୍ରବର୍ତ୍ତାଇ ଥିଲେ ।

ଇରା ହେଲା ମୋର ଆଉ ବାପାଙ୍କ ଜୀବନର ସାମୟିକୀ । ମୋ କିଶୋର ଜୀବନତକ ତା’ ସାଙ୍ଗରେ ଶୋଇ, ହସି କଟି ଯାଇଛି । କିନ୍ତୁ ଯେଉଁଦିନଠାରୁ ସେ ହେଲା ମନୋଜ ଡେଭିଡ୍‍ଙ୍କର ଗୋପନ ପ୍ରଣୟିନୀ, ସେଇ ଦିନଠୁଁ ସେ ହରାଇ ବସିଲା ବାପାଙ୍କ ଶୁଭେଚ୍ଛା ।

 

ବାପା ମୋତେ କଡ଼ା ନଜରରେ ତା’ଠାରୁ ବିଚ୍ଛିନ୍ନ କରି ରଖିଲେ । ବାପା କହିଲେ, ବୁଝିଲୁ କାନ୍ତା, ମନୋଜ ଡେଭିଡ୍‍ ଅସଲ ଯାଦୁକର, ଥରେ ଯିଏ ତା’ ନଜରରେ ଆସିବ, ସେ ତାକୁ ସବୁଦିନ ପାଇଁ କିମିଆ ନ କରି ଛାଡ଼ିବ ନାହିଁ ।

 

କେବଳ ଆମ ଦୁଆର ମୁହଁ କାହିଁକି ତା’ ନିଜ ଘର ମଧ୍ୟ ସବୁଦିନ ପାଇଁ ଇରାକୁ ବନ୍ଦ କରାଗଲା । ତା’ ବାପା ମା କହିଲେ, ଇରା ମରିଯାଉ ପଛେ ତା’ ମୁହଁ ଆଉ ସେମାନେ ବଞ୍ଚିଥିବା ଯାଏ ଚାହିଁବେ ନାହିଁ ।

 

ସତକୁ ସତ ସେଇଆ ହେଲା । ଇରାର ଜୀବନ ପୂରାପୂରି ଆକର୍ଷିତ ହୋଇଗଲା ମନୋଜ ଡେଭିଡ୍‍ଙ୍କ ବନ୍ଧନରେ । ଆଉ ପ୍ରଣୟର ପ୍ରତିଶ୍ରୁତି ଅନୁଯାୟୀ ମି: ଡେଭିଡ୍‍ ଥରକ ପାଇଁ ଇରା ଅପାକୁ ପରଦାରେ ନାୟିକା କରିଥିଲେ ଆପଣା ସହ ।

 

ହେଲେ ସେ ଦୁହିଁଙ୍କ ବନ୍ଧନର ପ୍ରତିକ୍ରିୟା ସୃଷ୍ଟି ହେଲା ବାପାଙ୍କ ମନରେ । ମୁଁ ମାଟ୍ରିକ୍‌ ପରୀକ୍ଷା ଦେବା ପରେ ପରେ ଯେତେବେଳେ ମୋ ଦେହରେ ମଳୟର ଦହନ ଅନୁଭବ କଲି, ସେତେବେଳେ ଅନୁସନ୍ଧିତ୍ସୁ ମନ ଖାଲି ଇରା ଅପା ଓ ତା’ ପ୍ରଦତ୍ତ କାହାଣୀର କାମଦେବଙ୍କ ପାଇଁ ଦିନ ରାତି ଘାରି ହେଲା । ରାତିରେ ମୁଁ ଏକାକିନୀ ଖଟ ଉପରେ ଶୋଇ ଛଟ ପଟ ହେବାକୁ ଲାଗିଲି-। ମୋ ଦେହରେ ଯୌବନ ଆର୍ତ୍ତନାଦ କରି ମୂର୍ଚ୍ଛା ଚାଲିଗଲା । ତାକୁ ସତେଜ କରିବାକୁ ହେବ । ତେବେ ସେଥିପାଇଁ କାରକ କିଏ ?

 

ରାତି ରାତି ଭରି ଶୋଷ ବଢ଼ିବାକୁ ଲାଗିଲା । କେତେବେଳେ ମୁଁ ଉଲଗ୍ନ ଅବସ୍ଥାରେ ଶୋଇ ଯାଉଥିଲି ତାହା ଜାଣି ପାରୁ ନ ଥିଲି । ଅବଚେତନ ମନରେ ସବୁ ଖିଆଲକୁ ଚରିତାର୍ଥ କରିବା ଛଡ଼ା ଆଉ ଉପାୟ କିଛି ନ ଥିଲା ।

 

ଦିନେ ମୁଁ ଏକ ଲଜ୍ଜିତ ପରିସ୍ଥିତିର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଥିଲି । ମଳୟର ଏକ ଜ୍ୟୋତ୍ସ୍ନାସ୍ନାତ ରଜନୀରେ ମୁଁ ଅସ୍ତବ୍ୟସ୍ତ ହୋଇ ଉଲଗ୍ନ ଶୈଳୀରେ ଶୋଇ ପଡ଼ିଥିଲି । ଅବଶ୍ୟ ସେଇ ଶୟନଶୈଳୀ ଥିଲା ଚିତ୍‌ ଅବସ୍ଥା । ନୂଆ ଯୌବନର ମଧୁମତ୍ତା ମନ ମୋର ସାଥୀ ବିହୁନେ କୁରୁଳି କୁରୁଳି କେତେବେଳେ ଯେ ସୁଲୁସୁଲିଆ ବାଆ ପରଶରେ ଚେତନା ହରାଇ ବସିଛି ତାହା ମୋତେ ମୋଟେ ଜଣା ନାହିଁ । ରାତିରେ ମୁଁ ଏକ ସ୍ୱପ୍ନ ଦେଖିଥିଲି ଇରା ଅପା କହିଥିବା କଳ୍ପନାର ରାଜକୁମାରଙ୍କ ସମ୍ବନ୍ଧରେ । ତା’ପରେ ମୋର ସ୍ୱର୍ଗୀୟା ବୋଉ ଅଞ୍ଜନାର ପ୍ରଣୟ କଥା ମଧ୍ୟ ମନରେ ଉଙ୍କି ମାରିଥିଲା । ତା’ଛଡ଼ା ନାନା ଆଡ଼ୁ ନାନା ଦୃଶ୍ୟ ଆସି ଛନ୍ଦି ହୋଇ ଯାଇଥିଲେ ଅଶ୍ଳୀଳ ରାସ୍ତାର ଛକ ଉପରେ ।

 

ଫଳରେ ମୁଁ କ୍ରସ୍‌ ହୋଇଗଲି । ଅଚେତନ, ଅବଚେତନ ମନ ମଧ୍ୟରେ ସଂଘର୍ଷ ଘଟି ମୋ ଦେହର ଇନ୍ଦ୍ରିୟ ବୀଣା ଭାଙ୍ଗି ଚୁରମାର ହୋଇଗଲା । ତାକୁ ଆଉ ମୁଁ ସ୍ୱ-ହସ୍ତରେ ନିଜକୁ ସଜାଡ଼ି ପାରି ନ ଥିଲି । ଉଲଗ୍ନ ଅଙ୍ଗ ପ୍ରତ୍ୟଙ୍ଗ ଯେମିତି ଥିଲା, ସେମିତି ଶୀତଳ ସମୀରଣ ସ୍ପର୍ଶରେ ପଡ଼ି ରହିବାକୁ ଭଲ ମନେ କଲା । ରାତିର ସମୁଦାୟ କଳେବର ଲୁଚିଯାଇ ଦିବାକର ପୂର୍ବ ଦିଗରେ ଉଦିତ ହୋଇ ଗବାକ୍ଷ ଫାଙ୍କରେ କେତେବେଳେ ଯେ ମୋ ଗୋପନ ଯୌବନର ନୂତନ ଆସ୍ତରଣର ସ୍ୱାଦ ଆସ୍ୱାଦନ କଲେଣି ତାହା ମୁଁ ଜାଣିବି କେଉଁଠୁଁ ?

ଉତ୍ତମ ନିଦ ଖଣ୍ଡେ ଦୁଇ ଆଖିର ପରଳ ଉପରେ ଲାଗି ଯାଇଥିଲା । ବାପା ସେଦିନ ଶୀଘ୍ର ଉଠି ପଡ଼ି ସେଇ ଗବାକ୍ଷ ବାଟେ ମୋ ଆଡ଼କୁ ଦୃଷ୍ଟି ନିକ୍ଷେପ କରନ୍ତେ ତାଙ୍କ ମୁଖମଣ୍ଡଳ ଲଜ୍ଜାରେ ଝାଉଁଳି ପଡ଼ିଥିଲା । ତତ୍‌କ୍ଷଣାତ୍‌ ସେ ମୁହଁ ବୁଲାଇଛନ୍ତି କି ନାହିଁ ଦୁର୍ଯୋଗବଶତଃ ଏକ ଝିଟିପିଟି ଠିକ୍‌ ସେଇ ଜାଗା ଉପରକୁ ଲମ୍ଫ ପ୍ରଦାନ କଲା ଓ ଫଳରେ ମୋ ନିଦ ଭାଙ୍ଗିଗଲା । ମୁଁ ବୋଉଲୋ ବୋଲି ଚିତ୍କାର କରନ୍ତେ ବାପା ଛଳନାରେ ମୋତେ ଡାକିଦେଲେ । ମୁଁ ବାପାଙ୍କୁ ଦେଖି ପାରିଲି ସତ, ମାତ୍ର ସେତେବେଳକୁ ନିଜକୁ ସଂଯତ ଅବସ୍ଥାକୁ ଫେରାଇ ଆଣି ନ ଥିଲି ।

ତଥାପି ଯାଇ କବାଟ ଫିଟାଇ ଦେଲି ଓ ବାପା ମୋ ଭୟର କାରଣ କିଛି ନୁହେଁ ବୋଲି ଜାଣିଥିବାରୁ ମୁଁ ସେଇସବୁ କଥା ମନକୁ ମୋର ଅନୁମାନ କରିନେଲି । ସେଇଦିନ ଏକ ନିରୋଳା ପରିବେଶରେ ବାପାଙ୍କ ମନରୁ ମୋ ସମ୍ବନ୍ଧରେ ଅଶ୍ଳୀଳ ଧାରଣାକୁ ପୋଛି ଦେବାକୁ ଯାଇଁ ମୁଁ ବାହାନା କରିଥିଲି, ସେଥିରେ ବାପା କହିଥିଲେ ଯେ ମଣିଷ ଜୀବନର ଚରିତ୍ର ହେଉଛି ଶ୍ରେଷ୍ଠ ସମ୍ପଦ-। ତାକୁ ଯେ ଥରେ ହରାଏ, ସେ ଦୁନିଆରେ ଅଜସ୍ର ଧନ ବିନିମୟରେ ଆଉ ଫେରି ପାଏନା-। ହଜେଇ ନ ପାଇବା ସାମଗ୍ରୀଠାରୁ ଜାଣିଶୁଣି ଚରିତ୍ର ହରେଇ ଅନୁତାପ କରିବା ମଣିଷ ଜୀବନରେ ବଡ଼ ଦୁର୍ବିସହ ଯନ୍ତ୍ରଣା ।

ବୋଉ କ୍ଷେତ୍ରରେ ବାପା ଏକାନ୍ତ ଭାଙ୍ଗି ପଡ଼ିଥିଲେ । ଅସହାୟ ଅବସ୍ଥାରେ ମନକୁ ନିର୍ଜନତାର ଅଭିଶାପ ସ୍ୱରୂପ ବରଣ କରି ନେଇଥିଲେ ! ସେଥିଲାଗି ତାଙ୍କର ପୂରା ଭରସା ଥିଲା ଯେ ମୁଁ ଯେପରି ବୋଉ ଦଶା ନ ଭୋଗେ । ବୋଉଙ୍କ ଦୁର୍ଦ୍ଦଶାର ଶିକାର ହେବା ମାନେ ମାନବିକତାକୁ ଚିରଦିନ ଲାଗି ଅପମାନରେ ଅଶାନ୍ତ କରି ଥୋଇବା । ଭାଗ୍ୟର ଆଉ ଚାରା କ’ଣ ରହିବ ? ଆଶ୍ୱାସନା କ’ଣ ରହିବ ? କେଉଁ ଅବଲମ୍ବନର ଉପକଣ୍ଠରେ ସେ ତାଙ୍କ ମଣିଷପଣିଆର ଲହଡ଼ି ଗଣିବାକୁ ମନ ହରଷ କରିବେ ?

ସେଇଥିଲାଗି ମୁଁ ମନକୁ ଦୃଢ଼ କରି ଚାଲିବାକୁ ଶିଖୁଥିଲି । ବାପା ମୋର ଦେଖନ୍ତୁ ଯେ ମୁଁ ତାଙ୍କର ଚରିତ୍ରବତୀ ଝିଅ । ତଥାପି ମନ ଯେ ଠିକ୍‌ ଖଣ୍ଡା ଧାରରେ ଚାଲି ପାରିବ ଏମିତି କଥା ନାହିଁ । ମୋ ଅବଚେତନ ମନକୁ ବାପା ଲକ୍ଷ୍ୟ କରିବାକୁ ଲାଗିଲେ । ମୁଁ କେମିତି ଅମରମତ୍ତା ହୋଇ ରାଜସିକ ଆନନ୍ଦକୁ ଉପଭୋଗ କରିବା ପାଇଁ ବ୍ୟାକୁଳ ତାହା ମଧ୍ୟ ଅନୁଭବ ନ କରି ସେ ନୀରବ ରହିଲେ ନାହିଁ ।

ମନେ ମନେ ସେ ଅନୁସନ୍ଧାନୀ ରହିଲେ ଏକ ଉପଯୁକ୍ତ ପାତ୍ରର ଅନୁସନ୍ଧାନରେ । ତା’ ନ ହେଲେ ବିଳମ୍ବ ହେଲେ କାଳେ ମୋତେ ବୋଉ ଓ ଇରାଙ୍କ ଗତିପଥ ଆହ୍ୱାନ କରିବ ? ସେଇ ଭୟ ବାପାଙ୍କୁ ଘାରିଲା । ତେଣୁ ଅଳ୍ପ ବୟସରୁ ସେ ମୋ ପାଇଁ ବରପାତ୍ର ଲକ୍ଷ୍ୟରେ ବୁଲୁବୁଲୁ ଦେଖିଲେ ଏଇ ବିନୋଦ ବାବୁଙ୍କୁ । ମୋତେ ଆଠ ବର୍ଷ ହୋଇଥିଲା ବେଳେ ଯେଉଁ ସହରରେ ସେ ଟ୍ରେନିଙ୍ଗ୍‌ ପାଇ ରହୁଥିଲେ, ସେଠାରୁ ଆସି ସେ ଏହିଠାରେ ଯେ ନିଯୁକ୍ତି ପାଇଛନ୍ତି ତାହା ଦେଖି ବାପା ଖୁସି ହୋଇଗଲେ । ତାଙ୍କୁ ନିମନ୍ତ୍ରଣ କରାଗଲା ଆମ ଘରକୁ । ବାପା ମୋତେ ତାଙ୍କ ସହ ପରିଚୟ କରାଇ ଦେଇ କହିଥିଲେ, ବୁଝିଲୁ କାନ୍ତା ଏଇ ଉଦୀୟମାନେ ଯୁବକ ଇଞ୍ଜିନିୟର ବିନୋଦ ବାବୁ ତୋତେ କୋଳରେ ବସେଇ ଅନେକ ସ୍ନେହ, ଆଦର କରିଛନ୍ତି । ଆଉ ତୋ ମାମୀର ସେ ଥିଲେ ସଙ୍ଗୀତ ସାଥୀ ।

ତାଙ୍କ ସାଥିତ୍ୱରେ ଖୁସି ହୋଇ ଯାଇଥିଲି । ବାପା ମୋ ମନର ଆକର୍ଷଣ ତାଙ୍କ ପ୍ରତି ଥିବା ଅନୁଧ୍ୟାନ କରିବା ପରେ ବିନୋଦ ବାବୁଙ୍କ ହାତ ଧରି କହିଥିଲେ, ଏଇ ମାତୃହୀନା କନ୍ୟାର ମା ଇତିହାସ ତୁମକୁ ଅଜଣା ନାହିଁ ବିନୋଦ । ତାକୁ ମୁଁ ଯେ କୌଣସି ପାତ୍ରରେ ଅର୍ପଣ କରିବାକୁ ଯିବି, ସେଠି ସେଇ ବିଷୟରେ ଆଘାତ ପାଇବା ଫଳରେ ଭାଙ୍ଗି ଆସିବାକୁ ପଡ଼ିବ । ଏ କ୍ଷେତ୍ରରେ ତୁମେ ମୋତେ ସାହାଯ୍ୟ କର ।

ବିନୋଦ ବାବୁ ବାପାଙ୍କ ଉଦ୍ଦେଶ୍ୟ ବୁଝିପାରି ତାଙ୍କ ଅଭିଭାବକଙ୍କ ମତ ଉପରେ ନିଷ୍ପତ୍ତି ଛାଡ଼ି ଦିଅନ୍ତେ, ଅବଶେଷରେ ଆମର ବିଜୟ ଘଟିଥିଲା । ମୋତେ ଆଦରର ବୋହୂ କରି ନେବାକୁ କାହାରି ଅଭିଯୋଗ ରହିଲା ନାହିଁ ।

ମୁଁ ହାତ ଧରିଲି ବିନୋଦ ବାବୁଙ୍କର । ମୋ ଶୁଭପରିଣୟ ଏତେ ଶୀଘ୍ର ଅନୁଷ୍ଠିତ ହେଲା ଯେ ସେଥିରେ ବିଶେଷ ବନ୍ଧୁ କିମ୍ବା ବାନ୍ଧବୀମାନଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । ଫଳରେ ଜଣାଶୁଣା ଲୋକଙ୍କ ମୁହଁରୁ ଏ ପର୍ଯ୍ୟନ୍ତ ଶୁଣିବାକୁ ମିଳେ ଯେ, ଆମ ଦୁହିଁଙ୍କ ଶୁଭପରିଣୟ ଅନନ୍ୟସାଧାରଣ ତଥା ନଭେଲ୍‌ ଶୈଳୀର । ଏକ ଅଶ୍ଳୀଳ ଇତିହାସର ପଙ୍କରୁ ମୁଁ ଜନ୍ମ ହେଲେ ସୁଦ୍ଧା ଚିରଦିନ ପଦ୍ମିନୀ ସମ ବିନୋଦ ବାବୁଙ୍କ ଗଳାରେ ବିକଶିତ ହେବାକୁ ଚାହେଁ ।

ରମେଶ ଶୁଣିଲା କାନ୍ତାଠାରୁ ସୁଦୀର୍ଘ ପ୍ରଣୟ କାହାଣୀ । ଅଞ୍ଜନା ପରି ତାମସିକା ତରୁଣୀ ଯେ ଏ ଦୁନିଆରେ ସର୍ବତ୍ର ଅଛନ୍ତି ତାହା ସେ ମନେ ମନେ ସ୍ୱୀକାର କରିବାକୁ ବାଧ୍ୟ ହେଉଥିଲା । ତେବେ ତା’ ମନରେ ସନ୍ଦେହ ଜନ୍ମୁଥିଲା କାନ୍ତା ଉପରେ । କାନ୍ତା କ’ଣ ପ୍ରକୃତରେ ଗୌରସୁନ୍ଦରଙ୍କ ରକ୍ତଜ ? ବାପା ଅମରେଶ ଓ ଅଞ୍ଜନାଙ୍କ ମିଥୁନ ବାତାବରଣରେ କାନ୍ତାର ଉତ୍ପତ୍ତି କାହିଁକି ବିଶ୍ୱାସ ନ ହେବ ଯେ !

ଦିନେ ଏକାନ୍ତରେ ବିନୋଦ ଅନୁପସ୍ଥିତ ଥିବା ସମୟରେ କାନ୍ତାକୁ ପାଇ ତାକୁ ଜବରଦସ୍ତ ରମେଶ ତା’ ବକ୍ଷସ୍ଥଳୀକୁ ଆଉଜାଇ ଆଣିଥିଲା । ଆଉ ତା’ ଛାତିରେ ଉଷ୍ଣତାକୁ ଦ୍ୱିଗୁଣିତ କରି ଆଲିଙ୍ଗନ ବାହାନାରେ କହିବାକୁ ଲାଗିଲା, ପ୍ରେମ ଯେ କୌଣସି ଅବସ୍ଥାରେ କରାଯାଇ ପାରେ-। ତାହା ଏ ଯୁଗରେ ନିହାତି ଶସ୍ତା ଓ ମାମୁଲି । ସେଥିପାଇଁ ଦୁର୍ବଳତା ଆବଶ୍ୟକ । ଶରୀରର ଗୌରବକୁ କ୍ଷୁଣ୍ଣ କରି ଯୁବକ ଯୁବତୀ ଦୁହେଁ ସବୁ କିଛି କରି ପାରନ୍ତି ଓ କରି ପାରିବେ-

ନାଟକୀୟ ଭଙ୍ଗୀରେ ରମେଶ ପାଟିରୁ ଜିହ୍ୱା ପ୍ରକାଶ କରି କାନ୍ତାର ଗଣ୍ଡଦେଶକୁ ଚୁମ୍ବନ ଆବୃତ୍ତ କରିବା ଆଶାରେ ବଳ ପ୍ରୟୋଗ କରୁ କରୁ କହି ଉଠିଥିଲା ଏ ଦାହ ପ୍ରେମ ପାଇଁ ନୁହେଁ, ସ୍ନେହ ପାଇଁ । ତୁମ କପାଳରେ ମୁଁ ମୋ ଜିହ୍ୱାର ଲାଳ ଝରାଇ ଦିଏ । କାରଣ ତୁମେ ଆଜିଠାରୁ ମୋର ପୋଷାକୀ ଭାଉଜ ନୁହଁ । ତୁମେ ହେଉଛ ମୋ ସତ୍ୟର ଭଉଣୀ । ଥିଓରୀ ଅଫ୍‌ ରିଲେଟିଭିଟି ପ୍ରୟୋଗ କରି ମୁଁ ଯେତେ ଥର, ଯେତେ ମୁହୂର୍ତ୍ତ ତୁମ ପ୍ରତି ଆସକ୍ତ ହେବା ପାଇଁ ଭାବିଛି, ସେତେ ଥର ମୋତେ ସାହସ ହରାଇବାକୁ ପଡ଼ିଛି ।

ମୁଁ ବାସ୍ତବିକ ଦୁର୍ବଳ ହୋଇ ପଡ଼ିଛି ଚରିତ୍ରର ମାୟାମୃଗ ପାଖରେ । ଭାବିଛି ସତେ କ’ଣ ଏ ଦୁନିଆରେ ପ୍ରେମ ଏକ ଅଜବ ତୀର୍ଥ, ଯାହା ନିକଟରେ ଅକଳନ ଇନ୍ଦ୍ରିୟ ଅବଗାହନ କରି ଈଶ୍ୱରଙ୍କ ଶ୍ରେଷ୍ଠ ସନ୍ତାନ ମଣିଷକୁ ଭ୍ରଷ୍ଟ ଦିଗରେ ପଥୁକୀ ସଜାଉଛି ?

ତା’ହେଲେ ବାପ ଝିଅ ମଧ୍ୟରେ ସନ୍ଦେହ କ’ଣ ସେଇ.....ନୁହେଁ ???

Image